କ୍ଷମା ମାଗିଲେ ଅଭିଜିତ, ହେଲେ ବ୍ୟକ୍ତିଗତ ହାଜିରା ପାଇଁ ନୋଟିସ

ଭୁନନେଶ୍ୱର: ଓଡ଼ିଶା ବିଧାୟକମାନଙ୍କ ସମ୍ପର୍କରେ ଅସୌଜନ୍ୟମୂଳକ ମତ ଗଣମାଧ୍ୟମରେ ଦେବା ଘଟଣାରେ ଅଭିଜିତ ଆୟାର ମିତ୍ର ମେଲ କରି ବିଧାନସଭା ଗୃହ କମିଟିକୁ କ୍ଷମା ମାଗିଛନ୍ତି । କିନ୍ତୁ ତାଙ୍କର ଏହି ମେଲକୁ କମିଟି ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରି ନାହାଁନ୍ତି । ଏଥିପାଇଁ ତାଙ୍କୁ ଗୃହ କମିଟି ଆଗରେ ହାଜର ହେବାକୁ ପଡ଼ିବ ବୋଲି କୁହାଯାଇଛି । ଆଜି ହାଜର ହୋଇପାରି ନ ଥିବାରୁ ତାଙ୍କୁ ଆଉଥରେ ସୁଯୋଗ ଦିଆଯାଇଛି । ଆସନ୍ତା ୨୩ ତାରିଖରେ କମିଟି ଆଗରେ ହାଜର ହେବାକୁ କୁହାଯାଇଛି । କିନ୍ତୁ ଏଥର ନୋଟିସ ଗୃହକମିଟି ପକ୍ଷରୁ ଡିଜି ପୁଲିସ ପ୍ରଦାନ କରିବେ । ଥରେ ଯେହେତୁ କମିଟି ତାଙ୍କୁ ନୋଟିସ ଜାରି କରିଛି ସେଥିପାଇଁ ତାଙ୍କର ଯାହା ମତ ସେ ଆସି ବ୍ୟକ୍ତିଗତଭାବେ କହିବାକୁ ହେବ । ସେଥିପାଇଁ ଆଉଥରେ ସୁଯୋଗ ଦିଆଯାଇଛି । ଆଜି ତାଙ୍କର କମିଟି ଆଗରେ ହାଜର ହେବାକୁ ଥିଲା । ସେ ହାଜର ହୋଇ ନ ଥିଲେ ମଧ୍ୟ ଏହାକୁ କମିଟି ଅବମାନନା ଭାବରେ ଗ୍ରହଣ କରିନାହିଁ । ଏଣୁ ୨୩କୁ ପୁଣି ଅପେକ୍ଷା । କୁହାଯାଉଛି କମିଟି ଆଗରେ ହାଜର ହୋଇ ଯଦି ସେ କ୍ଷମା ପ୍ରାର୍ଥନା କରିବେ ତେବେ ତାଙ୍କୁ ଛାଡ଼ି ଦିଆଯାଇପାରେ । ଯେହେତୁ ସେ ଲିଖିତ ଭାବରେ କ୍ଷମା ପ୍ରାର୍ଥନା କଲେଣି ତେଣୁ କମିଟି ଆଗରେ ମାଗିବା ତାଙ୍କ ଦ୍ୱିଧା ରହିବନାହିଁ । କିନ୍ତୁ ସେ କମିଟି ଆଗରେ ହାଜର ହେବା ପାଇଁ ଡରୁଥିବା ଆଲୋଚନା ହେଉଛି । ହେଲେ ଏହି ଦ୍ୱିତୀୟ ନୋଟିସରେ ହାଜର ନ ହେଲେ ଏହାକୁ କମିଟି ଗୁରୁତଭାବେ ନେଇପାରେ । ଯାହାବି ହେଲେ ଅଭିଜିତଙ୍କୁ କମିଟି ଆଗରେ ହାଜର ହେବାକୁ ପଡ଼ିବ । ଅନ୍ୟପଟରେ କୋଣାର୍କ ମନ୍ଦିର ସମ୍ପର୍କରେ ଦେଇଥିବା ଅରୁଚିକର ମନ୍ତବ୍ୟ ନେଇ ସ୍ଥାନୀୟ ଥାନାରେ ହୋଇଥିବା ମାମଲାରେ ସେ ଏଯାଏଁ ହାଜର ହୋଇନାହାଁନ୍ତି । ସୁପ୍ରିମକୋର୍ଟରୁ ତାଙ୍କୁ ଅକ୍ଟୋବର ୫ ପର୍ଯ୍ୟନ୍ତ ଅନ୍ତରିଣ ଜାମିନ ମିଳିଥିଲା । ଏହି ମିଆଦ ଶେଷ ହେବା ପରେ ତାଙ୍କର ହାଜର ହେବାର ଥିଲା । ସେ ପୁରୀ ଏସପିଙ୍କୁ ଏଥିନେଇ ସୁରକ୍ଷା ମାଗିଥିଲେ । ହେଲେ ଏଯାଏଁ ହାଜର ହୋଇ ନ ଥିବା କଥା କୁହାଯାଉଛି । ଗୃହକମିଟି ତଦନ୍ତ କରୁଥିବାରୁ ପୁଲିସ ଏ ଦିଗରେ ବିଶେଷ ଭାବରେ କଠୋର ମନୋଭାବ ପୋଷଣ କରୁନାହିଁ ।
