ଗୁରୁବାର ନବୀନ ନିବାସ ଘେରାଉ କରିବେ ଓକିଲ

ଓକିଲଙ୍କ ଆନ୍ଦୋଳନ ତୀବ୍ରତର ହେଲା
ମଙ୍ଗଳବାରଠାରୁ କଟକର ସବୁ ଅଫିସ ବନ୍ଦ କରିବେ

ଭୁନନେଶ୍ୱର: ହାଇକୋର୍ଟ ଓକିଲମାନେ ଦୀର୍ଘଦିନ ଧରି ଚଳାଇ ଆସିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଅବ୍ୟାହତ ରଖିବାକୁ ନିଷ୍ପତି ନେଇଛନ୍ତି । କେଳବ ଆନ୍ଦୋଳ ଚାଲୁ ରଖିବେ ନାହିଁ ଏହାକୁ ବ୍ୟାପକ କରିବାକୁ ହାଇକୋର୍ଟ ଓକିଲ ସଂଘ ବୈଠକରେ ସ୍ଥିର ହୋଇଛି । ଏଥିରେ ମଙ୍ଗଳବାରଠାରୁ କଟକର ସବୁ ସରକାରୀ ଅଫିସ ଆଗରେ ଧାରଣା ଦେଇ ବନ୍ଦ କରାଯିବ । ଗୁରୁବାର ନବୀନ ନିବାସ ଘେରାଉ କରାଯିବ । ଏହି ଘେରାଉରେ ରାଜ୍ୟର ସବୁ ଓକିଲ ପ୍ରତିନିଧି ଯୋଗଦେବେ । ବୁଧବାର ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ହାଇକୋର୍ଟ ଓକିଲ ସଂଘର ସଭାପତି ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି ।
ପୁଲିସ ଜଣେ ହାଇକୋର୍ଟ ଓକିଲଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଏହି ଆନ୍ଦୋଳନ ଦେଖାଦେଇଛି । ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଓକିଲମାନେ ଅଡ଼ି ବସିଛନ୍ତି । ଅନ୍ୟପଟରେ ଏଥିରେ ହାବିଲଦାର ଓ କନେଷ୍ଟବଲ ସମ୍ପୃକ୍ତ ଥିବାରୁ ସେମାନେ ଏହାକୁ ବିରୋଧ କରୁଛନ୍ତି । ରାଜ୍ୟ ପୁଲିସରେ ହାବିଲଦାର ଓ କନେଷ୍ଟବଲ ସଂଘ ସବୁଠାରୁ ବଡ଼ ସଂଘ । ମାଡ଼ ମାରିବା ଘଟଣାରେ ସମ୍ପୃକ୍ତ ହାବିଲଦାର ଓ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି । କିନ୍ତୁ ଗିରଫ ଦାବି କଥାକୁ ଓକିଲମାନେ ଅଡ଼ିବସିଥିଲା ବେଳେ ପୁଲିସ ବିରୋଧ କରୁଛି । ଫଳରେ ୨୫ ଦିନ ହେବ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ସରକାର ତାଙ୍କ ବାଟରେ, ଓକିଲ ତାଙ୍କ ଦାବିରେ ଓ ପୁଲିସ ତାଙ୍କ କାର୍ଯ୍ୟରେ ବ୍ୟସ୍ତ । ସାଧାରଣ ଲୋକଙ୍କ କଥା କେହି ବୁଝିବାକୁ ନାହାଁନ୍ତି । କୋର୍ଟ ବନ୍ଦ ହେବା ଫଳରେ ବହୁ ଲୋକେ ନ୍ୟାୟ ପାଇଁ ଅପେକ୍ଷା କରି ବଂଚିତ ହେଉଛନ୍ତି । ଓକିଲମାନେ କାର୍ଯ୍ୟରେ ଯୋଗ ଦେଉ ନ ଥିବାରୁ କୌଣସି ମାମଲା ଆଉ କୋର୍ଟରେ ଚାଲୁନାହିଁ ।