ନବୀନଙ୍କ ମୁଣ୍ଡରେ ଅଠା ବୋଳିଲେ ଜୟ

0
40

ଭୁନନେଶ୍ୱର: ପାହାଡ଼ରେ ମାଟି ଅତଡ଼ା ଧସି ୧୨ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଏଥିନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଣ୍ଡରେ ଅଠା ବୋଳିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଇଁ କେତେଲୋକ ମଲେ ବୋଲି ସେ ଏକ ଧାରଣା ସୃଷ୍ଟି କରିବାକୁ ଚାହିଁଛନ୍ତି । ଏଥିସହ ୨୦ ବର୍ଷ ଶାସନରେ ଢ଼ିଲା ହେଲାଣି ବୋଲି କହିବା ସହ ଏଥିପାଇଁ ଏସବୁ ଘଟଣା ଘଟିଲା ବୋଲି ସେ ଦର୍ଶାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିତ୍ଲି ପ୍ରଭାବରେ କ୍ଷତିଗ୍ରସ୍ତ ଗଂଜମା, ଗଜପତି ଓ ରାୟଗଡ଼ା ଜିଲ୍ଲାର ପରିସ୍ଥିତି ହେଲିକପ୍ଟର ଯୋଗେ ଯାଇ ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି । ଅନ୍ୟପଟରେ ବୈଜୟନ୍ତ ଚୁପ ନ ବସି ଗାଡ଼ିରେ ଯାଇ ସାଲେପୁର ଓ କେନ୍ଦ୍ରାପଡ଼ା ଅଂଚଳର ପ୍ରଭାବିତ ଲୋକଙ୍କ ସହ ମିଶି ସେମାନଙ୍କ କଥା ବୁଝିଛନ୍ତି । ଏପରି କରି ସେ ଏକ ବାର୍ତ୍ତାଦେବାକୁ ମଧ୍ୟ ଚାହିଁଛନ୍ତି ନବୀନ ଆକାଶରେ ଉଡୁଥିଲା ବେଳେ ସେ ତଳେ ବୁଲି ଲୋକଙ୍କ ସହ ସମ୍ପର୍କ ରଖିଛନ୍ତି । କୌଣସି ନା କୌଣସି ଉପାୟରେ ସେ ନବୀନଙ୍କୁ ଲୋକଲୋଚନରେ ନିନ୍ଦିତ କରିବା ପାଇଁ ପ୍ରୟାସ ଚଳାଇଥିବା କଥା ଆଲୋଚନା ହେଉଛି ।


