ଅମର ରାଜ୍ୟସଭା, ଅରୁପ ଲଢ଼ିବେ ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ନିର୍ବାଚନରେ ହାଇଟେକ ପଦ୍ଧତି ଅବଲମ୍ବନ କରିବା ଏବଂ ନୂଆ ଢ଼ାଞ୍ଚାରେ ନିର୍ବାଚନ ପରିଚାଳନା କରି ପୁଣି ୫ମ ଥର ପାଇଁ କ୍ଷମତାକୁ ଫେରିବା ନେଇ ବିଜେଡି ତାର ରଣକୌଶଳ ଚଳାଇଛି । ଏଥିପାଇଁ କିଛି ବ୍ୟୁରୋକ୍ରାଟଙ୍କୁ ଆଣି ଦଳରେ ସାମିଲ କରିଛି । ସେମାନଙ୍କୁ ଦଳର ବିଭିନ୍ନ ଦାୟିତ୍ୱରେ ରଖାଯାଇଛି । ଏମାନଙ୍କ ମଧ୍ୟରେ ଆଲାଏଡ ଚାକିରିଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ଏଜି ଅମର ପଟ୍ଟନାୟକ ଏବଂ ପୂର୍ବତନ ବମ୍ବେ ପୁଲିସ କମିଶନର ଆଇପିଏସ ଅଫିସର ଅରୁପ ପଟ୍ଟନାୟକଙ୍କୁ ପୁରା ରାଜନୈତିକ କାର୍ଯ୍ୟରେ ଲଗାଯାଇଛି । ଏମାନଙ୍କୁ ବିଭିନ୍ନ ଦାୟିତ୍ୱ ମଧ୍ୟ ଦଳ ପକ୍ଷରୁ ଦିଆଯାଇଛି । ଏହି ଅଧିକାରୀମାନେ ନିର୍ବାଚନ ପାଇଁ ଦଳ ଲାଗି ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଅମର ଓ ଅରୁପଙ୍କୁ ନେଇ ଦଳ ଭିତରେ ବେଶ ଆଲୋଚନା ଚାଲିଛି । ଜଣେ ରାଜ୍ୟସଭା ଓ ଆଉ ଜଣେ ପ୍ରତ୍ୟେକ୍ଷ ନିର୍ବାଚନ ରାଜନୀତିକୁ ଆସି ଲୋକସଭା କିମ୍ବା ବିଧାନସଭା ଆସନରୁ ପ୍ରାର୍ଥୀ ହେବେ । ଏଥିରେ କୁହାଯାଉଛି ଅମର ରାଜ୍ୟସଭାକୁ ଯିବେ ଓ ଅରୁପ ଆସନ୍ତା ନିର୍ବାଚନ ଲଢ଼ିବେ । ଏଥିନେଇ ଦଳ ପକ୍ଷରୁ ମଧ୍ୟ ଏକ ପ୍ରକାର ସୂଚନା ଦିଆଗଲାଣି । ଯାହାକୁ ନେଇ ଏବେ ଆଲୋଚନା ଚାଲିଛି ।
ଦଳରେ ଯୋଗଦେବା ପୂର୍ବରୁ ଏହି ପୂର୍ବତନ ଅଫିସରମାନଙ୍କ ସହ ଯାହା ଚୁକ୍ତି ହୋଇଥିଲା ସେହି ଅନୁସାରେ ବର୍ତ୍ତମାନ କାର୍ଯ୍ୟ ଚାଲିଥିବା କଥା କୁହାଯାଉଛି । ଦଳର ଆଇଟି ହେଡ ହିସାବରେ ଅମରଙ୍କୁ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ପ୍ରତ୍ୟେକ୍ଷ ରାଜନୀତିକୁ ଆଣିବା ପାଇଁ ଦଳ ଚାହୁଁନାହିଁ କିମ୍ବା ସେ ମଧ୍ୟ ଆଗ୍ରହୀ ନୁହଁନ୍ତି । ତାଙ୍କ ଲକ୍ଷ୍ୟ ଦଳ ପାଇଁ ଏବେ କାର୍ଯ୍ୟ କରିବେ । ଦଳ କ୍ଷମତାକୁ ଆସିଲେ ରାଜ୍ୟସଭାକୁ ଯିବେ । ଯେତେବେଳେ ବି ରାଜ୍ୟସଭାରେ ଆସନ ଖାଲି ହୁଏ ସେତେବେଳେ ଗଣମାଧ୍ୟମରେ ଅମରଙ୍କ ନାଁ ଚର୍ଚ୍ଚାକୁ ଆସିଥାଏ । ଅମର ଯେ ରାଜ୍ୟସଭା ଲକ୍ଷ୍ୟରେ ଆସିଛନ୍ତି ଏକଥା ଆଉ କାହାରିକୁ ଅଛପା ହୋଇ ରହିନାହିଁ । କେବଳ ଏଥିପାଇଁ ହିଁ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ଦଳରେ ଯୋଗଦେବା ପରେ ଆଉ ତାଙ୍କୁ କେହି ବାହାର ବ୍ୟକ୍ତି ବୋଲି କହିପାରିବେ ନାହିଁ । ଏଥର ନିର୍ବାଚନରେ ରାଜ୍ୟସଭାକୁ ଯାଇଥିବା କିଛି ନେତାଙ୍କୁ ଇସ୍ତଫା ଦେଇ ପ୍ରାର୍ଥୀ କରାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତାଙ୍କ ସ୍ଥାନରେ ଅମରଙ୍କୁ ପଠାଇବେ । ଗତ ନିର୍ବାଚନରେ ବି ଶଶିଭୂଷଣ ବେହେରା ଓ ରବୀନାରାୟଣ ମହାପାତ୍ର ରାଜ୍ୟସଭା ସଦସ୍ୟରୁ ଇସ୍ତଫା ଦେଇ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ଏଥର ମଧ୍ୟ କିଛି ରାଜ୍ୟସଭା ସଦସ୍ୟ ପୁଣି ନିର୍ବାଚନ ମଇଦାନକୁ ଫେରିବେ । କେହି ନ ହେଲେବି କୁହାଯାଉଛି ରାଜ୍ୟସଭା ସଦସ୍ୟ ପ୍ରତାପକେଶରୀ ଦେବଙ୍କୁ ଆଣି କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ କରାଯିବ । ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏହି ତାଲିକାରେ ଥିବା କଥା କୁହାଯାଉଛି ।
ଅମର ରାଜ୍ୟସଭାକୁ ଯିବାକୁ ଥିବାରୁ ତାଙ୍କୁ ଆଉ ଫିଲ୍ଡକୁ ଛଡ଼ାଯାଉନି । ଦଳୀୟ କାମରେ ସେ ଲାଗିଛନ୍ତି । ଦଳର ଆଟି ସେଲ ଦାୟିତ୍ୱରେ ରହି ସୋଶାଲ ମଡ଼ିଆ କଥା ବୁଝୁଛନ୍ତି । ଏପରି କି ଦଳର ପ୍ରାର୍ଥୀ ତାଲିକା ପ୍ରସ୍ତୁତି କ୍ଷେତ୍ରରେ ଦାୟିତ୍ୱରେ ରହିଥିବା କଥା ମଧ୍ୟ ଆଲୋଚନା ହେଉଛି । ସେ ଏବେ ଏକ ପ୍ରକାର ମୁଖ୍ୟ ଭୂମିକାରେ ରହିଛନ୍ତି ।
କିନ୍ତୁ ଅରୁପ ପଟ୍ଟନାୟକ ଆସନ୍ତା ନିର୍ବାଚନରେ ଲଢ଼ିବେ । ତାଙ୍କୁ ବିଜୁ ଯୁବ ବାହିନୀର ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁଠି ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମ ଚାଲିଛି ସେଠାକୁ ସାଥୀରେ ନେଉଛନ୍ତି । ରାଜନେତାଙ୍କ ଭଳି ସେ ମଧ୍ୟ ସମାବେଶକୁ ଉଦବୋଧନ ଦେଉଛନ୍ତି । ତାଙ୍କୁ ଦଳ ନିର୍ବାଚନରେ ପ୍ରାର୍ଥୀ କରିବା ଲକ୍ଷ୍ୟ ରଖି ଫିଲ୍ଡକୁ ଆଣି ପ୍ରଚାର କାର୍ଯ୍ୟରେ ଲଗାଇଛନ୍ତି । ଏଥିରୁ ଜଣାପଡୁଛି ସେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି । କୁହାଯାଉଛି ଭୁବନେଶ୍ୱର ଲୋକସଭା ଆସନରେ ତାଙ୍କୁ ପ୍ରାର୍ଥୀ କରାଯିବ । ନ ହେଲେ କୌଣସି ବିଧାନସଭା ଆସନରୁ ମଧ୍ୟ ସେ ପ୍ରାର୍ଥୀ ହେବେ । ଏକଥା ଏବେ ଦଳୀୟ ମହଲରେ ଜୋରଦାର ଆଲୋଚନା ଚାଲିଛି ।

ଖୁବଶୀଘ୍ର ରାଜନୀତିର “ହାତ” ଧରିବେ ଭିମସାର ପୂର୍ବତନ ନିର୍ଦ୍ଦୋକ ପୁଜାହରୀ