ଅପରାଜିତା : ଆସୁ ଆସୁ ଆକ୍ସନରେ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେପିରେ ଯୋଗ ଦେଇଥିବା ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱରରେ ଆସି ପହଂଚିଛନ୍ତି । ତାଙ୍କୁ ନେଇ ବିଜେପି ଭିତରେ ଓ ବାହାରେ ବହୁ ଆଲୋଚନା ଏବଂ ଅଙ୍କକଷା ଚାଲିଛି । ଅପରାଜିତା ପହଂଚୁ ପହଂଚୁ ତାଙ୍କ ଆଭିମୁଖ୍ୟର ସୂଚନା ଦେଇଛନ୍ତି । କୌଣସି ବିଷୟରେ ମୁହଁ ନ ଖୋଲି କାର୍ଯ୍ୟକ୍ରମରେ ଏହା ଦର୍ଶାଇଛନ୍ତି । ତାଙ୍କୁ ନେଇ ଯାହା କୁହାଯାଉଛି ସେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେ ଲୋକସଭାରୁ ଲଢ଼ିବେ କି ଭୁବନେଶ୍ୱରର ଏକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଢ଼ିବେ ତାକୁ ନେଇ ପ୍ରଶ୍ନ ଉଠିଛି । ସେ ଯେ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି ଏକଥା ଆଜି ଏକ ପ୍ରକାର ତାଙ୍କ ଆଗମନ ପରେ ସ୍ପଷ୍ଟ ହୋଇଛି ।
ଗତ ୨୭ ତାରିଖରେ ଅପରାଜିତା ପଦ୍ମ ଧରିଥିଲେ । ଆଜି ସେ ଭୁବନେଶ୍ୱର ଫେରିଛନ୍ତି । ଦଳ ପକ୍ଷରୁ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ତାଙ୍କୁ ଯେତେବେଳେ ଗଣମାଧ୍ୟମ ପକ୍ଷରୁ ତାଙ୍କର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ସେ ଏହାକୁ ଏଡାଇବାକୁ ଉଦ୍ୟମ କରିଥିଲେ । ଆଗାମୀ ନିର୍ବାଚନରେ ଲଢ଼ିବେ କି ନାହିଁ ପ୍ରଶ୍ନରେ ଦଳ ଯାହା ନିଷ୍ପତ୍ତି ନେବ ସେହି ଅନୁସାରେ କାର୍ଯ୍ୟ କରିବେ ବୋଲି କହିଥିଲେ । ତାଙ୍କ ଇଚ୍ଛା ପ୍ରକାଶ କରି ନ ଥିଲେ । କିନ୍ତୁ ସେ ବିମାନବନ୍ଦରରେ ପହଂଚିଲା ପରେ ସିଧା ଲିଙ୍ଗରାଜ ମନ୍ଦିର ଯାଇ ଦର୍ଶନ କରିଥିଲେ । ସେଠାରୁ ଆସି ବିନ୍ଦୁ ସାଗର କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ବିନ୍ଦୁ ସାଗରର କଣ ବିକାଶ ହୋଇଛି ନ ହୋଇଛି ସେ ବିଷୟ ପରଖିଥିଲେ । କୌଣସି ସମାଲୋଚନା କରି ନ ଥିଲେ । କୁହାଯାଉଛି ସାଧାରଣତଃ ଯେଉଁ ବଡ଼ ନେତାମାନେ କୌଣସି ଦଳରେ ମିଶନ୍ତି ତା ପରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି । କିନ୍ତୁ ଅପରାଜିତାଙ୍କ କ୍ଷେତ୍ରରେ ଭିନ୍ନ ପରିସ୍ଥିତି ଦେଖାଦେଇଛି । ସେ ପୁରୀ ନ ଯାଇ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । କେବଳ ଦର୍ଶନ ଭିତରେ ତାଙ୍କ କାର୍ଯ୍ୟକ୍ରମକୁ ସୀମିତ ରଖି ନାହାଁନ୍ତି । ଆସୁ ଆସୁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବିନ୍ଦୁସାଗର କାର୍ଯ୍ୟ ତଦାରଖ କରି ଏହା ମାଧ୍ୟମରେ ମୁହଁ ନ ଖୋଲି ବାର୍ତ୍ତା ଦେଇଛନ୍ତି । ଭୁବନେଶ୍ୱରକୁ ସେ ତାଙ୍କର କାର୍ଯ୍ୟକ୍ଷେତ୍ର ଭାବେ ଧରୁଥିବାରୁ ଆଗାମୀ ନିର୍ବାଚନ ପାଇଁ ତାଙ୍କର ଲକ୍ଷ୍ୟ କଣ ତାହା ଜଣାପଡ଼ିଯାଉଛି । ଏ ବିଷୟ ଆଉ ତାଙ୍କୁ କହିବାର ଆବଶ୍ୟକ ନାହିଁ । ଆଜି ପର୍ଯ୍ୟନ୍ତ କୌଣସି ନେତା ଗୋଟିଏ ଦଳରେ ମିଶିବା ପରେ ସଙ୍ଗେ ସଙ୍ଗେ କ୍ଷେତ୍ରକୁ ଯାଇ ତାଙ୍କର ବିରୋଧୀ ଆଭିମୁଖ୍ୟ ପ୍ରକାଶ କରି ନଥାନ୍ତି । ହେଲେ ଏ ଦିଗରେ ଅପରାଜିତା ସମ୍ପୂର୍ଣ୍ଣ ନିଆରା । ବିନ୍ଦୁସାଗର ପାଇଁ ଯେଉଁ ଯୋଜନା ପୂର୍ବରୁ ହୋଇଥିଲା ତାହା ଯଦି କାର୍ଯ୍ୟକାରୀ ହୋଇଥାନ୍ତା ତାହାହେଲେ ଅଧିକ ସଫା ସୁତୁରା ରହିଥାନ୍ତା । ଏଥିରୁ ତାଙ୍କ ମନୋଭାବ ବୁଝିବାକୁ ଆଉ ବାକି ରହୁନାହିଁ । କିନ୍ତୁ ସେ ଲୋକସଭାରୁ ଲଢ଼ିବେ କି ବିଧାନସଭାରୁ ଲଢ଼ିବେ ତାହା ସ୍ପଷ୍ଟ ହୋଇନାହିଁ । ସେ ନିର୍ବାଚନ ରାଜନୀତିକୁ ଆସିବେ ଏ କଥା ଜଣାପଡ଼ିଯାଉଛି ।
ଅପରାଜିତା ଦଳରେ ଯୋଗଦେବା ପୂର୍ବରୁ ତାଙ୍କୁ ନେଇ ବହୁ ଆଲୋଚନା ଚାଲିଥିଲା । ସେତେବେଳେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଗଣମାଧ୍ୟମକୁ କହିଥିଲେ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ପୁଅ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଲୋକସଭା ବଦଳରେ ବିଧାନସଭା ଲଢ଼ିବେ । ସେ ଚିଲିକା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଗତ ଥର ପୃଥ୍ୱୀରାଜ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଏଣୁ ଆସନ୍ତା ନିର୍ବାଚନରେ ପୃଥ୍ୱୀରାଜ ଚିଲିକାରୁ ଲଢ଼ିବେ ବୋଲି ବିଶ୍ୱଭୂଷଣ କହିବା ପରେ ଭୁବନେଶ୍ୱର ଲୋକସଭା ଆସନ ଅପରାଜିତାଙ୍କ ପାଇଁ ଖାଲି କରାଯାଉଥିବା କୁହାଗଲା । ଅପରାଜିତା ଆସୁଆସୁ ଭୁବନେଶ୍ୱରକୁ ଗୁରୁତ୍ୱ ଦେଉଥିବାର ଏକ ବାର୍ତା ମଧ୍ୟ ଦେଲେ ।
ଦଳ ଭିତରେ ଅପରାଜିତାଙ୍କ ଗୁରୁତ୍ୱ ଓ ପ୍ରାଧାନ୍ୟ ଅଧିକ ରହିବ ବୋଲି ଆଲୋଚନା ହେଉଛି । କାରଣ ସେ ସିଧାସଳଖ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଧ୍ୟମରେ ବିଜେପିକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ସହ ଆଲୋଚନା ନ କରି ଥିଲେ ହୁଏତ ଅପରାଜିତା ଚାକିରି କାର୍ଯ୍ୟକଳା ୧୧ ବର୍ଷ ଥିଲା ବେଳେ ତାହା ଛାଡ଼ି ରାଜନୀତିକୁ ଆସି ନ ଥାନ୍ତେ । ଦୀର୍ଘ ବର୍ଷର ଚାକିରିକୁ ଛାଡ଼ି ଆସିଥିବାରୁ ଅପରାଜିତା ନିଶ୍ଚିତ ଏକ ବଡ଼ଧରଣର ‘ଡିଲ’ କରି ଆସିଛନ୍ତି । ଏହା ହୋଇ ନ ଥିଲେ ସେ ବୋଧହୁଏ ରାଜନୀତିକୁ ଆସି ନଥାନ୍ତେ । ଓଡ଼ିଶା ବିଜେପିରେ ପୂର୍ବରୁ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଯୋଗ ଦେଇଛନ୍ତି । କିନ୍ତୁ ତାଙ୍କୁ ଦଳରେ ଏତେଟା ଗୁରୁତ୍ୱ ମିଳିନାହିଁ । ଦଳର କୌଣସି ବଡ଼ଧରଣର କାର୍ଯ୍ୟକ୍ରମରେ ତାଙ୍କୁ ଆଗଧାଡ଼ିକୁ ଆସିବାରେ ଦେଖାଯାଇ ନାହିଁ । ସେ ହେଉଛନ୍ତି ପୂର୍ବତନ ଆଇଏଏ ଅଫିସର ଅଶୋକ ତ୍ରିପାଠୀ । ତାଙ୍କ ଯୋଗଦାନକୁ ସେତେବେଳେ ଏତେଟା ଗୁରୁତ୍ୱ ଦିଆଯାଉ ନ ଥିଲା । ବର୍ତମାନ ଅପରାଜିତାଙ୍କ ଯୋଗଦାନକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । କାରଣ ଆଇଏଏସ୍ ଚାକିରି ଆଉ ୧୧ ବର୍ଷ ଥିବା ବେଳେ ତାକୁ ତୁଚ୍ଛକରି ବିଜେପିୁ ଆସିଛନ୍ତି । ରାଜ୍ୟରେ ଅନ୍ୟ ନେତାମାନଙ୍କ ତୁଳନାରେ ନିଶ୍ଚିତଭାବରେ ତାଙ୍କର ଗୁରୁତ୍ୱ ବଢ଼ିବ ବୋଲି କୁହାଯାଉଛି ।
ସେ ଜଣେ ଆଇଏଏସ୍ ଅଫିସର ହୋଇଥିବାରୁ ତାଙ୍କର କାର୍ଯ୍ୟଧାରା ନିଶ୍ଚିତ ଭାବରେ ଭିନ୍ନ ରହିବ । ଅନ୍ୟପଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେ କି ବର୍ତମାନ ବିଜେପିର ସୁପରପାୱାର ଭାବରେ ପରିଚିତ ତାଙ୍କ ଦ୍ୱାରା ମନୋନୀତ ହୋଇ ଅପରାଜିତା ଆସିଥିବାରୁ ରାଜ୍ୟ ନେତାମାନଙ୍କୁ ସେ କେତେ ଗୁରୁ୍ତ୍ୱ ଦେବେ ତାହା ହେଉଛି ବଡ଼ ପ୍ରଶ୍ନ । ମୋଦିଙ୍କ ସିଧା ମନୋନୀତ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ଅନ୍ୟମାନେ କୌଣସି କଥା କହିବା କି ଦାୟିତ୍ୱ ଦେବାକୁ ହୁଏତ ଭୟ କରିପାରନ୍ତି । ସେ ସିଧାସଳଖ ମୋଦି ଓ ଶାହଙ୍କ ପାଖକୁ ଯାଇପାରିବ । ବିଜେପିର ଅନ୍ୟ ନେତାମାନଙ୍କ ପକ୍ଷରେ ହୁଏତ ଏହା ସମ୍ଭବ ହୋଇ ନ ପାରେ । ଶାହଙ୍କ ପାଖକୁ ଯାଇ ପାରନ୍ତି କିନ୍ତୁ ମୋଦିଙ୍କ ପାଖକୁ ଯିବା ଏତେ ସହଜ ନୁହେଁ । ହେଲେ ଅପରାଜିତାଙ୍କ କ୍ଷେତ୍ରରେ ଏହା ଭିନ୍ନ ପରିସ୍ଥିତି ଆଣିବ । ଏଣୁ ଅପରାଜିତା ରାଜ୍ୟ ନେତୃମଣ୍ଡଳୀଙ୍କୁ କେତେଦୂର ଗ୍ରହଣ କରୁଛନ୍ତି ଓ ରାଜ୍ୟ ନେତୃମଣ୍ଡଳୀ ତାଙ୍କୁ କେତେଦୂର ପ୍ରାଧାନ୍ୟ ଦେଉଛନ୍ତି ତାହା ଉପରେ ହିଁ ସବୁ କିଛି ନିର୍ଭର କରିବ ବୋଲି କୁହାଯାଇଛି ।

2 ମତାମତ ଦିଅନ୍ତୁ

  1. ଅପରାଜିତା mam ଙ୍କ କାର୍ଯଦକ୍ଷ ତା କୁସମସ୍ତ ଭୁବନେଶ୍ୱର ବାସୀ ଜାଣିଛନ୍ତି ତେଣୁ ସମସ୍ତେ ଆଶା କରିବେ ଯେ ଆଉ କିଛି ଭଲ କରନ୍ତୁ ବିଶେଷ କରି ଲାଞ୍ଚ ଓ ଅପରାଧ ମୁକ୍ତ କଟନ୍ତୁ।

ମତାମତ ଦିଅନ୍ତୁ

Please enter your comment!
Please enter your name here