ନିରଂଜନଙ୍କୁ ପୁଣି ବାଣ ମାରିଛନ୍ତି ସଗରିଆ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ପୁଣି ଏକ ବାଣ ମାରିଛନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ବିଧାୟକ ଦଳକୁ ଭାଙ୍ଗିବା ପାଇଁ ଉଦ୍ୟମ କରି ଲକ୍ଷ୍ୟ ହାସଲ କରିବାରେ ଫେଲ ମାରିବା ପରେ ଏବେ ନୂଆ ଚାଲ ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଜାତି କାର୍ଡ ସେ ଖେଳିଛନ୍ତି । ଅବଶ୍ୟ ଦଳ ଭିତରେ କୁହାଯାଉଛି ସଗରିଆଙ୍କ ଏହି ଦୁଷ୍ଟ ବୁଦ୍ଧି ପଛରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ହାତ ରହିଛି । ସେ ଯାହା କହୁଛନ୍ତି ଏବଂ ଯେଉଁଭଳି ଭାବରେ ଲେଖିକି ଦେଉଛନ୍ତି ତାକୁ ହିଁ କେବଳ ସଗରିଆ ପ୍ରକାଶ କରୁଛନ୍ତି । ନିରଂଜନଙ୍କ ଉପରେ ସଗରିଆ କ୍ଷୁବ୍ଧ ଥିବାରୁ ଏହାର ଫାଇଦା ବା ସୁଯୋଗ ନେବାରେ ଲାଗିଛନ୍ତି ଶ୍ରୀକାନ୍ତ ବୋଲି ଆଲୋଚନା ହେଉଛି । ହେଲେ ଦଳ ଭିତରେ ଥାଇ ଗୋଟିଏ ପରେ ଗୋଟିଏ ବିଶୃଙ୍ଖଳା କାର୍ଯ୍ୟ ସଗରିଆ କରି ଚାଲିଥିବାରୁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ସଗରିଆ ଜଣେ ପୂର୍ବତନ ବିଧାୟକ ହେଇଥିବାରୁ ସେ ନ ଚାହୁଁଥିଲେ ତାଙ୍କୁ କେହି ବାଧ୍ୟ କରି ଏପରି ମତାମତ ରଖିବା ସମ୍ଭବ ହୋଇ ନ ପାରେ ।
ବର୍ତ୍ତମାନ କଂଗ୍ରେସ ପକ୍ଷରୁ ଜନଜାଗରଣ ଅଭିଯାନ କରାଯାଇ ଲୋକଙ୍କ ନିକଟତର ହେବାକୁ ଓ ଲୋକଙ୍କ ମନରେ କଂଗ୍ରେସ ଏକ ବୋଲି ବଶ୍ୱାସ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଅଭିଯାନ ପରେ ୧୪ରୁ ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ଲୋକଙ୍କ ମନରେ ଯେପରି ନେତୃତ୍ୱକୁ ନେଇ ଦ୍ୱନ୍ଦ୍ୱ ନ ରହିବ ସେଥିପାଇଁ କ୍ଷମତାକୁ ଆସିଲେ ନିରଂଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ବାର୍ତା ଦିଆଯାଉଛି । ପ୍ରଥମ ପର୍ଯ୍ୟାୟ ଅଭିଯାନ ବାଲେଶ୍ୱରରେ ଚାଲିଥିଲା ବେଳେ ଏ ବିଷୟ ପଦାକୁ ଆସିଥିଲା । ବିଧାୟକ ଚିରଂଜୀବୀ ବିଶ୍ୱାଳ ଓ ନିଜେ ଶ୍ରୀକାନ୍ତ ଜେନା ସାଧାରଣ ସଭାରେ ହିଁ ନିରଂଜନ ମୁଖ୍ରମନ୍ତ୍ରୀ ହେବେ ବୋଲି ଖୋଲାଖୋଲି କହିଥିଲେ । ଏହାକୁ ନେଇ କଂଗ୍ରେସ ଭିତରେ ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ମଧ୍ୟ ହୋଇଛି । ଏକଥା ଜାଣି ମଧ୍ୟ ସଗରିଆ ଦାବି କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦରୁ ଏସ୍ସି, ଏସ୍ଟି ଓ ଓବିସିଙ୍କ ପାଇଁ ସଂରକ୍ଷିତ ରଖାଯାଉ । ସାମ୍ବାଦିକ ସମ୍ମିଳନୀ କରି ସେ ଯୁକ୍ତି ଦର୍ଶାଇଛନ୍ତି ଯେ, ରାଜ୍ୟରେ ମାତ୍ର ୬ ପ୍ରତିଶତ ଲୋକ ହେଉଛନ୍ତି ସାଧାରଣବର୍ଗର । ହେଲେ ଏହି ୬ ପ୍ରତିଶତ ଲୋକ ସମସ୍ତ ରାଜନୈତିକ କ୍ଷମତା ଉପଭୋଗ କରୁଛନ୍ତି । ସାଧାରଣବର୍ଗର ୯୦ ପ୍ରତିଶତ ଲୋକ ଅର୍ଥନୈତିକ କ୍ଷମତାର ଅଧିକାରୀ ହୋଇଥିଲା ବେଳେ ୯୦ ପ୍ରତିଶତ ପ୍ରଶାସନିକ ପଦବୀରେ ଅଛନ୍ତି । ସମାଜର ସବୁ କ୍ଷେତ୍ରରେ ଏମାନଙ୍କର ବ୍ୟାପକ ପ୍ରଭାବ ରହିଛି । କିନ୍ତୁ ୫୨ ପ୍ରତିଶତ ପଛୁଆବର୍ଗ , ୨୨.