ସରକାରଙ୍କୁ ପାଷାଣ୍ଡ କହିଲେ ଦାମ

ଭୁନନେଶ୍ୱର: ବିଜେଡିରୁ ବିହିଷ୍କୃତ ହେବା ପରେ ଡାକ୍ତର ଦାମୋଦର ରାଉତ ତାଙ୍କର ଲୋକପ୍ରିୟତା ପ୍ରମାଣ କରିବା ପାଇଁ ଏପର୍ଯ୍ୟନ୍ତ ତାଙ୍କ ନିର୍ବାଚନମଣ୍ଡଳୀରୁ ଘୋଷଣା ଅନୁସାରେ ସମର୍ଥକଙ୍କ ସମାବେଶ କରିପାରିଲେ ନାହିଁ । କିନ୍ତୁ ଡାକ୍ତର ରାଉତଙ୍କ ଗଡ଼ରେ ବିଜେଡି ଡାକ୍ତର ରାଉତଙ୍କ ପରେ ଲୋକପ୍ରିୟତା ବଜାଇ ରଖିଥିବା କଥାର ପ୍ରମାଣ ପାଇ ଆଜି ମହିଳା ସମାବେଶର ଆୟୋଜନ କରିଛି । ଏହି ସମାବେଶକୁ ନେଇ ଡାକ୍ତର ରାଉତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଏଥିରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଏବେ କେବଳ ନବୀନଙ୍କୁ ହିଁ ପ୍ରତି କଥାରେ ବିବାଦ ଘେରକୁ ଆଣି କଟୁ ମନ୍ତବ୍ୟ ଦେଉଥିବା ଦେଖାଯାଉଛି । ଡାକ୍ତର ରାଉତଙ୍କ ନିଜ ଗଡ଼ କୁଜଙ୍ଗରେ ବିଜେଡିର ମହିଳା ସମାବେଶ ଘଟଣାକୁ ସେ ସହଜରେ ଗ୍ରହଣ କରିପାରି ନାହାଁନ୍ତି । ଏଣୁ ନବୀନଙ୍କ ସ୍ୱଚ୍ଛତା ବିଷୟରେ ପ୍ରଶ୍ନ ଉଠାଇବା ସହ ବିଭିନ୍ନ ନାରୀ ନିର୍ଯାତନା ଓ ଦୁଷ୍କର୍ମ କଥା କହିଛନ୍ତି । ନବୀନଙ୍କ ଦକ୍ଷତା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ୨୦ ବର୍ଷ ଶାସନ ପରେ ବି ନବୀନ ତାଙ୍କଠୁ ଅଧିକ ଲୋକପ୍ରିୟ ନୁହଁନ୍ତି ଏକଥା ଦର୍ଶାଇବା ପାଇଁ ଡାକ୍ତର ରାଉତ କହିଛନ୍ତି ମହିଳା ସମାବେଶ ଲାଗି ଅନ୍ୟ ଅଂଚଳରୁ ମହିଳାମାନଙ୍କୁ ଅଫିସରମାନଙ୍କ ମାଧ୍ୟମରେ ଅଣାଯାଉଛି । ଏହା ପୂର୍ବରୁ ସେ ନବୀନଙ୍କୁ ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଏକ ସର୍ଭେରେ ପ୍ରତିପାଦିତ କିରବା ପରେ ଏହାକୁ ନେଇ ଡାକ୍ତର ରାଉତ ସମାଲୋଚନା କରିଥିଲେ । ଏବେ ପୁଣି ତାଙ୍କ ଦକ୍ଷତା କଥା ଉଠାଇଛନ୍ତି ଓ ସରକାରକୁ ପାଷାଣ୍ଡ ବୋଲି ଆକ୍ଷେପ କରିଛନ୍ତି ।
ଡାକ୍ତର ରାଉତ ସମାଲୋଚନା କରି କହିଛନ୍ତି ୨୦ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେ କା ପୁରୁଷ ତାହା ସେ ପ୍ରମାଣ କରିଦେଲେ । ଗୋଟିଏ ବ୍ଲକ୍ରେ ମହିଳା ସମ୍ମିଳନୀ କରିବା ପାଇଁ ସେଠିକି ଖାଲି ମନ୍ତ୍ରୀ ପଠାଇ ନାହାଁନ୍ତି ତଥାପି ସନ୍ଦେହ ରହିଛି କାଳେ ଲୋକ ନ ହେବେ ସେଥିପାଇଁ ମହାକାଳପଡା, ପାଟକୁରା, ଜଗତସିଂହପୁରକୁ ଗାଡ଼ି ପଠାଇଛନ୍ତି । ଅଙ୍ଗନୱାଡି ସୁପରଭାଇଜରଙ୍କୁ କହିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯେତେସବୁ ଆସିବେ । ସବୁହେଲା ପରେ ବି ନଅଂଟ ହେବାରୁ ବାହାରୁ ମହିଳାଙ୍କୁ ଆଣିଛନ୍ତି । ସେଥିରୁ ସେ ଜାଣିଲେ ଓ ଦୁନୀଆ ଜାଣିଲା ପ୍ରକୃତରେ ଦାମ ରାଉତ କେତେ ପାୱାରଫୁଲ । ଆଉ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ କେତେବଡ଼ କାପୁରୁଷ ଏଥିରୁ ଜଣାପଡୁଛି ବୋଲି ସେ ଉଲ୍ଲେଖ କରିଥିଲେ ।
ସେ ଅଭିଯୋଗ କରିଛନ୍ତି ଏହି ସମାବେଶ ଲାଗି ସିଡିପିଓମାନଙ୍କୁ ମହିଳା ଶିଶୁ ବିକାଶ ମନ୍ତ୍ରୀ ଭାବରେ ପ୍ରଫୁଲ୍ଲ ସାମଲ ଟେଲିଫୋନ କରି କହିଛନ୍ତି । ବିଭାଗୀୟମନ୍ତ୍ରୀ ଭାବେ ଏଭଳି ଦଳୀୟ କାର୍ଯ୍ୟକ୍ରମରେ ଅଫିସରମାନଙ୍କୁ ଲୋକ ଆଣିବା ପାଇଁ କହିବା ନିନ୍ଦନିୟ ବୋଲି କହିବା ସହ ମନ୍ତ୍ରୀ ଶ୍ରୀ ସାମଲଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ମନ୍ତ୍ରୀଙ୍କର ଏକ କଇଂଜିନିୟରିଂ କଲେଜ ଭଦ୍ରକ ଜିଲ୍ଲାରେ ଅଛି । ଏହି କଲେଜ କଥା ଉଠାଇ ଡାକ୍ତର ରାଉତ କହିଛନ୍ତି କଲେଜରୁ ଅର୍ଥ ନେଇ ମନ୍ତ୍ରୀ ଶ୍ରୀ ସାମଲଙ୍କ ପୁଅ ଗାଡ଼ି ଚଢ଼ୁଛି । ଏଥିସହ ବିଜେଡି ସରକାରଙ୍କ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ନେଇ ସେ ଏଥର ବିଭିନ୍ନ ନିର୍ବାଚନମଣ୍ଡଳୀକୁ ଯାଇ କହିବେ ବୋଲି କହିଛନ୍ତି ।
କୁନ୍ଦୁଲିରେ ଗଣ ଦୁଷ୍ମର୍ମ ହୋଇଛି । ଏକଥା ମୁଁ କହୁନି ମୋ ବାପା ସ୍ୱର୍ଗରେ ଅଛନ୍ତି ତାଙ୍କୁ ପଚାରିଲେ ବି ସେ କହିବେ ଦୁଷ୍ମର୍ମ ହୋଇଛି ବୋଲି । ଏହାକୁ ଘଣ୍ଟ ଘଉଡ଼ାଇବା ପାଇଁ ସରକାର କଣ ନ କରିଛନ୍ତି । ଏଭଳି ପାଷାଣ୍ଡ ମନବୃତ୍ତିରେ ସରକାର କଣ କାମକରେ । ଗୋଟିଏ ଅଂଚନା ଧର୍ଷଣ ହୋଇଥିଲା ବେଲେି ଗୋଟିଏ ସରକାରକୁ ବଦଳାଇ ଦେଇଥିଲୁ । ପ୍ରତି ଦିନ ଏକଥା ଚାଲିଛି । ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି ।
ଡାକ୍ତର ରାଉତ କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମାଣ କରିସାରିଛନ୍ତି ସ୍ଥିତି ରକ୍ଷା ପାଇଁ ନୀତି ବଦଳାଇବା ହେଉଛି ତାଙ୍କ କାମ । ଆଉ ତାଙ୍କ ମନ୍ତ୍ରୀମାନେ ଯେତେବେଳେ ଲେଖିକି ଦେଇଛନ୍ତି ବିଧାନସଭାରେ ଏଠି ଏତେଟଙ୍କା ଖାଇଯାଇଛନ୍ତି, ଦୁର୍ନୀତି ହୋଇଛି ସିଏ ତାକୁ କହୁଛନ୍ତି ହାସ୍ୟାସ୍ପଦ । ଦୁର୍ନୀତିକୁ ସେ ନୀତି କରିସାରିଛନ୍ତି । ସେଥିପାଇଁ ମୁଁ କେଉଁଠି କଣ ବ୍ରାହ୍ମଣକୁ କହିଛି ମୁଁ ଜାଣିନି ମୋତେ ରାତି ଅଧରେ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଗଲା । ସିସୋର ଚିଟ୍ଫଣ୍ଡର ଏସ୍ଟିଭି ଉଦଘାଟନ ହେଲା । କିଏ କରିଥିଲେ? ମୁଖ୍ୟମନ୍ତ୍ରୀ କରି ନ ଥିଲେ? ସୂର୍ଯ୍ୟାଂଶ ହୋଟେଲର ମାଲିକ ଯିଏ ହଜାର ହଜାର କୋଟି ଟଙ୍କା ଖାଇଯାଇଛନ୍ତି ସିଏ ଜେଲ୍କୁ ଯାଇ ଆସିଲା ପରେ ତା’ର ସୂର୍ଯ୍ୟାଂଶ ହୋଟେଲକୁ ଯାଇ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରି ନ ଥିଲେ? ପୁଣି ବ୍ଲକ୍ରୋଜ କଥା ମଧ୍ୟ ଉଠାଇ ତାତ୍ସଲ୍ୟ କରି କହିଲେ ଆମ ମୁଖ୍ୟମନ୍ତ୍ରୀଠାରୁ ସ୍ୱଚ୍ଛ ଆଉ କେହି ନାହାଁନ୍ତି ।