ଆଇଟିଆଇ ଛାତ୍ରଙ୍କ ମୃତ୍ୟୁକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା

ରାଉରକେଲା : ଆଜି ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁକୁ ନେଇ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି | ମୃତକ ଜଣକ ହେଲେ ରାଉରକେଲା ସରକାରୀ ଆଇଟିଆଇ କଲେଜର ଛାତ୍ର ଭାସ୍କର ସାହୁ । ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅନ୍ୟ ଛାତ୍ରମାନେ ଦାବି କରିଛନ୍ତି ।

ଭୁବନେଶ୍ୱରରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବିଦ୍ୟୁତ ସେବାକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ରାଉରକେଲା ସରକାରୀ ଆଇଟିଆଇ କଲେଜର ୩୭ ଜଣ ଛାତ୍ର ନିୟୋଜିତ ହୋଇଥିଲେ । ବୁଧବାର ଦିନ କାମ ସାରି ଇଣ୍ଟରସିଟିରେ ଫେରୁଥିବାବେଳେ ଭାସ୍କର ଟ୍ରେନ୍‌ରୁ ଖସିପଡ଼ିଥିଲେ । ରାଜଗାଙ୍ଗପୁର-କାଂଶପାଲ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । ଏହା ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କଲେ ମଧ୍ୟ ଆସି ନଥିଲା । ଫଳରେ ଚିକିତ୍ସାରେ ବିଳମ୍ବ ଯୋଗୁଁ ଭାସ୍କର ପ୍ରାଣ ହରାଇଥିଲେ । ଏ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହିତ ପରିବାର ଜଣେ ସଦସ୍ୟକୁ ସରକାରୀ ଚାକିରି ଦେବାକୁ ଦାବି କରାଯାଇଛି ।

ସେହିପରି କଲେଜ କର୍ତ୍ତୃପକ୍ଷ କହୁଥିବା ୫ ଲକ୍ଷ ଟଙ୍କା କ୍ଷତିପୂରଣର ପ୍ରମାଣ ଦେବାକୁ ଦାବି ହୋଇଛି । ଛାତ୍ରଛାତ୍ରୀମାନେ କ୍ଷତିପୂରଣ ଦାବିରେ ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ପ୍ରତିଶ୍ରୁତି ନ ମିଳିଛି ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।