You are here
Home > ପଲିଟିକ୍ସ > ରାହୁଲଙ୍କ ମନ୍ତ୍ର : ଅଫିସ ଛାଡ ଲୋକଙ୍କ ପାଖୁ ଯାଅ,ପ୍ରତିମାସ ୧୦ ସୁଦ୍ଦା କାର୍ଯ୍ୟକ୍ରମ ସଂପର୍କରେ ଏଆଇସିସିକୁ ରିପୋର୍ଟ ଦିଅ

ରାହୁଲଙ୍କ ମନ୍ତ୍ର : ଅଫିସ ଛାଡ ଲୋକଙ୍କ ପାଖୁ ଯାଅ,ପ୍ରତିମାସ ୧୦ ସୁଦ୍ଦା କାର୍ଯ୍ୟକ୍ରମ ସଂପର୍କରେ ଏଆଇସିସିକୁ ରିପୋର୍ଟ ଦିଅ

ଭୁବନେଶ୍ୱର : ରାହୁଲ ଗାନ୍ଧି କଂଗ୍ରେସ ଦାୟିତ୍ୱ ନେବାପରେ ଦଳର ସାଙ୍ଗଠନିକ ପ୍ରକ୍ରିୟାରେ ବିଭିନ୍ନ ପରିବର୍ତ୍ତନ ଆଣୁଛନ୍ତି । ଏହି କ୍ରମରେ ଦଳର ପଦାଧିକାରୀ ଏବଂ ପିସିସି ସଭାପତିମାନଙ୍କୁ କଂଗ୍ରେସ ମୁଖ୍ୟାଳୟରେ ବସିବା ଅପେକ୍ଷା ସିଧାସଳଖ ଲୋକଙ୍କ ସହିତ ଯୋଡ଼ିହେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଲାଗାତାର ଭାବରେ ସେ ବିଭିନ୍ନ ରାଜ୍ୟର ସାଙ୍ଗଠନିକ ସ୍ଥିତିକୁ ନେଇ ସମୀକ୍ଷା ମଧ୍ୟ କରୁଛନ୍ତି । ତଦନୁସାରେ ଚଳିତ ମାସ ତୃତୀୟ ସପ୍ତାହରେ ସବୁ ରାଜ୍ୟର ପିସିସି ସଭାପତି, ପ୍ରଭାରୀ ଓ ଦଳର ସାଧାରଣ ସମ୍ପାଦକ ଏବଂ ସମ୍ପାଦକମାନଙ୍କୁ ରାହୁଲ ଭେଟିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏନେଇ ଚିଠି ମାଧ୍ୟମରେ ଏଆଇସିସି ସାଧାରଣ ସମ୍ପାଦକ ଅଶୋକ ଗେହଲଟ୍ ସମସ୍ତଙ୍କୁ ଜଣାଇଛନ୍ତି । ଏହା ସହିତ ପିସିସି ସଭାପତି ଓ ଅନ୍ୟ ପଦାଧିକାରୀମାନେ ପ୍ରତିମାସ ୧୦ ତାରିଖ ସୁଦ୍ଧା ଦଳ ପକ୍ଷରୁ କ’ଣସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଆଗକୁ କ’ଣ କରାଯିବ ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି । ପ୍ରାଥମିକ ଭାବରେ ପିସିସି ସଭାପତି ନିଜେ ଏହି ରିପୋର୍ଟ ଲେଖି ଏଆଇସିସିକୁ ପଠାଇବାକୁ କୁହାଯାଇଛି । ପରବର୍ତ୍ତୀ ସମୟରେ ଏନେଇ ପ୍ରୋଫର୍ମା ମାଧ୍ୟମରେ ଏହି ରିପୋର୍ଟ ପଠାଯିବ । ରିପୋର୍ଟ ମିଳିବା ପରେ ୧୫ ତାରିଖ ସୁଦ୍ଧା ଏହା ରାହୁଲଙ୍କ କାର୍ଯ୍ୟାଳୟକୁ ପଠାଯିବ । ନିଜେ କଂଗ୍ରେସ ଅଧ୍ୟକ୍ଷ ଏହାର ଅନୁଧ୍ୟାନ କରି ଦଳ ସମ୍ପର୍କରେ ପରବର୍ତ୍ତୀ ଋଣନୀତି ସ୍ଥିର କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଏଆଇସିସିରୁ ଏଭଳି ଚିଠି ଆସିବା ପରେ ପିସିସିରେ ଭାଲେଣି ପଡ଼ିଛି । ପୂର୍ବରୁ କେତେକ କଂଗ୍ରେସ ନେତା କେବଳ ପଦପଦବୀ ମାଡିବସି ଭୁବନେଶ୍ୱର ଛାଡ଼ୁନଥିବା ବେଳେ ଏବେ ସେମାନଙ୍କୁ ତୃଣମୂଳ ସ୍ତରକୁ ଯିବାକୁ ପଡ଼ିବ ବୋଲି ଆଲୋଚନା ହେଉଛି । ଏହା ବାଦ୍ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଓଡ଼ିଶା ବିଷୟରେ ମଧ୍ୟ ଆଲୋଚନା ହେବାକୁ ଥିବା ବେଳେ ରାଜ୍ୟ କଂଗ୍ରେସ ନେତାମାନେ ଦଳର ସ୍ଥିତିନେଇ ହାଇକମାଣ୍ଡଙ୍କୁ କଣ ଅବଗତ କରାଇବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି । ନୂତନ ପିସିସି ସଭାପତି ଭାବରେ ନିରଞ୍ଜନ ପଟ୍ଟ ନାୟକଙ୍କୁ ନିଯୁକ୍ତି ଦିଆଯାଇଥିଲେ ସୁଦ୍ଧା ଦଳରୁ ନେତାମାନଙ୍କ ପଳାୟନ ଥମିବାର ନାଁ ନେଉ ନାହିଁ । ଆଜି ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ କଂଗ୍ରେସରୁ ଇସ୍ତଫା ଘୋଷଣା କରିଛନ୍ତି । ସେ ଆସନ୍ତା ୧୩ ତାରିଖରେ ନିଜ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହେବେ ବୋଲି କହିଛନ୍ତି । ଅପରପକ୍ଷରେ ଘୋଷଣା ମୁତାବକ ନିରଞ୍ଜନ ନୂତନ ଜିଲ୍ଲା କଂଗ୍ରେସ କମିଟି ଏବଂ ପିସିସି ଗଠନ କରିନାହାନ୍ତି । ଏନେଇ କେତେକ ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରଭାରୀ ନିଯୁକ୍ତି କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇ ନାହିଁ । ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ଆସନ୍ତା ୧୫ ତାରିଖରେ ଏଆଇସିସି ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡ଼ିଶା ଆସିବେ । ଦଳୀୟ ସଙ୍ଗଠନ ବିଷୟରେ ସେ ରାଜ୍ୟ କଂଗ୍ରେସ ନେତାଙ୍କ ସହିତ ଆଲୋଚନା କରିବେ । ରାହୁଲ ଗାନ୍ଧିଙ୍କ ବୈଠକରେ କ’ଣ କୁହାଯିବ ସେନେଇ ପିସିସି ନେତାଙ୍କୁ ଗୁରୁମନ୍ତ୍ର ଦେବେ ।

Loading...
ONA

Leave a Reply

Top