ଶୀତ ଅଧିବେଶନ ପ୍ରଥମ ଦିନରୁ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଯାଇଛି । ପଞ୍ଚଦଶ ବିଧାନସଭାର ଚର୍ତୁଦଶ ଅଧିବେଶନର ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପାଲ, ପୂର୍ବତନ ବିଧାୟକ ବଂଶୀଧର ସାହୁ, ସହିଦ ଯବାନ ଚମ୍ପେଶ୍ୱର ମହାକୁଡ଼ ଓ ବ୍ରଜମୋହନ ବେହେରା,ଦୂରଦର୍ଶନର କ୍ୟାମେରାମାନ ଅଚ୍ୟୁତାନନ୍ଦ ସାହୁଙ୍କ ପରଲୋକରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶୋକପ୍ରସ୍ତାବ ଆଗତ କରବା ପରେ ବିଧାନସଭାରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିବାର ସୂଚନା ମିଳିଛି । ବିରେଧୀ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଗୃହକାର୍ଯ୍ୟ ଚାଲି ପାରି ନାହିଁ । ଚାଷୀ ମାରଣ ନୀତି ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଲୋଚନା କରିବାକୁ କଂଗ୍ରେସ ଦାବି କରିଥିଲା । ଗୃହ ମଧ୍ୟଭାଗରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡିୟମ ଉପରେ ଚଢ଼ି ଯାଇଥିଲେ । କଂଗ୍ରେସର ପ୍ରସ୍ତାବକୁ ବିଜେପି ବିଧାୟକ ସମର୍ଥନ କରିଥିଲେ । ଶୋକପ୍ରସ୍ତାବ ଆଗତ ପରେ ବିରୋଧୀ ଦଳ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହ ସରକାର ବିରୋଧରେ ନାରାବାଜି କରିଛନ୍ତି । ପ୍ରଶ୍ନକାଳ ବାତିଲ କରି ଚାଷୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରି ହଟ୍ଟଗୋଳ କରିଛନ୍ତି ବିରୋଧୀ ।ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ । ଆଜି ମାତ୍ର ଗୃହ ୧୪ ମିିନିଟ୍ ଚାଲିପାରିଛି । ଡିସେମ୍ବର ୧୫ଯାଏ ହେବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୩ଟି କାର୍ଯ୍ୟଦିବସ ରହିଛି । ଏ ମଧ୍ୟରୁ ୧୯ଟି ସରକାରୀ ଓ ଅନ୍ୟ ୪ଟି ବେସରକାରୀ କାର୍ଯ୍ୟଦିବସ ରହିଛି । ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ସରକାର ଚାଷୀଙ୍କ ଆନ୍ଦୋଳନକୁ ଅଗଣତାନ୍ତ୍ରୀକ ଭାବେ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି । ଚାଷୀ ସମସ୍ୟା ସମାଧାନ ପାଇଁ ପ୍ରଶ୍ନକାଳ ବାତିଲ କରି ଚାଷୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ । କିନ୍ତୁ ଏହାକୁ ସରକାର ଗ୍ରହଣ ନକରିବାରୁ ବିରୋଧୀ ହଟ୍ଟଗୋଳ କରିଥିଲେ । ଫଳରେ ଆସନ୍ତାକାଲି ଯାଏ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ମୁଲତବୀ ରଖିଛନ୍ତି । ବିରୋଧୀଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରସ୍ତାବକୁ ସମର୍ଥନ କରି ଦିବଙ୍ଗତ ଆତ୍ମାଗୁଡ଼ିକୁ ସମ୍ମାନ ଜଣାଇ ଶୋକପ୍ରସ୍ତାବ ଆଗତ କରିଥିେଲେ । ପରେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦୀପ ଅମାତ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା ପାଇଁ ଉପସ୍ଥିତ ବିଧାୟକମାନଙ୍କ ଅନୁରୋଧ କରିଥିଲେ । ନିରବ ପ୍ରାର୍ଥନା ପରେ ଗୃହରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିବାରୁ ବାଚସ୍ପତି ଶ୍ରୀ ଅମାତ ଗୃହକୁ ୧୨ଟା ୧୪ ମିନିଟ ଯାଏ ମୁଲତବୀ ରଖିଥିଲେ । ପୁନର୍ବାର ୧୨ଟା ୧୫ ମିନିଟ୍‌ ରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି କଂଗ୍ରେସ ସଦସ୍ୟମାନେ ଗୃହରେ ହୋ ହଲ୍ଲା କରିବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ ରଖିଛନ୍ତି ସୂଚନା ମିଳିଛି ।