ନୂଆ ଦଳର ନାଁ କହିଲେ ଓ ବିଜେଡିକୁ ଚ୍ୟାଲେଞ୍ଜ ଦେଲେ ଦାମ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ନୂଆ ଦଳ ଗଠନ ନେଇ ସୂଚନା ଦେବା ପରେ ଆଜି ଡା. ଦାମୋଦର ରାଉତ ଆଜି ନୂଆ ଦଳର ନାଁ ଖୁଲାସା କରିଛନ୍ତି । ଏହାର ନାଁ “ବିଜୁ ସମତାକ୍ରାନ୍ତି ଦଳ” ରଖାଯିବ ବୋଲି କହିଛନ୍ତି । ଖୁବ୍ ଶୀଘ୍ର ସେମାନେ ମିଶି ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଏଥିସହ ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେଇ ତାଙ୍କୁ ଛାଡି ପାରାଦୀପରେ ଆଉ କାହାରିକୁ ବିଧାୟକ କରିପାରିବେ ନାହିଁ ବୋଲି କହିଛନ୍ତି । ପାରାଦୀପ ନିର୍ବାଚନମଣ୍ଡଳୀ ତାଙ୍କ ଗଡ । ଏଥିରେ ତାଙ୍କ ବିନା ଅନ୍ୟ କୌଣସି ଦଳ ଏଠି ତିଷ୍ଠି ପାରିବ ନାହିଁ । ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ଡା. ରାଉତ ।
ଦୁଇଦିନ ତଳେ ପାରାଦୀପ ସ୍ଥିତ ଆଇଓସିଏଲ ଆଗରେ ବିଜେଡି ପ କ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା । ଏଥିରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ପ୍ରତାପ ଜେନା ଏବଂ ସାଂସଦ ଡା. କୁଳମଣି ସାମଲ, ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଯୋଗଦେଇଥିଲେ । ଏମାନେ ସ୍ଥାନୀୟ ବିଧାୟକ ଡା. ରାଉତଙ୍କୁ କଡା ସମାଲୋଚନା କରିଥିଲେ ଏବଂ ଆଇଓସିଏଲରେ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ନ ମିଳିବା ମଧ୍ୟ ଦାୟୀ କରିଥିଲେ । ଏ ସମ୍ପର୍କରେ ପୂର୍ବରୁ ପ୍ରତିକ୍ରିୟା ଦେଇଥିଲେ ମଧ୍ୟ ଆଜି ନିଜ ନିର୍ବାଚନ ମଣ୍ଡଳୀକୁ ଯାଇଥିବା ସମୟରେ ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବା ବେଳେ ପୁଣି ବର୍ଷିଥିଲେ । ସେ ଶାସକ ଦଳକୁ ଚ୍ୟାଲେଞ୍ଜ ଦେଇ କହିଥିଲେ, ଏ ସମସ୍ତେ ମେଳି ବାନ୍ଧିଲେ ମୋ ପାଇଁ କିଛି ଫରକ ପଡିବନି । ଏଠି ଆଉ କାହାକୁ ବିଧାୟକ କରନ୍ତୁ ତ, ମୁଁ ଦେଖିବି । ପାରାଦୀପରେ ମୁଁ ଚୌକିଦାର ଅଛି, ରହିବି । ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଡା ସମାଲୋଚନା କରି ତାଙ୍କୁ ଜଣେ ନିମ୍ନ ମାନସିକତାର ଲୋକ ବୋଲି କହିଥିଲେ । ମନ୍ତ୍ରୀ ଶ୍ରୀ ଜେନା ନିଜ ନିର୍ବାଚନ ମଣ୍ଡଳିରେ ଲୋକଙ୍କ ଠାରୁ ମାଡ ଖାଇଥିବା ସେ କହିଥିଲେ । ଏଥିସହ ସାଂସଦ କୁଳମଣିଙ୍କୁ ସେ ରାଜନୀତିକୁ ଆଣିଥିବା ପ୍ରସଙ୍ଗରେ ମନ୍ତବ୍ୟ ଦେଇ କହିଥିଲେ, ଯେ ଗୁରୁଦ୍ରୋହୀ ହୁଅନ୍ତି, ସେ କଚଡା ଖାଆନ୍ତି ।
ଡା.ରାଉତ ଯେଉଁ ନୂଆ ଦଳ ଗଠନ କରିବା କଥା କହିଛନ୍ତି ସେଥିରୁ ସୂଚନା ମିଳୁଛି ି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ସମତାକ୍ରାନ୍ତି ଦଳ ସହ ମିଶି ସେମାନେ ନୂଆ ଦଳ ପରିକଳ୍ପନା କରିବାକୁ ଯାଉଛନ୍ତି । କାରଣ ସେ ନୂଆ ଦଳର ନାଁ ବିଜୁ ସମତାକ୍ରାନ୍ତି ଦଳ ରଖିବାକୁ ଯାଉଛନ୍ତି । ଶ୍ରୀ ତ୍ରିପାଠୀ ମଧ୍ୟ ଜଣେ ବିଜୁ ଅନୁଗତ ଓ ସେ ପୂର୍ବରୁ ବିଜେଡିରେ ଥିଲେ । ଡା. ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ଯେଉଁମାନେ ତାଙ୍କ ସହ ଯୋଗାଯୋଗ ରଖିବାକୁ ଆସିଥିଲେ ସେମାନଙ୍କ ମଧ୍ୟରେ ଶ୍ରୀ ତ୍ରିପାଠୀ ଅନ୍ତର୍ଭୁକ୍ତ । ଡା.ରାଉତଙ୍କର ପୂର୍ବରୁ “ବିଜୁ ବିଚାର ମଂଚ” ନାମରେ ଏକ ସଙ୍ଗଠନ ରହିଛି । ଏଣୁ ତାଙ୍କର “ବିଜୁ ବିଚାର ମଂଚ” ଓ “ସମତାକ୍ରାନ୍ତି ଦଳ”କୁ ମିଶାଇ “ବିଜୁ ସମତାକ୍ରାନ୍ତି ଦଳ” ନାମରେ ନାମିତ କରିବାକୁ ଯାଉଛନ୍ତି । ଚଳିତ ମାସ ସୁଦ୍ଧା ନୂଆ ଦଳ ଗଠନର ରୂପ ରେଖ ନିଆଯିବ ବୋଲି ଡା.ରାଉତ ନିକଟରେ କହିଥିଲେ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ଓ ଆଲୋଚନା ଚାଲିଥିବା କଥା ନେଇ ସୂଚନା ମଧ୍ୟ ଦେଇଥିଲେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here