ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଥର ଆଇପିଏଲ୍ ଟାଇଟଲ୍

ହାଇଦ୍ରାବାଦ: ଶେନ୍ ୱାଟସନଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ୱେ ଚେନ୍ନାଇ ସୁପର୍ କିଙ୍ଗସ୍ ଚଳିତ ଆଇପିଏଲର ଟାଇଟଲ୍ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ୧ ରନରେ ପରାସ୍ତ ହୋଇଛି। ଫଳରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଥର ଆଇପିଏଲ୍ ଟାଇଟଲ୍ ଜିତି ରେକର୍ଡ ସ୍ଥାପନ କରିଛି। ରବିବାର ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ହାଇଭୋଲଟେଜ୍ ଫାଇନାଲ୍ ମୁକାବିଲାରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା। ମୁମ୍ବାଇ ପକ୍ଷରୁ କାଏରନ୍ ପୋଲାର୍ଡ ସର୍ବାଧିକ ୪୧ (୨୫ ବଲ୍, ୩ ଚୌକା, ୩ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଯୋଗଦାନ କରିନଥିଲେ। ଜବାବରେ ଚେନ୍ନାଇ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୮ ରନ୍ କରି ପରାସ୍ତ ହୋଇଛି। ଚେନ୍ନାଇ ପକ୍ଷରୁ ୱାଟସନ୍ ୫୯ ବଲରେ ୮ ଚୌକା ଓ ୪ ଛକା ସହ ୮୦ ରନ୍ କରିଛନ୍ତି। ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇ ପାଇଁ ଆରମ୍ଭରୁ ଫାଫ୍ ଡୁପ୍ଲେସିସ୍ ଦ୍ରୁତ ରନ୍ ବ୍ୟାଟିଂ କରିଥିଲେ। ସେ ମାତ୍ର ୧୩ ବଲରେ ୩ ଚୌକା ଓ ୧ ଛକା ସହ ୨୬ ରନ୍ କରି କୃନାଲ୍ ପାଣ୍ଡ୍ୟାଙ୍କ ବଲରେ ଷ୍ଟମ୍ପିଂ ହୋଇଥିଲେ। ଏହା ପରେ ଗୋଟିଏ ପଟେ ୱାଟସନ୍ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ ୱିକେଟ୍ ପତନ ହେବାରେ ଲାଗିଥିଲା।