ସହରରେ ଦୌଡିବ ଓଏସ୍ଆରଟିସିର ‘ରାଜଧାନୀ’

ଭୁବନେଶ୍ୱର: ରାଜ୍ୟରେ ଉତ୍ତମ ବସ୍ ସେବା ଯୋଗାଇବ ଓଡ଼ିଶା ରାଜ୍ୟ ପରିବହନ ନିଗମ ବା ଓଏସ୍ଆରଟିସି । ପ୍ରତି ଜିଲ୍ଲାର ମୁଖ୍ୟ ସହରଗୁଡିକୁ  ଗଡିବ ଏସି ବସ୍ । ଏନେଇ ୭୫ଟି ନୂଆ ଏସି ବସ ପ୍ରତ୍ୟେକ ଜିଲ୍ଲାକୁ  ପ୍ରେରଣ କରିଛି । ଜିଲ୍ଲାର ମୁଖ୍ୟ ସହରଗୁଡିକରେ ଏହି ଏସି ବସ୍ ଗୁଡିକ  ଚଳାଚଳ କରିବ । ରାଜ୍ୟ ସରକାରଙ୍କ ତରଫରୁ ବସ୍ ଗୁଡିକର ନାଁ ‘ରାଜଧାନୀ’ ରଖାଯାଇଥିବା ବେଳେ ଏଥିରେ ଅତ୍ୟାଧୁନିକ ସୁବିଧା  ସୁଯୋଗ ରହିଛି । ଏଥିସହିତ ମୋବାଇଲ ଚାର୍ଜ ସାଙ୍ଗକୁ ବସରେ ଆରାମଦାୟକ ସିଟ୍ ଉପଲବ୍ଧ ରହିଛି । ସୂଚନାଥାଉକି, ବର୍ତ୍ତମାନ ରାଜ୍ୟରେ  ଦୁଇଟି ଭଲଭୋ ବସ୍ ପୁରୀ-କୋଣାର୍କ ରୁଟ୍ ଦେଇ ଯାତାୟତ କରୁଛି । ସେହିପରି ବର୍ତ୍ତମାନ ବଡବିଲ-କୋଲକାତା ଓ ଭୁବନେଶ୍ୱର-ବାରିପଦା ଅଭିମୁଖେ ଆଉ ୬ଟି ବସ୍ ଚଳାଚଳ କରିବ ବୋଲି ଓଏସ୍ଆରଟି ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ୨୩ଟି ୟୁନିଟରେ ଓଏସ୍ଆରଟିସିର ୩୭୩ଟି ବସ୍ ଚାଲିଛି । ଏଥିରେ ହାଇଟେକ, ହାଇକମ୍ପ, ଏସି ଡିଲକ୍ସ ଓ  ଏସି ସ୍ଲିପର ଶ୍ରେଣୀର ବସ୍ ରହିଛି । ରାଜଧାନୀ ବସ୍ ଗୁଡିକ ଚାଲିବା ପରେ ଓଏସ୍ଆରଟିସିର କାରବାର ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି ।  ଏଥିରେ ବସ୍ ଚାଳକମାନଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇବାର ବ୍ୟବସ୍ଥା  କରାଯାଉଥିବା ବେଳେ କଣ୍ଡକ୍ଟର ପଦବୀ ଉଚ୍ଛେଦ ପାଇଁ ବ୍ୟବସ୍ଥା କରାଯିବାର ଯୋଜନା ରହିଛି  । ଏ ସମ୍ପର୍କରେ ଓଏସ୍ଆରଟିସି ସିଏମଡି ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ଚାଲିବାକୁ ଥିବା ‘ରାଜଧାନୀ’ ବସ୍ ଗୁଡିକ ସବୁ ଜିଲ୍ଲା ସଦର ମହକୁମା ଓ ବଡବଡ ସହରକୁ ଚାଲିବ । ଏଥିରେ ଯାତ୍ରୀମାନେ କିପରି ଆରାମଦାୟକ ଓ ନିରାପଦରେଯାତ୍ରା କରିପାରିବେ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।