ଫୋନି କ୍ଷତିଗ୍ରସ୍ତ: ଉଠାଦୋକାନୀଙ୍କୁ ୧୦ହଜାର ଟଙ୍କା, ସବୁଜ ବଳୟ ସୃଷ୍ଟି ପାଇଁ ୨୦୦କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ କ୍ଷତିଗ୍ରସ୍ତ ଉଠାଦେକାନୀ, ନଡ଼ିଆ ଚାଷୀ ଓ କୁକୁଡ଼ା ଚାଷୀଙ୍କ ପାଇଁ ଆଜି ରାଜ୍ୟ ସରକାର ୧୦୦କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ସହାୟତା ଦେବେ।
ବାତ୍ୟା ଯୋଗୁ ଜୀବିକା ପ୍ରଭାବିତ ହୋଇଥିବା ୧୧ଟି ସହରାଞ୍ଚଳର ୩୦ହଜାର ଉଠାଦୋକାନୀଙ୍କୁ ୧୦ହଜାର ଟଙ୍କା ଲେଖାଏ ନଗଦ ସହାୟତା ମିଳିବ। ସେହିପରି ଉପକୂଳ ଓଡ଼ିଶାରେ ଜୀବିକା ନିର୍ବାହର ମୁଖ୍ୟ ମାଧ୍ୟମ ପାଲଟିଥିବା ନଡ଼ିଆ ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ପ୍ରତି ଭଙ୍ଗା ନଡ଼ିଆ ଗଛ ପିଛା ୫୦୦ଟଙ୍କା ନଗଦ କ୍ଷତିପୂରଣ ମିଳିବ।ବହୁ କୁକୁଡ଼ା ଚାଷୀ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କୁକୁଡ଼ା ଚାଷ କରିଥିବା ଚାଷୀଙ୍କୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ସବସିଡ ପ୍ରଦାନ କରାଯିବ।

ସେହିପରି ବାତ୍ୟା ପ୍ରଭାବିତ ଉପକୂଳ ଅଞ୍ଚଳରେ ସବୁଜବଳୟର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୫ବର୍ଷିଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ୨୦୦କୋଟି ଟଙ୍କା ବ୍ୟୟ ଲକ୍ଷ୍ୟ ରଖାଯାଇଛି। ବାତ୍ୟା ପ୍ରଭାବିତ ସହରାଞ୍ଚଳରେ ବୃକ୍ଷରୋପଣ ଯୋଜନାରେ ଆସନ୍ତା ୫ବର୍ଷ ମଧ୍ୟରେ ୫ଲକ୍ଷ ବୃକ୍ଷରୋପଣ କରାଯିବ। ଚଳିତବର୍ଷ ୧ଲକ୍ଷ ଗଛ ଲଗାଯିବ। ଉପୁଡ଼ି ଯାଇଥିବା କିନ୍ତୁ ବଞ୍ôଚଯାଇଥିବା ୩୦ହଜାର ଗଛର ପୁନରୁଦ୍ଧାର ମଧ୍ୟ କରାଯିବ। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକଙ୍କ ଜୀବିକାର ପୁନରୁଦ୍ଧାର ପାଇଁ ୧୨ହଜାର ହେକ୍ଟରରେ ଫଳଚାଷ କରାଯିବ। ୫ଲକ୍ଷ ଫଳ ଚାରା ଯୋଗାଇଦିଆଯିବା ସହ ଲୋକଙ୍କ ଘରବାରିରେ ୪ଲକ୍ଷ ନ୍ୟୁଟ୍ରି-ଗାର୍ଡେନ କରାଯିବ। ୫ବର୍ଷ ମଧ୍ୟରେ ୮ହଜାର ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷରୋପଣ କରାଯିବ। ବାତ୍ୟାଞ୍ଚଳରେ ୨୦୧୮-୧୯ରେ ୬୫ଲକ୍ଷ ଚାରାରୋପଣ ଓ ଆବଣ୍ଟ କରାଯାଇଥିବାବେଳେ ଚଳିତବର୍ଷ ଏହାର ଦୁଇଗୁଣ ୧.୩୦କୋଟି ଚାରା ବଣ୍ଟନ କରାଯିବ। ବିଭିନ୍ନ ସଂସ୍ଥା ଓ ଜନସାଧାରଣଙ୍କୁ ୫୦ଲକ୍ଷ ଚାରା ମାଗଣାରେ ଦିଆଯିବ।

 

 

ଗାଡି ପୂଜାବେଳେ ପୂଜକ ମୃତ