ସୋମବାର ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: କଂଗ୍ରେସ ଦଳର ହଟ୍ଟଗୋଳ ପାଇଁ ବାଚସ୍ପତି ପ୍ରଦୀପ କୁମାର ଅମାତ ଶୁକ୍ରବାର ପୂର୍ବାହ୍ଣ ୧୧ଟା ୪୫ରୁ ୧୨ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ । ପରେ କିଛି ସମୟ ଧରି ଗୃହର କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ହକି ବିଶ୍ୱ ଲିଗ ଉଦଘାଟନୀ ଉତ୍ସବ ଦେଖିବା ପାଇଁ ଗୃହକୁ ମୁଲତବି ରଖିବାକୁ ଦାବି କରିଥିଲେ । ଏହି ଦାବିକୁ ବିଚାରକୁ ନେଇ ୧୨ଟା ୭ ମିନିଟରେ ବାଚସ୍ପତି ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ଶୁକ୍ରବାର ବିଧାନସଭାର ଶୂନ୍ୟକାଳରେ କଂଗ୍ରେସ ସଭ୍ୟ ପ୍ରଫୁଲ ମାଝି କହିଥିଲେ ଯେ, ଶୁକ୍ରବାର ଠାରୁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱଲିଗ୍ ଫାଇନାଲ ଆରମ୍ଭ ହେବାକୁ ଯାଉଛି । ଏହା ଅନ୍ତର୍ଜାତୀୟ ଇଭେଣ୍ଟ ହୋଇଥିବାରୁ ବିଧାୟକ ମାନେ ମ୍ୟାଚ୍ ଦେଖିବାକୁ ଇଚ୍ଛା ପ୍ରକଟ କରୁଛନ୍ତି । ଆଜି ଥିଲା ବେସରକାରୀ ଦିବସ । ଗୃହରେ ବିଶେଷ କାର୍ଯ୍ୟକ୍ରମ ପ୍ରାୟତଃ ନାହିଁ । ଗୃହକୁ ଆଜି ଦିନକ ପାଇଁ ମୁଲତବି ରଖିବାକୁ ସେ ଦାବି କରିଥିଲେ । ପରେ ଶାସକଦଳ ମୁଖ୍ୟ ସଚେତକ ଅମର ଶତପଥୀ , ଶ୍ରୀ ମାଝିଙ୍କ ଦାବିକୁ ସମର୍ଥନ କରିଥିଲେ । ବାଚସ୍ପତି ଅମାତ ଏଥିନେଇ ଗୃହର ସହମତି ଲୋଡିଥିଲେ । ଗୃହର ସହମତି ମିଳିବା ପରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ସରାକରଙ୍କୁ ଟାର୍ଗେଟ କରି କହିଥିଲେ, ସରକାର ମା’କୁ ସମ୍ମାନ ଦେବା କଥା କହୁଥିବା ବେଳେ ରାଜ୍ୟରେ ନାବାଳିକାମାନଙ୍କୁ ଦୁଷ୍କର୍ମ କରାଯାଉଛି । କୁନ୍ଦୁଲି, ଇତିଶ୍ରୀ ଓ ବେବିନା ଘଟଣା ହେଉଛି ତାହାର ଦୃଷ୍ଟାନ୍ତ । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦେଇଥିବା ଏକ ମନ୍ତବ୍ୟ ସ୍ପୃହଣିୟ ନୁହେଁ ବୋଲି ତାରା ପ୍ରସାଦ ବାହିନିପତି କହିଛନ୍ତି । ସେ କହିଥିଲେ ଯେ, ଏହି ମନ୍ତବ୍ୟକୁ ବିବରଣୀରୁ ବାସ ଦିଆଯାଉ । ଅନ୍ୟପକ୍ଷରେ କଂଗ୍ରେସ ସଭ୍ୟମାନେ ଶତପଥୀଙ୍କ ମନ୍ତବ୍ୟକୁ ବାଦ ଦିଆଯାଉ ବୋଲି ଦାବି କରିଥିଲେ । ଏହାସହ ଗୃହର ମଧ୍ୟଭାଗକୁ ଚାଲିଆସି ପାଟିତୁଣ୍ଡ କରିଥିଲେ । ଏଥିରୁ ନିବୃତ୍ତି ରହିବା ପାଇଁ ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନେ ହୋହାଲ୍ଲା ଜାରି ରଖିଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୫ ମିନିଟ୍ ପାଇଁ ମୁଲତବି ଘୋଷଣା କରିଥିଲେ ।