ବିଧାନସଭା ସରିବା ପରେ ମହାନଦୀ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି,ଗାଁରେ ରାତି କାଟିବେ ନେତା ବିଜେପି ବିରୋଧରେ ଲୋକଙ୍କୁ କରିବେ ସଚେତନ

ଭୁବନେଶ୍ୱର : ବିଧାନସଭା ପରେ ମହାନଦୀ ଦ୍ବିତୀୟ ପର୍ଯ୍ୟାୟ ଆନ୍ଦୋଳନକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛି ବିଜେଡି । ମେ ଦ୍ବିତୀୟ ସପ୍ତାହରେ ମହାନଦୀ ସମସ୍ୟାକୁ ନେଇ ଗାଁକୁ ଯିବ ବିଜେଡି । ଗାଁରେ ରାତି କାଟିବେ ବିଜେଡି ନେତାଏ । କେନ୍ଦ୍ର ଓ ଛତିଶଗଡ ସରକାରଙ୍କ ମହାନଦୀ ଷଡଯନ୍ତ୍ର ସଂପର୍କରେ ଲୋକଙ୍କୁ ବୁଝାଇବେ ।
ମହାନଦୀ ମହାପ୍ରସଙ୍ଗକୁ ହାଇଜାକ ହେବାକୁ ଦେବନି ବିଜେଡି । କଂଗ୍ରେସ ମହାନଦୀ ଆନ୍ଦୋଳନକୁ ଓହ୍ଲାଇବା ଆଗରୁ ମହାନଦୀ ଆନ୍ଦୋଳନକୁ ପୁଣି ଯୋର କରିବ ବିଜେଡି । ଏନେଇ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ଦଳର କୋର କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ବିଜେଡି ଉପସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ,ଉପସଭାପତି ଦେବୀ ମିଶ୍ର,ସାଂସଦ ପ୍ରତାପ ଦେବ,ବିଧାୟକ ପ୍ରଣବ ପ୍ରକାଶ ଦାସ,ଅତନୁ ସବ୍ୟସାଚି ନାୟକ ପ୍ରମ୍ମୁଖ ଉପସ୍ଥିତ ରହି ଆନ୍ଦୋଳନର ରଣନିତୀ ପ୍ରସ୍ତୁତ କରିଥିଲେ । ପରେ ସେମାନେ ନବୀନ ନିବାସ ୍ୟାଇ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ଦୋଳନର ରୂପରେଖ ସଂପର୍କରେ ବୁଝାଇଥିଲେ । ଏହି ଆନ୍ଦୋଳନକୁ ଆଗକୁ ନେବାକୁ ଗ୍ରୀନ ସିଟନାଲ ନବୀନ ଦେଇସାରିଥିବା ସୂଚନା ମିଳିଛି । ବିଧାନସଭା ଅଧିବେଶନ ପରେ ମହାନଦୀ ସମସ୍ୟାକୁ ନେଇ ଗାଁକୁ ଯିବେ ବିଜେଡି ନେତାଏ । ମହାନଦୀ ଉପକୂଳିଆ ୧୫ ଜିଲ୍ଲାର ଗାଁରେ ଲୋକଙ୍କ ସହ ନେତାଏ ରାତି କାଟିବେ । ମହାନଦୀ ସମସ୍ୟା ଓ ଓଡିଶା ବିରୋଧରେ କେନ୍ଦ୍ର ଓ ଛତିଶଗଡର ବିଜେପି ସରକାର କରିଥିବା ଷଡଯନ୍ତ୍ର ସଂପର୍କରେ ଗାଁ ଗାଁ ବୁଲି ସଚେତନକରିବେ ଦଳର ନେତା ଓ କର୍ମୀ । ଏନେଇ ଖୁବ ଶିଘ୍ର ଚୂଡାନ୍ତ ରୂପରେଖ ଘୋଷଣା କରାଯିବ ବୋଲି କହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।
ମହାନଦୀ ଆନ୍ଦୋଳରେ କଂଗ୍ରେସ ଏଣ୍ଟ୍ରି ମାରିବ ବୋଲି ନୂଆ ଟିମ ଘୋଷଣା କରି ସାରିଛି । ପଶ୍ଚିମ ଓଡିଶାରେ ମହାନଦୀ ଆନ୍ଦୋଳନ ଖୁବଶିଘ୍ର ହେବ ବୋଲି କଂଗ୍ରେସର କାର୍ଯ୍ୟକାରୀ ସଭାପତି ବିଧାୟକ ନବଦାସ ଘୋଷଣା କରିଛନ୍ତି । ତାହା ପୂର୍ବରୁ ମହାନଦୀ ଆନ୍ଦୋଳନକୁ ହାଇଜାକ ହେବାକୁ ନଦେଇ ନିଜ ଆନ୍ଦୋଳନକୁ ଯୋର କରିବ ବିଜେଡି । ହେଲେ ରାଜ୍ୟର ସରକାରୀ ଦଳର ଏପରି ଆନ୍ଦୋଳନକୁ ନେଇ ଜବାବ ରଖିଛନ୍ତି ବିରୋଧୀ । କଂଗ୍ରେସ କହିଛି ସରକାର ଯେତେବେଳେ ଯାହା କରିବା କଥା କଲେନି । ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ନେଇ ସର୍ବ ସମ୍ନତି ପ୍ରସ୍ତାବ ପାରିତ ହୋଇଥିଲା । ସରକାର ସେଥିରେ ସଫଳତା ପାଇବା ପରେ ସବୁ ଭୁଲିଗଲେ । ଏବେ ସରକାରି ଦଳ ଆନ୍ଦୋଳନକୁ ଗଲେ କିଛି ଲାଭ ହେବନି ଲୋକେ ସବୁ ଜାଣିଛନ୍ତି ବୋଲି କହିଛନ୍ତି ବିରୋଧୂ ଦଳ ନେତା ନରସିଂହ ମିଶ୍ର । ସେପଟେ ବିଜେପି ସାଧାରଣ ସଂପାଦକ ପୃର୍ଥ୍ବୀରାଜ ହରିଚନ୍ଦନ କହିଛନ୍ତି । ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ଲୋକଙ୍କୁ ଭକୁଆ ବନେଇବାକୁ ଚେଷ୍ଟା କରୁଛନ୍ତି ।
ମହାନଦୀ ଜଳ ସମସ୍ୟା ରାଜ୍ୟର ସାଧାରଣ ଲୋକଙ୍କ ସହ ଯୋଡି ହୋଇ ରହିଛି । କେନ୍ଦ୍ର ଓ ଛତିଶଗଡ ବିରୋଧରେ ନ୍ୟାୟିକ ଲଢେଇ ଲଢୁଛନ୍ତି । ଟ୍ରିବ୍ୟୁଲାନ ଗଠନ ହୋଇଛି । ହେଲେ ଆଗକୁ ନିର୍ବାଚନ ଥିବାରୁ ମହାନଦୀ ପ୍ରସଙ୍ଗ ଏବେ ରାଜ୍ୟ ରାଜନୀତିରେ ମହା ପ୍ରସଙ୍ଗ ହୋଇରହିଛି ।