ଅବଢା ବାହାରିଲା: ଆନନ୍ଦବଜାରରେ ମହାପ୍ରସାଦ ଲାଗି ଭିଡ଼

1

ପୁରୀ: ଛପନଭୋଗୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଦୀର୍ଘ ୪ ଦିନ ଧରି ଅବଢା ଭୋଗ ଖାଇନଥିଲେ । ତେବେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟି ଆଜି ଅବଢା ଭୋଗ ଲାଗି କରାଯାଇଛି । ଶ୍ରୀମନ୍ଦିର ରୋଷଘରେ ରନ୍ଧାଯାଇ ପରଷା ଯାଇଛି ଅବଢା ଭୋଗ । ମହାପ୍ରଭୁ ମହାନନ୍ଦରେ ମହାପ୍ରସାଦ ସେବନ କରିବା ସହିତ ଭକ୍ତମାନେ ଆଜି ଅବଢା ଅନ୍ନ ପାଇବାର ସୁଯୋଗ ପାଇଛନ୍ତି ।

ଗତ ୧୬ ତାରିଖଠାରୁ ଅବଢା ଭୋଗ ଶ୍ରୀମନ୍ଦିରରେ ରନ୍ଧା ଯାଉନଥିଲା । ସୁଆର-ମହାସୁଆର ସେବକଙ୍କ ନୀତି ବିଭ୍ରାଟ ଯୋଗୁଁ ଏପରି ଅବ୍ୟବସ୍ଥା ଉପୁଜିଥିଲା । ତେବେ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟଙ୍କ କଟୁ ସମାଲୋଚନା ଓ ଭତ୍ସନା ପରେ ପ୍ରଶାସନ ଆଜି ଅବଢା ଭୋଗ ଲଗାଇବାକୁ ବାଧ୍ୟ ହୋଇଛି । ଆଜି ସମସ୍ତ ନୀତିକାନ୍ତି ଯଥାସମୟରେ ସମ୍ପନ୍ନ ହେବାସହିତ ରୋଷଘରର ସ୍ୱାଭାବିକ ଅବସ୍ଥା ଫେରିଆସିଛି । ଏବେ ସ୍ୱୟଂ ମହାପ୍ରଭୁଙ୍କ ସହିତ ଅଗଣିତ ଭକ୍ତ ଅବଢା ଭୋଗ ପାଇ ବେଶ୍ ଆନନ୍ଦିତ ।
ସୂଚନାଯୋଗ୍ୟ, ମନ୍ଦିର ପ୍ରଶାସନ ଓ ସୁଆର ସେବକଙ୍କ ମଧ୍ୟରେ ବିବାଦ ଲାଗିରହି ଗତ ୪ ଦିନ ହେଲା ମହାପ୍ରସାଦ ମିଳୁନଥିଲା । ନା ମହାପ୍ରଭୁଙ୍କୁ ଭୋଗ ଲଗାଯାଉଥିଲା ନା ଭକ୍ତମାନେ ଆନନ୍ଦବଜାରରେ ମହାପ୍ରସାଦ ସେବନ କରିପାରୁଥିଲେ । ଏବେ ମହାପ୍ରସାଦ ବାହାରିବା ପରେ ସବୁ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଛି ।

LEAVE A REPLY

Please enter your comment!
Please enter your name here