ପାରଳା ମୃତୁ୍ୟ ରହସ୍ୟ: ମାନବାଧିକାର କମିଶନରେ ଅମୂଲ୍ୟ

2

ଭୁବନେଶ୍ୱର: ପାରଳା ଗଣହତ୍ୟା ଘଟଣାର ତଦନ୍ତ ଶିଥିଳ ହୋଇଛି । ଆଜି ମାନବାଧିକାର କମିଶନରଙ୍କ ନିକଟରେ ପାରଳା ମହାରାଜଙ୍କ ମ୍ୟାନେଜର ସ୍ୱର୍ଗତଃ ଅନଙ୍ଗମଞ୍ଜରୀଙ୍କ ଭାଇ ଅମୂଲ୍ୟ ପାତ୍ର ଏହି ଅଭିଯୋଗ କରିଛନ୍ତି । ଗତବର୍ଷ ନଭେମ୍ବର ୨୯ ତାରିଖରେ ଅମୂଲ୍ୟ କମିଶନଙ୍କୁ ଅଭିଯୋଗ କରିଥିବା ବେଳେ ଆଜି ପୁଣି ଥରେ କମିଶନଙ୍କ ଠାରେ ଫେରାଦ ହୋଇଛନ୍ତି । ପାରଳା ବିଧାୟକଙ୍କ ଅନ୍ତରୀଣ ଜାମିନର ଅଭିଯୋଗ କରିବା ସହିତ ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ ବାରମ୍ବାର ପ୍ରସାରଣ ଯୋଗୁଁ ଅମୂଲ୍ୟଙ୍କ ଭଉଣୀ ଅନଙ୍ଗମଞ୍ଜରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
      ଗତ ବର୍ଷ ଡିସେମ୍ବର ୨୯ରେ ଅମୂଲ୍ୟ କମିଶନଙ୍କ ନିକଟରେ ଫେରାଦ ହେବା ସହ ଏସଆଇଟି ତଦନ୍ତ ଶିଥିଳ ହେଉଥିବା ଅଭିଯୋଗ କରିଥିଲେ । ତଦନ୍ତ ପ୍ରକ୍ରି୍ରୟା ତ୍ୱରାନ୍ୱିତ କରିବା ପାଇଁ ସେ ଦାବି କରିଥିଲେ । ପାରଳା ପ୍ୟାଲେସ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ସମେତ ୪ ଭାଇଭଉଣୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଏସଆଇଟି । ସୁଇସାଇଡାଲ ନୋଟ୍ ଯାଞ୍ଚ କରିବା ସହ ତଦନ୍ତ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ବୟାନ ରେକର୍ଡ କରାଯାଇଛି । ଗତବର୍ଷ ଅଗଷ୍ଟ ମାସରେ ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ପୂର୍ବତନ ପରିଚାଳିକା ଅନଙ୍ଗମଞ୍ଜରୀ ପାତ୍ର, ମହାରାଜାଙ୍କ ପିଏ ସଞ୍ଜୟ ପାତ୍ର ଓ ଅନ୍ୟ ଦୁଇଜଣ ଭାଇଭଉଣୀ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ଉପରୁ ପରଦା ହଟାଇବା ପାଇଁ କ୍ରାଇମବ୍ରାଞ୍ଚ ପୋଲିସ ଦ୍ୱାରା ଗଠିତ ଏସଆଇଟି ଦଳକୁ ଦତନ୍ତ ଭାର ଦିଆଯାଇଥିଲା । ଏସଆଇଟିର ଏଏସପି ରାଧାଗୋବିନ୍ଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ୬ଜଣିଆ ଦଳ ପ୍ରଥମେ ଗଜପତି ଏସପି ସୁଶିଲ ପାଣିଗ୍ରାହୀଙ୍କ ସହ ଏହି ଗଣମୃତୁ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ଏସଆଇଟି ଜଙ୍ଗମସାହିସ୍ଥିତ ଅନଙ୍ଗମଞ୍ଜରୀଙ୍କ ବାସଭବନ ଯାଇ ତନ୍ନତନ୍ନ ଯାଞ୍ଚ କରିବା ସହ ପଡୋଶୀ ଏବଂ ଘଟଣାସ୍ଥଳରେ ରୁଣ୍ଡ ହୋଇଥିବା ଲୋକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ । ଏହାପରେ ବିବି ରଥଙ୍କ ନେତୃତ୍ୱରେ ଫରେନସିକ ଦଳର ଏକ ୫ଜଣିଆ ପ୍ରତିନିଧି ଜଙ୍ଗମସାହିସ୍ଥିତ ଅନଙ୍ଗଙ୍କ ବାସଭବନକୁ ଯାଇଥିଲେ । ଇତିମଧ୍ୟରେ ପାରାଳା ଗଣଆତ୍ମହତ୍ୟାକୁ ପାଖାପାଖି ୬ ମାସ ବିତିଯାଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଶୀତଳଭଣ୍ଡାରକୁ ଚାଲିଯାଇଥିବା ମୃତା ଅନଙ୍ଗ ମଞ୍ଜରୀଙ୍କ ଭାଇ, ଦୁଇ ଭଉଣୀ ଓ ଭିଣୋଇ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here