ଭଦ୍ରକରେ ଘଟିଲା ଅଘଟଣ, ରୋଷେଇ କଲାବେଳେ ଲାଗିଲା ନିଆଁ, ଦୁଇ ଶିଶୁଙ୍କ ସମେତ ମହିଳା ଗୁରୁତର..

ଭଦ୍ରକ: ଭଦ୍ରକରେ ରୋଷେଇ କରୁଥିବା ବେଳେ ଗ୍ୟାସରେ ପୋଡ଼ି ହୋଇ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କ ମଧ୍ୟରେ ଜଣେ ମହିଳା ଓ ୨ ଜଣ ଶିଶୁ ଅଛନ୍ତି । ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି ।ସୂଚନାନୁଯାୟୀ, ସୋମବାର ବିଳମ୍ୱିତ ରାତିରେ ପୁରୁଣା ବଜାର ଥାନା ଅଞ୍ଚଳରେ ଘର ଭିତରେ ରେହା ଖାତୁନ ରୋଷେଇ କରୁଥିଲେ । ପାଖରେ ତାଙ୍କର ୬ ବର୍ଷର ଫରିଦା ଖାତୁନ ଓ ସମ୍ପର୍କୀୟ ମିର୍ଜା କାଦିର ଥିଲେ । ଅସାବଧାନତା ଯୋଗୁ ଟାଙ୍କିରୁ ଗ୍ୟାସ୍‌ ନିର୍ଗତ ହୋଇଥିଲା । ପରେ ସେଥିରେ ନିଆଁ ଲାଗିଯିବାରୁ ରେହା, ତାଙ୍କ ଝିଅ ଫରିଦା ଓ ମିର୍ଜା ପୋଡ଼ି ହୋଇଯାଇଥିଲେ । ନିଆଁ ଜଳୁଥିବା ଦେଖି ରେହାଙ୍କ ଦିଅର ସେକ୍‌ ଅବ୍‌ଦ୍ଦୁଲ୍‌ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ପୋଡ଼ି ହୋଇଯାଇଥିଲେ । ପରିବାର ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି |