ବାଲେଶ୍ୱରରେ ଦୁଇଟି ସ୍ଥାନରେ ଗୋଷ୍ଠୀ ସଂଘର୍ଷ, ୬ ଜଣ ହେଲେ ଆହତ

ବାଲେଶ୍ୱର: ଗଲା କିଛି ମାସ ହେବ ରାଜ୍ୟରେ ଦିନକୁ ଦିନ ଗୋଷ୍ଠୀ ସଂଘର୍ଷ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି | ଏହି ପରିପେକ୍ଷରେ ଆଜି ପୁଣି ସେହିପରି ଏକ ଗୋଷ୍ଠୀ ସଂଘର୍ଷ ଘଟି ଅନେକ ଆହତ ହୋଇଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା ବାଲେଶ୍ୱରର ଦୁଇଟି ସ୍ଥାନରେ ଜମିଜମାକୁ ନେଇ ସଂଘର୍ଷ ହୋଇଥିବାର ଜଣାପଡିଛି । ଏଥିରେ ପ୍ରାୟ ୬ ଜଣ ଆହତ ହୋଇଛନ୍ତି । ବାଲିଆପାଳ ଥାନା ଅନ୍ତର୍ଗତ ଜମ୍ଭୁରାଇ ଗ୍ରାମରେ ଜମିଜମା ବିବାଦକୁ ନେଇ ଗୋଟିଏ ପରିବାର ଅନ୍ୟ ଏକ ପରିବାର ଉପରକୁ ଆକ୍ରମଣ କରିଛି । ଫଳରେ ମା ଓ ପୁଅଙ୍କ ଆହତ ହୋଇଛନ୍ତି । ଉଭୟଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ଭୂପତି ପଣ୍ଡିତଙ୍କ ସ୍ତ୍ରୀ ରାସମଣୀ ପଣ୍ଡିତ ଓ ପୁଅ ଅକ୍ଷୟ ପଣ୍ଡିତ ।
ସୂଚନାନୁଯାୟୀ, ପୂର୍ବରୁ ଭୂପତି ପଣ୍ଡିତଙ୍କ ତାଙ୍କ ପଡ଼ୋଶୀଙ୍କ ସହିତ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ଏ ନେଇ ବାଲିଆପାଳ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା । କିନ୍ତୁ ଆଜି ସକାଳେ ଭୂପତି ଘରେ ନ ଥିବା ବେଳେ ପଡ଼ୋଶୀ ପୁଣି ଝଗଡ଼ା ଆରମ୍ଭ କରିଥିଲେ । ତାଙ୍କ ସ୍ତ୍ରୀ ଓ ପୁଅ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା । ଫଳରେ ରାସମଣୀ ଓ ଅକ୍ଷୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସେମାନଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏ ନେଇ ଭୂପତି ବାଲିଆପାଳ ଥାନା ଏତଲା ଦେଇଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।
ସେହିପରି କମର୍ଦ୍ଦା ଥାନା ଅନ୍ତର୍ଗତ ଦେଉରା ଗାଁରେ ମଧ୍ୟ ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ହୋଇଛି । ଫଳରେ ଉଭୟ ପକ୍ଷର ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୂର୍ବ ଶତ୍ରୁତା ଲାଗି ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ, ଆହତ ସଂଖ୍ୟା ଚାରିରେ ପହଁଞ୍ଚିଲା