ବାସୁଦେବପୁର : ପୁଣି ଆଜି ସକାଳେ ବସ୍-ଟ୍ରକ୍ ମୁହାଁମୁହାଁ ଧକ୍କା ହେବାରୁ ପାଖାପାଖି ୨୫ଜଣ ଯାତ୍ରୀ ଆହତ ହୋଇଥିବାର ସୂଚନା ମିଳୁଛି । ଏହି ଦୁର୍ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ କୁଆମରା ଛକରେ ଘଟିଛି | ଆହତଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଆହତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍ଟି ହେଉଛି ଜୁଗୁନ୍ । ବସ୍ଟି ଧାମରାରୁ କଟକ ଆସୁଥିଲା । ତେବେ କୁଆମରା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଚିପ୍ସ ବୋଝେଇ ଟ୍ରକ୍ ସହ ଧକ୍କା ହୋଇଯାଇଥିଲା । ଅତ୍ୟଧିକ କୁହୁଡ଼ି କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ଦୁର୍ଘଟଣା ପରେ ଟ୍ରକ୍ଟି ଓଲଟି ପଡିଥିଲା । ସେହିପରି ଆଜି ଭୋର ସମୟରେ ଖୋର୍ଦ୍ଧା ଟାଙ୍ଗୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ମିନି ଟ୍ରକ୍ ପଛପଟୁ ପିଟିଥିଲା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିସହ ଦୁଇ ଜଣ ଆହତ ହୋଇଛନ୍ତି । ତେବେ ଦିନକୁ ଦିନ ବୃଦ୍ଧି ପାଉଥିବା ଏପରି ଦୁର୍ଘଟଣାକୁ କିପରି ରୋକାଯାଇପାରିବ ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି |