ଲୋକେ କଣ ଚାହୁଁଛନ୍ତି ତାହା ଜାଣିଲେଣି ବୈଜୟନ୍ତ, ଖୁବଶୀଘ୍ର କରିବେ ଘୋଷଣା

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡି ଛାଡ଼ିଲା ପରେ କୁଆଡ଼େ ଯିବେ ତାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି । ସେ କିନ୍ତୁ ତାଙ୍କ ମନୋଭାବ ସ୍ପଷ୍ଟ ନ କରି ଝୁଲାଇ ରଖି ଚାଲିଥିଲେ । ଲୋକଙ୍କ ମତ ଉପରେ ତାଙ୍କ ରାଜନୈତିକ ଭବିଷ୍ୟତ ଛାଡ଼ିଥିଲେ । ଏବେ ସେ ଖୋଲାଖୋଲି କହିଛନ୍ତି ଲୋକେ କଣ ଚାହୁଁଛନ୍ତି ସେ ଏହା ମଧ୍ୟରେ ଜାଣି ସାରିଲେଣି । ଖୁବଶୀଘ୍ର ସେ ତାଙ୍କ ନିଷ୍ପତ୍ତି ଘୋଷଣା କରିବେ । ଆଉ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇବେ । ସେ ବିଜେପିରେ ଯୋଗ ଦେଉ ନ ଥିବା କଥା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ହେଲେ ବିଜେପି ସହଯୋଗ ସେ ଛାଡ଼ିବେ ନାହିଁ । ଏକଥାର ସୂଚନା ମଧ୍ୟ ମିଳିଛି ।
ସୋମବାର ଦିଲ୍ଲୀରେ ବୈଜୟନ୍ତଙ୍କ ରଚିତ ପୁସ୍ତକର ଉନ୍ମୋଚନ ହୋଇଛି । ପୂର୍ବରୁ ସେ କହିଥିଲେ ଏହି ପୁସ୍ତକ ଉନ୍ମୋଚ ପରେ ସେ ତାଙ୍କ ରାଜନୈତିକ ଭବିଷ୍ୟତ କଥା ଜଣାଇବେ । ଦିଲ୍ଲୀରେ ପୁସ୍ତକ ଉନ୍ମୋଚନ ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଲୋକଙ୍କ ମତ କଣ ତାହା ଜାଣିସାରିଲେଣି । ଆଉ ସେ ତାଙ୍କ ଘୋଷଣା ଖୁବଶୀଘ୍ର କରିବାକୁ ଯାଉଛନ୍ତି । ବୈଜୟନ୍ତ କହିଛନ୍ତି ଏବେ ମୁଁ ପୁରା ଫାଇନାଲ ଷ୍ଟେଜରେ ଅଛି, ମୋର ନିଷ୍ପତ୍ତି ନେବା ପାଇଁ । ଏହି ନିଷ୍ପତ୍ତି ନେଇ ମୁଁ ଘୋଷଣା କରିବି । ମୋ ବିଷୟରେ ବହୁତ ଲୋକ ବହୁତ କଥା କହିଥିବେ । ମୁଁ ଦଳ ଓ ପାର୍ଲାମେଣ୍ଟ ଛାଡ଼ିଲା ପରେ ୭ ମାସ ହେଲାଣି କିନ୍ତୁ ଯାହା ମୋ ବିଷୟରେ କହୁଥିଲେ ତାହା ହେଲାନାହିଁ । କାରଣ ସେପରି କିଛି ନ ଥିଲା । ମୁଁ ସ୍ୱାଭୀମାନକୁ ଆଖି ଆଗରେ ରଖି ଦଳ ଓ ପାର୍ଲାମେଣ୍ଟ ଛାଡ଼ିଥିଲି । ଗତ ୭ ମାସ ହେଲା ମୁଁ ବିଭିନ୍ନ ଜାଗା ବୁଲି ଲୋକଙ୍କ ସହ ଆଲୋଚନା କରି ଆସୁଛି । ଲୋକେ କଣ ଚାହୁଁଛନ୍ତି ସେ ବିଷୟରେ ମୋର ଧାରଣା ଆସିଲାଣି । ସେ ଦିଗରେ ମୁଁ ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛି ।
ବୈଜୟନ୍ତ ବିଜେଡି ଛାଡ଼ିଲା ପରେ ବିଜେପିରେ ଯୋଗଦେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା କେବଳ ତାଙ୍କର କାର୍ଯ୍ୟଧାରାକୁ ଭିତ୍ତିକରି କରାଯାଉଥିଲା । କାରଣ ବିଜେଡିରେ ଥିଲା ବେଳେ ବୈଜୟନ୍ତ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିଆସୁଥିଲେ । ଏଥିନେଇ ଦଳର ସୁପ୍ରିମୋ ଓ ନେତାମାନଙ୍କ ସହ ତାଙ୍କର ମତପାର୍ଥକ୍ୟ ହୋଇଥିଲେ ବି ତାହାକୁ ସେ ଗୁରୁତ୍ୱ ଦେଉ ନ ଥିଲେ । ଯାହା ଫଳରେ ତାଙ୍କୁ ଶେଷରେ ଦଳ ଓ ସାଂସଦ ପଦ ଛାଡ଼ିବାକୁ ହେଲା । ଏ କ୍ଷେତ୍ରରେ ସେ ଦଳ ଛାଡ଼ିଲା ପରେ ବିଜେପି ନେତାମାନେ ତାଙ୍କୁ ଡାକି ସମ୍ବର୍ଦ୍ଧିତ କଲେ । କିନ୍ତୁ ମିଶିବା ପୂର୍ବରୁ ସେ ଯେଉଁ ସର୍ତ୍ତମାନ ରଖିଲେ ତାହା ବିଜେପି ନେତାଙ୍କ ପାଇଁ ପୂରଣ କରିବା ସମ୍ଭବ ହେଲାନାହିଁ । ଫଳରେ ବୈଜୟନ୍ତ ଆଉ ଯୋଗ ଦେଇ ପାରିଲେ ନାହିଁ ବୋଲି କୁହାଯାଉଛି । ଆରଏସଏସ ମୁଖ୍ୟ ମୋହନ ଭାଗବତ ଓଡ଼ିଶା ଗସ୍ତରେ ଆସିଥିଲା ବେଳେ ବୈଜୟନ୍ତଙ୍କ ପତ୍ନୀ ଯାଇ ତାଙ୍କୁ ଭେଟି ଆଲୋଚନା କରିଥିଲେ । ସେତେବେଳେ ମଧ୍ୟ ଆଲୋଚନା ଆହୁରି ଜୋରଦାର ହୋଇଥିଲା । କିନ୍ତୁ ସବୁ କିଛି ଠିକଠାକ ଚାଲିଲାନାହିଁ । ଯାହାଦ୍ୱାରା ଆଉ ସେ ବିଜେପିକୁ ଯାଇ ପାରିଲେ ନାହିଁ ।
କିନ୍ତୁ ଏବେ ଯେଉଁ ସୂଚନା ମିଳୁଛି ସେଥିରେ ଖାରବେଳ ସ୍ୱାଇଁଙ୍କ ସହ ମହାମେଣ୍ଟ ଗଠନ କରି ବିଜେପି ସହ ବୁଝାମଣା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଟ ରୋକିପାରିବେ ଏବଂ ସେ ଯଦି ଜିତିକି ଆସିବେ ତେବେ କେନ୍ଦ୍ରରେ ହେଉ କି ରାଜ୍ୟରେ ହେଉ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବେ । ବିଜେପିରେ ନ ମିଶି ବିଜେପିକୁ ସହାୟତା କଲାଭଳି କାର୍ଯ୍ୟ କରିବେ ବୋଲି ଆଲୋଚନା ହେଉଛି ।