ତିତଲିର ଭୟଙ୍କର ତାଣ୍ଡବରେ ୮ ମୃତ, ଦୁଃଖପ୍ରକାଶ କଲେ ରାଷ୍ଟ୍ରପତି

ଆନ୍ଧ୍ରପ୍ରଦେଶ : ବାତ୍ୟା ତିତଲି ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚୁଛି । ତିତଲି ଓଡିଶାର ଗଞ୍ଜାମ ଓ ଗଜପତିରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିବା ବେଳେ ଏବେ ଆନ୍ଧ୍ରପ୍ରଦେଶରେ ଭୟଙ୍କର ରୂପ ଧାରଣ କରିଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ଶ୍ରୀକାକୁଲମ ଓ ବିଜୟନଗରମରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାର ପ୍ରଭାବରେ ଆନ୍ଧ୍ରରେ ପ୍ରବଳ ବର୍ଷା ସହ ପବନ ମଧ୍ୟ ଜୋରରେ ବହୁଛି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନରେ ଶହ ଶହ ଘର ଭାଙ୍ଗିବା ସହ ବିଜୁଳି ଖୁଣ୍ଟ ଗୁଡିକ ଭାଙ୍ଗି ପଡିଛି ।ଏହାଛଡା ରାସ୍ତାରେ ଗଛ ଗୁଡିକ ଭାଙ୍ଗି ପଡିବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଏପରିକି ଆନ୍ଧ୍ରର କିଛି ଷ୍ଟେସନ ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଟ୍ରାକରେ ଗଛ ଗୁଡିକ ଭାଙ୍ଗି ପଡିଥିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ତିତଲି ଏବେ ପଶ୍ଚିମବଙ୍ଗ ମୁହାଁ ହୋଇଛି । ଯାହାଫଳରେ ପଶ୍ଚିମବଙ୍ଗରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଛି । ତେବେ ତିତଲି ବାତ୍ୟାର କ୍ଷୟକ୍ଷତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିବା ସହ କହିଛିନ୍ତି ତିତଲି ବାତ୍ୟା ଯୋଗୁଁ ଓଡିଶା ଓ ଆନ୍ଧ୍ର ପ୍ରଦେଶର ପ୍ରଭାବିତ ପରିବାର ବିଶେଷକରି ପିଲାମାନଙ୍କ ପ୍ରତି ମୁଁ ସମ୍ବେଦନା ଜ୍ଞାପନ କରୁଛି । ମୋର ଦୃଢ ବିଶ୍ୱାସ ଯେ ସ୍ଥାନୀୟ ପ୍ରଶାସନ ଓ ରିଲିଫ୍ ସଂସ୍ଥା ଗୁଡିକ ତତ୍ପରତା ସହିତ ଲୋକମାନଙ୍କୁ ସାହାଯ୍ୟ କରିବେ । ଏବଂ ସମଗ୍ର ଦେଶ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡିସା ସହିତ ଅଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here