ମହାନଦୀରେ ଦ୍ୱିତୀୟ ସେତୁକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ନେଲ୍ସନ୍ ମଣ୍ଡେଲା ଛକରେ ୧୧୭.୭୨ କୋଟି ଟଙ୍କା ବ୍ୟୟରେ ଦ୍ୱିତୀୟ ମହାନଦୀ ସେତୁର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ମୁଖ୍ୟମନ୍ତ୍ରୀ ସମ୍ବଲପୁର ସହର ଓ ଜିଲ୍ଳାର ବିଭିନ୍ନ ଅଂଚଳରେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୯ଟି ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଏବଂ ୩୩୮ କୋଟି ଟଙ୍କା ବ୍ୟୟ ଅଟ୍ଟକଳର ୧୪ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବଲପୁରବାସୀଙ୍କ ପାଇଁ ୫ଟି ପ୍ରକଳ୍ପ ପାଇଁ ୮୮ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ।
ସମ୍ବଲପୁରଠାରେ ଆୟୋଜିତ ବିଜୁ ଯୁବ ବାହିନୀର ଆଂଚଳିକ ଯୁବ ସମାବେଶ ଏବଂ ସ୍ୱେଚ୍ଛାସେବାର ଉତ୍ସବରେ ଯୋଗ ଦେଇଥିଲେ । ପରେ ମହାନଦୀ ସମଲେଇ ଘାଟରେ ରିଭରଭ୍ୟୁ ପଏଣ୍ଟର ଉଦ୍ଘାଟନ କରି ନେଲ୍ସନ୍ ମଣ୍ଡେଲା ଛକରେ ମହାନଦୀ ଉପରେ ନିର୍ମିତ ହାଇଲେବୁଲ ସେତୁର ଉଦ୍ଘାଟନ କରିଥିଲେ । ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମକୁ ଯାଇଥିଲେ ଏବଂ ସେଠାରେ ଉପସ୍ଥିତ ବିଜୁ ଯୁବ ବାହିନୀର କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଆଜିର ଯୁବ ସମାଜ ମଧ୍ୟରେ ନିଃସ୍ୱାର୍ଥପର ସେବା ମନୋଭାବର ବିକାଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଉକ୍ରଳମଣୀ ଗୋପବନ୍ଧୁ ଦାଶଙ୍କ ସଂପର୍କରେ ଉଲ୍ଲେଖ କରିଥିଲେ । ଯୁବକ ଯୁବତୀମାନେ ବ୍ୟକ୍ତିଗତ ସ୍ୱାର୍ଥଠାରୁ ରାଷ୍ଟ୍ରର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେବା, ଆତ୍ମବିଶ୍ୱାସ ଓ ସ୍ୱାଭିମାନକୁ ନିଜର ପରିଚୟ ଭାବେ ନିର୍ମାଣ କରିବା ଏବଂ ଅନ୍ୟର ଉପକାରକୁ ଜୀବନର ବ୍ରତ ଭାବେ ପାଳନ କରିବାକୁ ଯୁବକ ଯୁବତୀଙ୍କୁ ସେ ପରାମର୍ଶ ଦେଇଥିଲେ । ତିତିଲି ବାତ୍ୟା ସମୟରେ ପିଡ଼ିତଙ୍କ ସେବା କାର୍ଯ୍ୟ କରି ବିଜୁ ଯୁବବାହିନୀର ସ୍ୱେଚ୍ଛାସେବୀ ମାନେ ପ୍ରକୃତ ହିରୋ ହୋଇପାରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମର ଉନ୍ନତିକରଣ ସକାଶେ ୩ କୋଟି ଟଙ୍କାର ଅନୁଦାନ ଘୋଷଣା ସହ ୨୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ସମ୍ବଲପୁର-ସୋନପୁର ରାସ୍ତାର ମାଲତୀଗୁଣ୍ଡେରପୁର ଯୋରରେ ହାଇଲେଭଲ ସେତୁ, ୧୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ବାଲିବନ୍ଧାରେ ଆଉ ଏକ ସେତୁ, ୧୫ କୋଟି ଟଙ୍କା ବ୍ୟୟ ଅଟ୍ଟ କଳରେ ଦୁର୍ଗାପାଲି ଠାରୁ ଜାତୀୟ ରାଜପଥ ଯାଏଁ ଚାରି ଥାକିଆ ରାସ୍ତା ଏବଂ ୪୦କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଜିଲ୍ଲା ସ୍କୁଲ ଛକରୁ ନକ୍ସାପାଲି ଯାଏଁ ୪ ଥାକିଆ ରାସ୍ତା ପ୍ରକଳ୍ପ କାମ ଖୁବ୍ ଶୀଘ୍ର ହେବ । ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀ ଆଶିଷ କୁମାର ପ୍ରଧାନ ଓ ରାକ୍ଷୀ ମୁଣ୍ଡା ସେବା, ରକ୍ତଦାନ, ପରିବେଶ ସୁରକ୍ଷା ପ୍ରଭୃତି କ୍ଷେତ୍ରରେ ବିଜୁ ଯୁବ ବାହିନୀ କିଭଳି ଯୁବ ସମାଜକୁ ଅନୁପ୍ରାଣିତ କରିଛି ସେ ସଂପର୍କରେ ସ୍ୱଅନୁଭୂତି ବର୍ଣ୍ଣନା କରିଥିଲେ । ସମାବେଶରେ ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀ ଦିବ୍ୟାଙ୍ଗ ସୌଭାଗ୍ୟ ପ୍ରଧାନଙ୍କୁ କୃତ୍ରିମ ଗୋଡ଼ ସହ ପୂଜା ଟପ୍ନୋ, ଦୟାନିଧି ସାହୁ ଓ ଭଗବାନ ପ୍ରଧାନଙ୍କୁ ବିଭିନ୍ନ ଯୋଜନାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଳାରୁ୨୦ ହଜାରରୁ ଊଦ୍ଧ୍ୱର୍ ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ ।