କେଦାରନାଥରେ ମୋଦୀ: ହେଲିପ୍ୟାଡ଼୍‌ରୁ ମନ୍ଦିର ଯାଏଁ ଚାଲି ଚାଲି ଗଲେ ପ୍ରଧାନମନ୍ତ୍ରୀ

ଉତ୍ତରାଖଣ୍ଡ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନୀ ପ୍ରଚାର ଶେଷ ହେବା ପରେ ପ୍ରଭୁ ଭୋଳାନାଥଙ୍କ ଆର୍ଶୀବାଦ ନେଇଛନ୍ତି । ମୋଦୀ କେଦାରନାଥ ହେଲିପ୍ୟାଡ଼୍‌ରୁ ମନ୍ଦିର ଯାଏଁ ଚାଲି ଚାଲି ସେଠାରେ ଶିବଙ୍କ ଆରଧନା କରିଛନ୍ତି ସେଠାରେ ପ୍ରାୟ ଅଧା ଘଣ୍ଟା ଧରି ପୂଜାର୍ଚ୍ଚନା କରିଥିବା ସୂଚନା ମିଳିଛି ।
ଆଜି ଏକ ଭିନ୍ନ ରୂପରେ ମୋଦୀଙ୍କୁ ଦେଖିବାକୁ ମିଳିଛି । ଏକ ଲମ୍ବା କୁର୍ତ୍ତା ସହିତ ଅଣ୍ଟାରେ ବାନ୍ଧିଛନ୍ତି ଗେରୁଆ ରଙ୍ଗର ଗାମୁଛା ଏବଂ ମୁଣ୍ଡରେ ହିମାଚଳର ଟୋପି । ସକାଳ ପ୍ରାୟ ସାଢ଼େ ୯ଟାରେ ସେଠାରେ ତିଆରି ହୋଇଥିବା ସ୍ୱତନ୍ତ୍ର ହେଲିପ୍ୟାଡ଼୍‌ରେ ତାଙ୍କ ହେଲିକପ୍ଟର୍‌ ଓହ୍ଲାଇଥିଲା । ଏହା ପରେ ମୋଦୀ ସେଠାରେ ଚାଲି ଚାଲି ମନ୍ଦିର ଅଭିମୁଖେ ଯାଇଥିଲେ । ସେଠାରେ ତାଙ୍କର ପୁରୋହିତ ପ୍ରବୀଣ ତିୱାରୀ ଓ ବିକେଟିସିର ଆଚାର୍ଯ୍ୟ ଓମକାର ଶୁକ୍ଳା ପୂଜା କରାଇଛନ୍ତି । କେଦାରନାଥଙ୍କ ନିକଟରେ ଦୀପଦାନ କରିବା ସହିତ ରୁଦ୍ରାଭିଷେକ ଓ ଅନ୍ୟାନ୍ୟ ପୂଜାର୍ଚ୍ଚନା କରିଛନ୍ତି । ଗତ ୨ ବର୍ଷ ମଧ୍ୟରେ ମୋଦୀଙ୍କର ଏହା ହେଉଛି ଚତୁର୍ଥତମ କେଦାରନାଥ ଗସ୍ତ । ଆଜି ସେଠାରେ ତାଙ୍କର ରାତ୍ରି ଯାପନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମୋଦୀ ଲଢ଼ୁଥିବା ବାରଣାସୀ ଆସନରେ ମତଦାନ ହେବ । ସେଥିପାଇଁ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବଦ୍ରିନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।