ଚାରିଆଡ଼େ ବିରୋଧ ପରେ ବନ୍ଧୁଙ୍କ ହାତଛାଡ଼ିଲେ ବୈଜୟନ୍ତ

ଭୁନନେଶ୍ୱର: ବିଧାନସଭାଠୁ ଆରମ୍ଭ କରି ରାଜ୍ୟବ୍ୟାପୀ ଚାରିଆଡ଼େ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବନ୍ଧୁ ଅଭିଜିତ ଆୟାରଙ୍କ ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଛି । ସମସ୍ତେ ସମାଲୋଚନା କରିବାରେ ଲାଗିଛନ୍ତି । ସେ ଏଭଳି କିଛି ମନ୍ତବ୍ୟ ରଖିଛନ୍ତି ଯାହାକୁ ନେଇ କେବଳ ବିଜେଡି ନୁହେଁ ବିଜେପି ଓ କଂଗ୍ରେସ ମଧ୍ୟ ସମାଲୋଚନା କରିବାକୁ ପଛାଇନାହିଁ । ଏପରି କି ପରିସ୍ଥିତି ଅଡୁଆ ଦେଖି ବୈଜୟନ୍ତ ମଧ୍ୟ ଶେଷରେ ହାତ ଛାଡ଼ିଛନ୍ତି । ତାଙ୍କ ବନ୍ଧୁଙ୍କୁ ସହଯୋଗ କରିବା ପାଇଁ କିମ୍ବା ସେ ରଖିଥିବା ମତ ଠିକ ବୋଲି କହିବାକୁ ଚାହିଁନାହାଁନ୍ତି । ବନ୍ଧୁଙ୍କ ମତକୁ ବୈଜୟନ୍ତ ମଧ୍ୟ ନିନ୍ଦା କରିଛନ୍ତି ।
ଯାହା ବର୍ତ୍ତମାନ ସୂଚନା ମିଳିଛି । ସେଥିରେ ଅଭିଜିତ ଗତ ୧୫ ତାରିଖରେ ବୈଜୟନ୍ତଙ୍କ ସହ ହେଲିକପ୍ଟରରେ ବୁଲିଲା ବେଳେ ଏଭଳି କଡ଼ା ମନ୍ତବ୍ୟ ରଖିନାହାଁନ୍ତି । ସେ ୨୦୧୭ରେ ଏଭଳି କଡ଼ା ମତ ରଖିଥିଲେ । ଓଡ଼ିଶାକୁ ସମାଲୋଚନା କରିଥିଲେ । ତାଙ୍କର ସେ ସମୟର ଟ୍ୱିଟ ଏବେ ଭାଇରାଲ ହୋଇଛି । କିନ୍ତୁ କୋଣାର୍କ ମନ୍ଦିର ଓ ପୁରୀ ଶ୍ରୀମନ୍ଦିର ଉପରେ ଯେଉଁ ମତ ରଖି ସୋଶାଲ ମିଡ଼ିଆରେ ଫଟୋ ଭାଇରାଲ କରିଛନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ । ସମୟକୁ ନେଇ ବିଭ୍ରାନ୍ତ ସୃଷ୍ଟି କରାଯାଉଥିବା କଥା ମଧ୍ୟ କୁହାଯାଉଛି ।
ଅଭିଜିତଙ୍କ ମନ୍ତବ୍ୟକୁ ନେଇ ଶାସକ ଦଳର ବିଧାୟକ ସମୀର ରଂଜନ ଦାସ କହିଛନ୍ତି ଅଭିଜିତ ଆୟାରଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଯେଭଳି ଭାବରେ ଓଡ଼ିଶା ଓ ପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଯେଉଁ ଅରୁଚିକର ମନ୍ତବ୍ୟ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ନିନ୍ଦନୀୟ ଏବଂ ଗର୍ହିତ ବୋଲି ଶ୍ରୀ ଦାସ କହିଛନ୍ତି ।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ତାଙ୍କ ମନ୍ତବ୍ୟ ଆଦୌ ଗ୍ରହଣୀୟନ ନୁହେଁ । ସେ କଣ ମନ୍ତବ୍ୟ ଦେବେ । ଆମର ଧର୍ମ, ସଂସ୍କୃତି ଓ ସ୍ୱତନ୍ତ୍ର ଇତିହାସ ରହିଛି । ଏହି ଇତିହାସ ହେଉଛି ମୁକସାଖୀ । ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । ଯେଉଁମାନେ ଏଭଳି ମତ ରଖିଛନ୍ତି ତାଙ୍କ ବିରୋଧରେ କଡ଼ାରୁକଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଓଡ଼ିଆ ଜାତିକୁ କେହି ଆବିସ୍କାର କରିନାହାଁନ୍ତି । ଜଗନ୍ନାଥ ହେଉଛନ୍ତି ଓଡ଼ିଶା ଲୋକଙ୍କର ଆରାଧ୍ୟ ଦେବତା କେବଳ ନୁହଁନ୍ତି ସମଗ୍ର ବିଶ୍ୱର ଦେବତା । ସେ ଅଭିଜିତ କିଏ କଣ ମୁଁ ଜାଣିନାହିଁ । ତାଙ୍କୁ ଗୁରୁତ୍ୱ ଦେବା କଥା ନୁହେଁ । ସେ ଅତି ନିଚମନାର ଲୋକ ବୋଲି ଶ୍ରୀ ବାହିନୀପତି କହିଛନ୍ତି ।
ବୈଜୟନ୍ତ ମଧ୍ୟ ଟ୍ୱିଟ କରି ଅଭିଜିତଙ୍କ ମତକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଅଭିଜିତଙ୍କ ମନ୍ତବ୍ୟ ଅପରିପକ୍ୱ । ବୋଧହୁଏ ସେ ବ୍ୟଙ୍ଗ କରିବାକୁ ଚେଷ୍ଟା କରୁଥିଲେ । ଅବଶ୍ୟ କିଛି ଲୋକ ଏହାର ଭୁଲ ବାଖ୍ୟା କରିଛନ୍ତି । କିନ୍ତୁ ଧର୍ମ ଓ ସଂସ୍କୃତିକ ଯାହାକୁ ସମ୍ବେଦନଶୀଳ ଭାବରେ କୁହାଯାଏ ସେ ସବୁ କ୍ଷେତ୍ରରେ ବ୍ୟଙ୍ଗ କରିବା ଆଦୌ ଠିକ ନୁହେଁ । ଏହା କହିବା ଅନାବଶ୍ୟକ, ମୁଁ ଆମ ସଂସ୍କୃତି ଓ ଐତିହ୍ୟକୁ ନେଇ ଗର୍ବିତ ।
ଏଥିସହ ବୈଜୟନ୍ତ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ କହିଛନ୍ତି ମୁଁ କୌଣସି ବେଆଇନ ଉଡ଼ାଣ କରିନାହିଁ । ଅଭିଯୋଗ କରାଯାଉଛି ୧.୩୦ରେ ମୁଁ ଉଡ଼ାଣ କରିଥିଲି ବୋଲି । କିନ୍ତୁ ସେତେବେଳ ମୁଁ ଉଡ଼ାଣ କରି ନଥିଲି । ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରଠୁ ଦୂରରେ ବିମାନ ଉଡ଼ାଇଥିଲି ।

LEAVE A REPLY

Please enter your comment!
Please enter your name here