ତିତ୍ଲି ପ୍ରଭାବରେ ରାଗୟଡ଼ ବ୍ଲକ୍ର ମହେନ୍ଦ୍ରଗିରି ପାଦଦେଶରେ ମାଟି ଅତଡ଼ା ଧସି ଗୁମ୍ଫାରେ ଆଶୟ ନେବାକୁ ଯାଇଥିବା ୫ଟି ପରିବାରର ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ୪ ଜଣ ଫସି ରହିଥିବା କଥା କୁହାଯାଉଛି । ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ମଧ୍ୟ ଜଣାପଡ଼ିଛି । ଏମାନେ ହେଉଛନ୍ତି ରାୟଗଡ଼ ବ୍ଲକ୍ ଗଙ୍ଗାବାଡ଼ ପଂଚାୟତ ବାଡ଼ଘର ଗ୍ରାମର ବୋଲି କୁହାଯାଉଛି । ଏହି ଘଟଣାକୁ ନେଇ ପ୍ରଶାସନିକସ୍ତରରେ ଖୋଳତାଡ଼ ଚାଲିଛି । ବୈଜୟନ୍ତ ଆଜି ସାଲୋପୁର ଗସ୍ତରେ ଯାଇ କ୍ଷତିଗ୍ରସ୍ତ ଲୋକଙ୍କ ସହ ମିଶିବା ସମୟରେ ଏହି ୧୨ ଜଣଙ୍କ ମୃତ୍ୟୁ ଖବର ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦେବାକୁ ଯାଇ ସିଧା ସଳଖ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ସେ ଘଟଣା ନେଇ ଶୋକ ପ୍ରକାଶ କରିବା ସହ କହିଛନ୍ତି ମୋ ବିରୋଧରେ ଯେଉଁ ଆରୋପ ହୋଇଥିଲା ତାହା ସମ୍ପୂର୍ଣ୍ଣ ମିଥ୍ୟା । ଏହାକୁ ନେଇ ମୋର ୩ଟା ହେଲିକପ୍ଟରକୁ ବନ୍ଦ କରି ଦିଆଯାଇଛି । ଅନ୍ୟ ପଟରେ ରାଜ୍ୟ ସରକାର ଅନ୍ୟ ଆଡୁ ଭଡ଼ାରେ ହେଲିକପ୍ଟର ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ମୁଁ ନିବେଦନ କରିଥିଲି ଯେ, ମୋ ହେଲିକପ୍ଟର ଥିବା ହ୍ୟାଙ୍ଗରକୁ ଖୋଲିଦେଲେ ଏଥିରେ ଥିବା ୩ଟି ହେଲିକପ୍ଟର ଓଡ଼ିଶାରେ ରିଲିଫ ଓ ଉଦ୍ଧାର କାଯ୍ୟରେ ନିୟୋଜିତ ହୋଇପାରିବ । ଏଭଳି ପ୍ରକୃତିକ ବିପର୍ଯ୍ୟୟ ହୁଏ ମୁଁ ନିଜେ ହେଲିକପ୍ଟର ଉଡ଼ାଇ ସହାୟତା ଦେଇଛି । ଏବେ ବି ମଧ୍ୟ ମୁଁ ପ୍ରସ୍ତୁତ ଅଛି । ଏଥିନେଇ ରାଜ୍ୟ ସରକାରଙ୍କୁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । କିନ୍ତୁ ମୋର ଏହି ନିବେଦନକୁ ଏଯାଏଁ ଗ୍ରହଣ କରାଯାଇନାହିଁ । ମୋତେ ବହୁତ ଦୁଃଖ ଲାଗିଲା, ଯେତେବେଳେ ଆଜି ସକାଳେ ଖବର ପାଇଲି ଗତ କାଲି ୧୨ ଜଣ ଲୋକ ମରିଯାଇଛନ୍ତି ଗଜପତି ଜିଲ୍ଲାରେ । ବାତ୍ୟାରୁ ଆଶ୍ରୟ ନେବାକୁ ଗୁମ୍ଫାକୁ ଯାଇଥିଲା ବେଳେ ତାହା ଭୂଷୁଡ଼ି ପଡ଼ିଛି । ଆହୁରି ୫ ଜଣ ଫସିକି ଅଛନ୍ତି ବୋଲି କୁହାଯାଉଛି । ଏହା ବହୁତ ଦୁଃଖର କଥା । ମୋତେ ସୁଯୋଗ ଦିଆଯାଇଥିଲେ ସେମାନଙ୍କୁ ଉଦ୍ଧାର କରି ହୋଇଥାନ୍ତା ଓ ସେମାନଙ୍କ ପାଖକୁ ରିଲିଫ ପହଂଚାଯାଇ ପାରିଥାନ୍ତା । ୧୯୯୯ ମସିହା ମହାବାତ୍ୟା ପରେ ଓଡ଼ିଶାର ଯେପରି କ୍ଷମତା ବଢ଼ିଥିଲା ଏଭଳି ବାତ୍ୟା ଓ ପ୍ରାକୃତି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ତାହା ସ୍ୱାଗତ ଯୋଗ୍ୟ ଥିଲା । କିନ୍ତୁ ପ୍ରଥମ ଥର ପାଇଁ ଦେଖାଯାଉଛି ତାହା ପ୍ରାୟ ପୁରାପୁରି ଭାବେ ହୋଇପାରିନାହିଁ । ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଆଗରୁ ମଧ୍ୟ ଯେତେବେଳେ ଫାଇଲିନ୍ ଓ ହୁଡ୍ହୁଡ୍ ଆସିଥିଲା ସେତେବେଳେ ଲକ୍ଷ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । କେହି ମୃତାହତ ଯେପରି ନ ହେବେ ସେଥିପାଇଁ ଉଦ୍ୟମ କରାଯାଉଥିଲା । ଯଦିବା ମୃତ୍ୟୁ ହେଉଥିଲା ଜଣେ, ୨ଜଣ କିମ୍ବା ୩ ଜଣଙ୍କର ହେଉଥିଲା । କିନ୍ତୁ ଏବେ ଯେତେବେଳେ ଡର୍ଜେନ ମୃତ୍ୟୁ ହେଲାଣି ଏଥିରୁ ଜଣାପଡୁଛି କେଉଁଠି ନା କେଉଁଠି ଯେଉଁ ପ୍ରସ୍ତୁତିକୁ ନେଇ ଆମେ ଆଗରୁ ଗର୍ବ ଅନୁଭବ କରୁଥିଲୁ ସେ ପ୍ରସ୍ତୁତି ପୁରା ହୋଇ ପାରିଲାନାହିଁ ବୋଲି ବୈଜୟନ୍ତ ଅଭିଯୋଗ କରିଛନ୍ତି ।
ଏକଥା ଦର୍ଶାଇ ବୈଜୟନ୍ତ ଜଣାଇବାକୁ ଚାହିଁଛନ୍ତି ତାଙ୍କୁ ଯଦି ହେଲିକପ୍ଟର ଦିଆଯାଇଥାନ୍ତା ତେବେ ଯେଉଁ ୧୨ ଜଣ ଲୋକ ମଲେ ସେମାନେ ବଂଚିଯାଇଥାନ୍ତେ । ସେ ଯାଇଁ ସେମାନଙ୍କୁ ଉଦ୍ଧାର କରି ଆଣିଥାନ୍ତେ । ତାଙ୍କର ଗୋଟିଏ ହେଲିକପ୍ଟର ନାଁରେ ଅଭିଯୋଗ ଥାଇ ୩ ହେଲିକପ୍ଟରକୁ ଜବତ କରିବା ଫଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସେ ନିୟୋଜିତ ହୋଇପାରିଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ସେ ଜଣାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଗଲାନାହିଁ । ଏଣୁ ଏଥିପାଇଁ ସେ ପରୋକ୍ଷରେ ନବୀନଙ୍କ ଉପରେ ଦୋଷ ଲଦିଛନ୍ତି । ଆଉ ପ୍ରଶାସନିକ ପ୍ରସ୍ତୁତି ଠିକ ନ ଥିବା ଯୋଗୁ ଏତେ ଲୋକଙ୍କ ମୃତ୍ୟୁ ଘଟିାବା କଥା ସେ କହିଛନ୍ତି । ନବୀନଙ୍କ ପ୍ରଶାସନ ଆଉ ଆଗଭଳି ନାହିଁ କଥା ମଧ୍ୟ ବୈଜୟନ୍ତ ଉଲ୍ଲେଖ କରିବାକୁ ଚାହିଁଛନ୍ତି ।

LEAVE A REPLY

Please enter your comment!
Please enter your name here