ଆଜି ଗୃହକମିଟି ଅଧ୍ୟକ୍ଷ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ୫୪ ନମ୍ବର ପ୍ରକୋଷ୍ଠରେ ବୈଠକ ବସିଥିଲା । ଏଥିରେ କମିଟିର ସଦସ୍ୟ ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାଶବର୍ମା ଓ ଅରୁଣ ସାହୁ ଉପସ୍ଥିତଥିଲେ । ବୈଠକ ପରେ ବିରୋଧୀଦଳ ନେତା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଗୃହ କମିଟି ଅଭିଜିତଙ୍କୁ ନୋଟିସ କରିଥିଲା । ଆଜି ଦିନ ୧୧ଟାରେ ଉପସ୍ଥିତ ରହି ତାଙ୍କ ମତ ରଖିବା ପାଇଁ । ତାଙ୍କ ବିରୋଧରେ ଅଭିଯୋଗ ଅଛି, ସେ ଅଭିଯୋଗ ତଦନ୍ତ ଚାଲିଛି । ସେ ମେଲ୍ ଯୋଗେ ଜଣାଇ ଦେଇଥିଲେ ଆଜି ଗୃହ କମିଟି ଆଗରେ ଉପସ୍ଥିତ ରହିବେ । ଆଉ ଏକ ମେଲ୍ ବାର୍ତ୍ତା ଦେଇ ସେ କହିଛନ୍ତି ମୁଁ ଅକ୍ଷମଣୀୟ ଅପରାଧ କରିଛି । ଯାହା କହିଛି ତାହା କହିବା ଉଚିତ ନ ଥିଲା । ମୁଁ ସେଥିପାଇଁ କ୍ଷମା ମାଗୁଛି ଏବଂ ମୋ ଭୁଲ ସ୍ୱୀକାର କରୁଛି । ମୋତେ କ୍ଷମା ଦିଅନ୍ତୁ । ମେଲ ଯୋଗେ ଏହି ବାର୍ତ୍ତା ପାଇଲେ ମଧ୍ୟ ଯେହେତୁ ତାଙ୍କୁ କମଟି ନୋଟିସ କରିଛି ସେ ବ୍ୟକ୍ତିଗତଭାବେ କମିଟି ଆଗରେ ଉପସ୍ଥିତ ରହିବାକୁ ବାଧ୍ୟ । କିନ୍ତୁ ବିଭିନ୍ନ ଗଣମାଧ୍ୟମରେ ଯେଭଳି ପ୍ରଚାର ହୋଇଛି ପାଣିପାଗ ସମ୍ପର୍କରେ ଟ୍ରେନ ବାତିଲ ହେଲା, ପ୍ଲେନ ବାତିଲ ହେଲା ଇତ୍ୟାଦି । ହୁଏତ ଏ ଦୃଷ୍ଟିରୁ ସେ ଆସି ନ ଥାଇ ପାରନ୍ତି । ଜଣେ ଲୋକ ଯେତେବେଳେ ମୁଁ ନିଶ୍ଚିତ ଭାବେ ଆସିବି ବୋଲି ଲେଖିକି ଦେଇଛନ୍ତି ଏବଂ ଆସିନାହାଁନ୍ତି ଅନୁପସ୍ଥିତ ରହିଛନ୍ତି, ଏହା ଗୃହକୁ ବା କମିଟିକୁ ଅବମାନନା ନୁହେଁ । ଏକଥା ବିଚାର କରି ଆମେ ତାକୁ ପୁନର୍ବାର ନୋଟିସ ଦେଇଛୁ, ଡିଜି ପୁଲିସକୁ ନିର୍ଦ୍ଦେଶ ଦେଇଛୁ ତାଙ୍କୁ ଗୃହରେ ୨୩.୧୦.୨୦୧୮ରେ ଦିନ ୧୧ଟାରେ ଗୃହକମିଟିରେ ହାଜର କରିବା ପାଇଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here