You are here
Home > ବଡ଼ଖବର > ଅଟଳଜୀ ଚିର କାଳ ଦେଶବାସୀଙ୍କ ସ୍ମୃତିରେ ଜୀବିତ ରହିବେ : ଧର୍ମେନ୍ଦ୍ର

ଅଟଳଜୀ ଚିର କାଳ ଦେଶବାସୀଙ୍କ ସ୍ମୃତିରେ ଜୀବିତ ରହିବେ : ଧର୍ମେନ୍ଦ୍ର

ଭୁବନେଶ୍ୱର: ର୍ପୂବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ଭାରତୀୟ ରାଜନୀତି ପାଇଁ ଏକ ଦୁଃଖଦ ଦିବସ ଓ ଦେଶ ପାଇଁ ଅପୁରଣୀୟ କ୍ଷତିର ଦିନ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଟଳଜୀ ଥିଲେ ଅନନ୍ୟ ଚିନ୍ତାନାୟକ, ଲବ୍ଧ ପ୍ରତିଷ୍ଠିତ ଲେଖକ, ରାଜନୀତିରେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ତଥା ସର୍ବୋପରି ମଣିଷ ପରି ମରିଷଟିଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ତାଙ୍କ ବିୟୋଗରେ ସେ ମର୍ମାହତ ବୋଲି ସେ କହିଛନ୍ତି ।
୧୯୯୯ ମସିହାରେ ମହାବାତ୍ୟାର ପ୍ରଭାବରେ ଯେତେବେଳେ ଅଧା ଓଡ଼ିଶା ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲା ସେତେବେଳେ ପ୍ରଚୁର ସାହାଯ୍ୟ ଓ ସମର୍ଥନ ଯୋଗାଇ ଦେଇଥିଲେ । ମହାବାତ୍ୟାରେ ଯେତେବେଳେ ବାସଗୃହ ଗୁଡ଼ିକ ଧୂଳିସାତ ହୋଇଗଲା ଓଡ଼ିଶା ପ୍ରଭାବିତ ଜନତାଙ୍କୁ ରିଲିଫ ଓ ପୁନର୍ବାସ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ପକ୍କା ଘର ଯୋଗାଇ ଦେବା ପାଇଁ ପର୍ଯ୍ୟାପ୍ତ କେନ୍ଦ୍ରୀୟ ସହାୟତା ଯୋଗାଇ ଦେଇଥିଲେ ।
ଦେଶରେ ପ୍ରଥମ ଏମ୍ସ ଓଡ଼ିଶା ଶାଖା, ଅଟଳଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓଡ଼ିଶାର ଗ୍ରାମାଞ୍ଚଳରେ ସଡ଼କ ଯୋଗାଯୋଗ ସ୍ଥାପନ କରି ବିକାଶ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି । ଅଟଳଜୀ ଗ୍ରାମ ସଡ଼କ ଯୋଜନାରେ ଅନୁପାତିକ ଭାବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ଅଧିକ ଅର୍ଥବରାଦ କରିଥିଲେ । ରାଷ୍ଟ୍ରୀୟ ରାଜମାର୍ଗ କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେଇଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ଜଣେ ଅନନ୍ୟ ସେନାନୀ ଯାହାଙ୍କ ନେତୃତ୍ୱରେ ଦେଶ ବିଶ୍ୱର ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରମାନଙ୍କର କ୍ଲବରେ ସାମିଳ ହୋଇପାରିଲା ।
ଓଡ଼ିଶାର ମେରୁଦଣ୍ଡ ପରି ପାରାଦୀପ ତୈଳ ବିଶୋଧନାଗାର ହେଉଛି ଅଟଳଜୀଙ୍କର ଓଡ଼ିଶା ପ୍ରତି ଉପହାର । ମେ୨୦୦୨ମସିହାରେ ଏହି ତୈଳ ବିଶୋଧନାଗାରର ଭିତ୍ତି ପ୍ରସ୍ତର ରଖିଥିଲେ ନିଜେ ଅଟଳଜୀ । ଏହା କେବଳ ଓଡ଼ିଶା ନୁହେଁ ସାରା ଦେଶର ବିକାଶ ପାଇଁ ଯୋଗଦାନ ଦେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Loading...
ONA

Leave a Reply

Top