୮୫ ପ୍ରତିଶତ ଆଦିବାସୀ, ୧୬.୦୫ ପ୍ରତିଶତ ଦଳିତ ଓ ୨.୫ ପ୍ରତିଶତ ଲକ୍ଷାଲଘୁ ଥିଲେ ମଧ୍ୟ୍ ସେମାନଙ୍କୁ ଶାସନ କ୍ଷମତାରୁ ଦୂରେଇ ରଖାଯାଇଛି । ଏଣୁ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ଭୋର୍ଟର ଅଧିକ ଥିବାରୁ ସେମାନଙ୍କ ପାଇଁ ମୁଖ୍ରମନ୍ତ୍ରୀ ପଦବୀ ଅତି କମରେ ୧୦ ବର୍ଷ ପାଇଁ ସଂରକ୍ଷିତ ରଖାଯାଉ ବୋଲି କହିଥିଲେ ।
ପୂର୍ବରୁ ଯେତେବେଳେ ନିରଂଜନ ପଟ୍ଟନାୟକ ସଭାପତି ହୋଇ ଆସିଲେ ତାର ଅଳ୍ପ ଦିନ ଭିତରେ ଶ୍ରୀକାନ୍ତ ଜେନା ଏକ ପ୍ରେସ୍ ଇସ୍ତାହାର ଦେଇ ମୁଖ୍ୟମନ୍ତ୍ରୀ ପଦବୀ ଅନୁସୂଜିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିବା କଥା କହିଥିଲେ । ଏ ନେଇ ସେ ଜାରି କରିଥିବା ପ୍ରେସ ଇସ୍ତାହାରକୁ ଭିତ୍ତିକରି ତାଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିଥିଲା । ଏକଥା ଏଆଇସିସି ପର୍ଯ୍ୟନ୍ତ ଯାଇଥିଲା । ପରେ ଶ୍ରୀକାନ୍ତ ଏଥିରୁ ନିରବ ରହିଥିଲେ ବୋଲି କୁହାଯାଏ । ଏବେ ଏହି କଥା ସଗରିଆ କହିବା ରହସ୍ୟ ବୁଝାପଡିଯାଉଛି । ହେଲେ ଏଭଳି ଏକ ଦାବି ସଗରିଆ କରିବା ଅର୍ଥ ନିରଂଜନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବା ସହ ସମାନ । କାରଣ ଦଳ ଭିତରେ ତାଙ୍କ ନାଁ ଆସିବା ପରେ ସଗରିଆ ଏଭଳି ଦାବି ଉଠାଇଛନ୍ତି । କଂଗ୍ରେସ ଦଳିତ ସେଲ୍ର ଅଧ୍ୟକ୍ଷ ପଦରୁ ସଗରିଆ ହଟିବା ପରେ ସେ ଅସନ୍ତୋଷ ହୋଇଛନ୍ତି । ପଦବୀ ଯିବା ପରେ ସେ ସିଧାସଳଖ ନିରଂଜନଙ୍କୁ ଅଡୁଆରେ ପକାଇବା ପାଇଁ ବିଭିନ୍ନ ମତ ରଖୁଛନ୍ତି ଓ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରିବାରେ ଲାଗିଛନ୍ତି ।
ଏପରି କି ଦଳକୁ ମିଳିଥିବା ବିରୋଧୀ ଦଳ ମାନ୍ୟତାକୁ ଭାଙ୍ଗିବା ପାଇଁ ମଧ୍ୟ ସେ ଉଦ୍ୟମ କରିଥିଲେ । ସଗରିଆ ଭଲଭାବେ ଜାଣନ୍ତି ତାଙ୍କୁ ମିଶାଇ କଂଗ୍ରେସରେ ୧୫ ଜଣ ବିଧାୟକ ଅଛନ୍ତି । ସେ ବିଧାୟକ ପଦରୁ ଇସ୍ତଫା ଦେଲେ ସଂଖ୍ୟା ୧୪କୁ ଆସିବ ଓ ଆବଶ୍ୟକ ସଂଖ୍ୟା ନ ଥିବାରୁ କଂଗ୍ରେସକୁ ଆଉ ବିରୋଧୀ ଦଳ ମାନ୍ୟତା ମିଳିବ ନାହିଁ । ଏକଥା ଜାଣି ପୁରୁଣା ଘଟଣାକୁ କେନ୍ଦ୍ର କରି ନୈତିକତା ଦେଖାଇ ବିଧାୟକ ପଦରୁ ଇସ୍ତଫା ଦେଲେ । କିନ୍ତୁ ସେ ଜାଣି ନ ଥିଲେ ତାଙ୍କର ଏ ଉଦ୍ୟମ ଫସର ଫାଟିବ । କାରଣ କଂଗ୍ରେସରେ ସମତାକ୍ରାନ୍ତିର ବିଧାୟକ ଜର୍ଜ ତିର୍କୀ ସାମିଲ ହୋଇ ସାରିଥିଲେ । ଏଣୁ ସଗରିଆ ଗଲେ ମଧ୍ୟ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୫ରେ ରହିବ । ଶେଷରେ ତାହାଁ ହିଁ ହେଲା । ଚକ୍ରାନ୍ତରେ ପଡ଼ି କେବଳ ସଗରିଆ ବିଧାୟକ ପଦ ହରାଇଲେ । ଦଳ ବିରୋଧରେ ଏଭଳି ଷଡ଼ଯନ୍ତ୍ର କରିବା ସହ ବିଶୃଙ୍ଖଳା ସୃଷ୍ଟି କରିଥିଲେ ମଧ୍ୟ ପିସିସି ଓ ଏଆଇସିସି ନୀରବ ରହିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here