You are here
Home > ବଡ଼ଖବର > ବର୍ଷା ତାଣ୍ଡବ ଜାରୀ, ୪ ଜିଲ୍ଲାରେ ବ୍ୟାପକ କ୍ଷତି

ବର୍ଷା ତାଣ୍ଡବ ଜାରୀ, ୪ ଜିଲ୍ଲାରେ ବ୍ୟାପକ କ୍ଷତି

ଭୁନନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଫଳରେ ଦକ୍ଷିଣ ଓଡ଼ିଶାର ୪ଟି ଜିଲ୍ଲା ଓ ପଶ୍ଚିମ ଓଡ଼ିଶାର ୨ଜିଲ୍ଲାର ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇଛି । ବର୍ଷା ଜାରି ରହିବା ଫଳରେ ସ୍ଥିତି ବେଳକୁ ବେଳ ବିଗିଡ଼ିବାରେ ଲାଗିଛି । ଅଧିକାଂଶ ଅଂଚଳକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ଥିତି ସବୁଠାରୁ ଖରାପ ହୋଇଛି । ବିଶେଷ କରି ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟର ଅବସ୍ଥା ଅଧିକ ଖରାପ । ଏବେ ବି ଲୋକେ ପାଣିଘେରରେ ଅଛନ୍ତି । ରାସ୍ତା ଉପରେ ୨ରୁ ୩ଫୁଟର ପାଣି ଚାଲିଛି । ଅଧିକାଂଶ ସ୍ଥାନରେ ପୋଲ ଓ କଲଭର୍ଟ ଭାସିଯାଇଛି । ରାସ୍ତା ଧୋଇ ହୋଇ ଯାଇଛି । ଯୋଗାଯୋଗ ଏକ ପ୍ରକାର ଠପ ହୋଇଯାଇଛି । ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି । ୧୪ ତାରିଖ ରାତିରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକାଂଶ ସ୍ଥାନକୁ ଯାତାୟତ ବନ୍ଦ ହୋଇଯାଇଛି । ଲୋକଙ୍କ ଘରେ ଚୁଲି ଜଳୁନାହିଁ । ବହୁତ ଲୋକ ପାଣି ଘେରରେ ରହିଛନ୍ତି । ପ୍ରଶାସନ ପକ୍ଷରୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇ ଉଚ୍ଚସ୍ଥାନକୁ ନିଆଯାଇଛି । ଓଡ୍ରାଫ୍ଟ ଟିମ ଓ ବୋଟ ଲୋକଙ୍କୁ ପାଣି ଘେରରୁ ଆଣିବା ପାଇଁ ନିୟୋଜିତ କରାଯାଇଛି ।
କଳାହାଣ୍ଡି ଜିଲ୍ଲାର ୯ଟି ବ୍ଲକ୍ର ୮୦ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । ୨ଟି ପୌରସଂସ୍ଥା ବି ପ୍ରଭାବିତ ହୋଇଛି । ୭୦୪ ଜଣ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଜୁନାଗଡ଼ ଓ କେସିଙ୍ଗା ଅଂଚଳରେ ଓଡ୍ରାଫ୍ଟ ଟିମ ନିୟୋଜିତ ହୋଇଛନ୍ତି । ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଉଛି । ୨ଟି ଗାଁର ଲୋକଙ୍କୁ ନିରାପଦ ସ୍ଥାନକୁ ଆଣାଯାଇଛି । କୋରାପୁଟ ଜିଲ୍ଲାର ୧୩ଟି ବ୍ଲକ୍ ଅନ୍ତର୍ଗତ ୧୨୬ ଗାଁ ଓ ଗୋଟିଏ ପୌରସଂସ୍ଥା ପ୍ରଭାବିତ ହୋଇଛି । ୨୫୦୦ ଲୋକ ବିପଦଗ୍ରସ୍ତ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ଘଟିଛି । ଓଡ୍ରାଫ୍ଟ ଓ ଅଗ୍ନିଶମ ବାହିନୀଙ୍କୁ କୋଟାପଡ଼ ବ୍ଲକ୍ରେ ନିୟୋଜିତ କରାଯାଇଛି । ମାଲକାନଗିରି ଜିଲ୍ଲାର ୭ଟି ବ୍ଲକ୍ ଅନ୍ତର୍ଗତ ୪୨ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଶତାଧିକ ଲୋକେ ବିପନ୍ନ ହୋଇଛନ୍ତି । ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇଛି । ମାଲକାନଗିରି ଓ ବାଲିମେଳା ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ମାଲକାନଗିରିରୁ ସୁକ୍ମା ରାସ୍ତାରେ ପାଣି ଚାଲୁଛି । ଏଠାରେ ଓଡ୍ରାଫ୍ଟ ଟିମ ମଧ୍ୟ ନିୟୋଜିତ କରାଯାଇଛି । ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ନବରଙ୍ଗପୁରର ୫ଟି ବ୍ଲକ୍ ଅନ୍ତର୍ଗତ ୮ଟି ଗାଁ, ଗୋଟିଏ ପୌରସଂସ୍ଥା କ୍ଷତିଗ୍ରସ୍ତ ହୋଇଛି । ୭୫୦୦ ଲୋକ ବିିପନ୍ନ ହୋଇଥିବା ଜଣାପଡ଼ିଛି । ତୁରୀ ନଦୀ ଉଛୁଳି ଗାଁରେ ପଶିଛି । ଇନ୍ଦ୍ରାବତୀ ମଧ୍ୟ ବୃଦ୍ଧି ପାଉଛି । ବଲାଙ୍ଗୀରରେ ତେଲ ନଦୀରେ ପାଣି ଆସିବା ଫଳରେ ୧୭ଜଣ ଜଳବନ୍ଦୀରେ ଅଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି । ବୌଦ୍ଦରେ ମଧ୍ୟ ତେଲନଦୀ ପାଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ସୋନପୁର-ରେଢ଼ାଖୋଲ ମଧ୍ୟରେ ଯୋଗାଯୋଗ ବନ୍ଦ ହୋଇଯାଇଛି । ବର୍ଷା ଲାଗି ରହିଲେ ସ୍ଥିତି ଆହୁରି ଖରାପ ହେବ ବୋଲି କୁହାଯାଉଛି । ଟ୍ରେନ ଚଳାଚଳ ମଧ୍ୟ ବ୍ୟାହତ ହୋଇଛି । କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ଟ୍ରେନ ଲାଇନ ଉପରେ ପାଣି ଓ ମାଟି ଅତଡ଼ା ଖସିବା ଫଳରେ ଅଧିକାଂଶ ଟ୍ରେନକୁ ବାତିଲ କରାଯାଇଛି ଓ କେତେକ ଟ୍ରେନର ଗତିପଥ ବଦଳାଯାଇଛି ।

Loading...
ONA

Leave a Reply

Top