ମନ୍ତ୍ରୀ ପଦରୁ ଅତନୁଙ୍କ ଇସ୍ତଫା: ସ୍ୱାସ୍ଥ୍ୟ ବିଭାଗକୁ ରାହୁଦଶା

2

ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅତନୁ ସବ୍ୟସାଚୀ ନାୟକ । ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଅତନୁ ଦୁଇ ଦୁଇ ଥର ମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ପୂରା ଟର୍ମ ପଦରେ ରହି ପାରିନାହାନ୍ତି । ୨୦୦୯ମସିହାରେ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବେ ସେ ଦାୟିତ୍ୱ ନେଇଥିଲେ । ହେଲେ ପ୍ୟାରୀ ମୋହନ ମହାପାତ୍ରଙ୍କ କ୍ଷମତା ଅପହରଣ ମିଡନାଇଟ୍ ଅପରେସନ ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ଆଉ ଏବେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରି ଦୁଇଟି ଗୁରୁତ୍ବପୂର୍ଣ ବିଭାଗର ଦାୟିତ୍ୱରେ ଥିଲେ । ନବୀନଙ୍କର 16ବର୍ଷର ଶାସନ କାଳରେ ସ୍ୱାସ୍ଥ୍ୟ ବିଭାଗକୁ ରାହୁ ଗ୍ରହ ଗ୍ରାସିବା ଭଳି ମନେହେଉଛି । ନବୀନଙ୍କ ମନ୍ତ୍ରିମଣ୍ଡଳରେ କୌଣସି ସ୍ୱାସ୍ଥ୍ୟମନ୍ତ୍ରୀ ପୂର୍ଣ୍ଣ କାର୍ଯ୍ୟକାଳ ରହି ପାରିନାହାନ୍ତି । ପ୍ରଥମେ କମଳା ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ଘଡାଇ, ବିଜୟଶ୍ରୀ ରାଉତରାୟ, ଦୁର୍ଯୋଧନ ମାଝି, ସନାତନ ବିଶି, ପ୍ରସନ୍ନ ଆଚାର୍ଯ୍ୟ ଓ ଦାମୋଦର ରାଉତ ମଧ୍ୟ ପୂରା ସମୟ ସ୍ୱାସ୍ଥ୍ୟମନ୍ତ୍ରୀ ପଦରେ ରହିପାରିନାହାନ୍ତି । ଅତନୁଙ୍କ ଇସ୍ତଫା ପରେ, ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସମ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ପରେ ଏହାର ମାଲିକ ମନୋଜ ନାୟକ ଓ ଅତନୁ ସବ୍ୟସାଚୀ ନାୟକଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଜୋର ଚର୍ଚ୍ଚା ଧରିଥିଲା। ଅତନୁଙ୍କ ପତ୍ନୀ ମନୋଜଙ୍କ ପରିଚାଳିତ ଏକ କଲେଜରେ ଅଧ୍ୟାପନା କରୁଥିବା କଥା ସାମ୍ନାକୁ ଆସିଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ ହସ୍‌ପିଟାଲ୍‌କୁ ଅହେତୁକ ଅନୁକମ୍ପା ଦେଖାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ସୂଚନାଯୋଗ୍ୟ, ଗତ 17 ତାରିଖ ରାତିରେ ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ 26 ଜଣଙ୍କ ମୃତ୍ୟୁ ହୋଇଛି ।

ଅବଶ୍ୟ 2012 ପଞ୍ଚାଯତ ନିର୍ବାଚନ ଆଗରୁ କଟକ-ଖୋର୍ଦ୍ଦା ମଦ ମୃତ୍ୟୁରେ 40 ଲୋକଙ୍କର ପ୍ରାଣହାନୀ ଘଟିଥିଲା । ଫଳରେ ତତ୍କାଳୀନ ଅବକାରୀ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହ ଦେଓଙ୍କୁ ଇସ୍ତଫା ଦେବାକୁ ପଡିଥିଲା  ଆଉ 2017 ପଞ୍ଚାଯତ ନିର୍ବାଚନ ଆଗରୁ ସମ ହସ୍ପିଟାଲରେ ଅଗ୍ନୀକାଣ୍ଡରେ 25 ଜଣଙ୍କ ପ୍ରାଣହାନୀ ଘଟିଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିରେ ଇସ୍ତଫା ଦେବାରେ ଅତନୁ ହେଉଛନ୍ତି ପ୍ରଥମ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି,“ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମୁଁ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛି ଏବଂ ଏହାକୁ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛି।”

 

LEAVE A REPLY

Please enter your comment!
Please enter your name here