ଚର୍ଚ୍ଚାରେ ‘ପ୍ରଶଂସା’: ଭବିଷ୍ୟତ ପାଇଁ ବାଟ ଫିଟା ନା ସୌଜନ୍ୟ

ଭୁବନେଶ୍ୱର (ଓଏନଏ) : ବାତ୍ୟା ଫନି ସହାୟତାକୁ ନେଇ ବିଜେଡି-ବିଜେପିର ସମ୍ପର୍କକୁ ଏବେ ରାଜନୈତିକ ରଙ୍ଗ ଦେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ମୁକାବିଲା ପାଇଁ ପ୍ରଶଂସା କରିବା ଏବଂ ବାତ୍ୟା ସହାୟତା ନେଇ ମୋଦିଙ୍କୁ ନବୀନ ପ୍ରଶଂସା କରିବା ଘଟଣାକୁ ନେଇ ରାଜନୈତିକ ମହଲଠାରୁ ଆରମ୍ଭ କରି ଗଣମାଧ୍ୟମ ଓ ସାଧାରଣରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା । କେହି କେହି କହୁଛନ୍ତି ନିର୍ବାଚନପରର ସ୍ଥିତିକୁ ନେଇ ଉଭୟ ନିଜ ନିଜର ଆକଳନ କରିସାରିଲେଣି । ସେଥିପାଇଁ ପରସ୍ପରକୁ ସହାୟତା କରିବା ପାଇଁ ଏବେଠାରୁ ବାଟ ସଫା କରୁଛନ୍ତି । କିପରି ଉଭୟ ପକ୍ଷ ନିକଟତର ହେବେ ସେଥିନେଇ ଯୋଜନା ଚଳାଇଛନ୍ତି । ନବୀନ ମଧ୍ୟ ଇତି ମଧ୍ୟରେ ତାଙ୍କର ସମଦୂରତା ନୀତି ପ୍ରତ୍ୟାହାର କରିସାରିଛନ୍ତି । ଫନି ସେମାନଙ୍କୁ ଆଣିଦେଇଛି ସୁଯୋଗ ବୋଲି ଅନେକ ମତ ଦେଉଛନ୍ତି ।
ନିର୍ବାଚନ ସମୟରେ ବିଜେପି-ବିଜେଡିର ଯେଉଁ ତିକ୍ତତା ଓଡ଼ିଶା ରାଜନୀତିରେ ଦେଖାଯାଇଥିଲା ତାହାକୁ କେହି ଭୁଲି ନ ଥିବେ । ଏପରି କି ବ୍ୟକ୍ତିଗତସ୍ତରକୁ ଯାଇ ପରସ୍ପରକୁ କାଦୁଅ ଫିଙ୍ଗିବାକୁ କେହି ପଛାଇ ନାହାଁନ୍ତି । ଏକାଧିକ ବିଜେପିକର୍ମୀଙ୍କୁ ବିଜେଡିକର୍ମୀମାନେ ହତ୍ୟା କରିବା ଘଟଣାକୁ ଆଧାର କରି ମୋଦି ପ୍ରଚାରରେ ଆସିଥିଲ ବେଳେ ସିଧା ନବୀନଙ୍କୁ ଟାର୍ଗେଟ କରିଥିଲେ । ନବୀନଙ୍କ ନାମ ନେଇ କହିଥିଲେ ନବୀନ ବାବୁ ଏଥର କ୍ଷମତାରୁ ଯିବା ନିଶ୍ଚିତ । ଲୋକେ ତାଙ୍କୁ ଅପମାନଜନକ ଭାବେ ବିଦାୟ ଦେବେ ବୋଲି ମଧ୍ୟ ମୋଦି କହିଥିଲେ । ଏହାପରେ ନବୀନ ଭବିଷ୍ୟବାଣୀ କରି ସେ କ୍ଷମତାକୁ ଆସୁଥିବା କଥା ଦର୍ଶାଇବା ସହ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସିବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ କଥାରେ ସିଧା ନବୀନଙ୍କୁ ହିଁ ଟାର୍ଗେଟ କରୁଥିଲେ । ଏପରି ପିସ୍ଥିତି ହେଲା ଓଡ଼ିଶା ଲୋକଙ୍କ ମନରେ ଧର୍ମେନ୍ଦ୍ରଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିବା ପାଇଁ ବିଜେଡି ଉଦ୍ୟମ କରିଥିଲା । ସହରାଂଚଳରେ ଚାଲିଥିବା ଆହାର ଯୋଜନାକୁ ବନ୍ଦ କରିବା ପାଇଁ ଧର୍ମେନ୍ଦ୍ର ସଡ଼ଯନ୍ତ୍ର କରିଥିଲେ ବୋଲି ଦର୍ଶାଇ ତାଙ୍କ ଉଦ୍ଦେଶ୍ୟଷର ଗଣମାଧ୍ୟରେ ପୃଷ୍ଠା ପୃଷ୍ଠା ରଙ୍ଗୀନ ବିଜ୍ଞାପନ ବିଜେଡି ଦେଇଥିଲା । ବିଜ୍ଞାପନରେ ଧର୍ମେନ୍ଦ୍ରଙ୍କ ନାମ ନ ଥିବାରୁ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ତାହା ଧର୍ମେନ୍ଦ୍ରଙ୍କ କାର୍ଯ୍ୟବୋଲି ଦର୍ଶାଇଥିଲା । ଏଥିରୁସ୍ପଷ୍ଟ ଅନୁମେୟ ଯେ, ଉଭୟ ପକ୍ଷଙ୍କ ମଧ୍ୟରେ ତିକ୍ତତା କେତେଦୂର ଯାଇଥିଲା ।
କିନ୍ତୁ ଏବେ ସବୁ କିଛି ବଦଳାଇ ଦେଇଛି ଫନି । ଓଡ଼ିଶାରେ ନବୀନ ପଟ୍ଟନାୟକ ଏକ ଅପାରଗ ଶାସନ ଚଳାଇଛି ବୋଲି କହୁଥିବା ମୋଦି ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଗତ ୬ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିଲା ବେଳେ ସ୍ଥିତି ସମୀକ୍ଷା ପରେ ନବୀନଙ୍କୁ ଖୋଲାଖୋଲି ଧନ୍ୟବାଦ ଦେଇ ପ୍ରଶଂସା କରିଥିଲେ । ବାତ୍ୟା ମୁକାବିଲା ସଫଳତାର ସହ କରାଯିବା କଥା କହିଥିଲେ । ଏଥିସହ ନବୀନଙ୍କ ଅନୁରୋଧକ୍ରମେ ହଜାର କୋଟି ଟଙ୍କା ମଧ୍ୟବର୍ତ୍ତି କାଳିନ ସହାୟତା ଘୋଷଣା କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନଙ୍କ ପ୍ରସ୍ତାବକ୍ରମେ ହଜାର କିଲୋଲିଟର କିରୋସିନି ମାଗଣାରେ ଯୋଗାଇବା ପାଇଁ ବ୍ୟବସ୍ଥାକଲେ । କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ତୁରନ୍ତ କେନ୍ଦ୍ରୀୟଟିମ ମଧ୍ୟ ଆସିଲେ । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି ଓ କେନ୍ଦ୍ରର ସହାୟତା ନେଇ ପ୍ରଶଂସା କରିଛନ୍ତି ।
ଏବେ ଉଭୟ ପରସ୍ପରକୁ ପ୍ରଶଂସା କରିବା ଘଟଣାକୁ ନେଇ ବିଭିନ୍ନ ଆଲୋଚନା ଚାଲିଛି । କୁହାଯାଇଛି କେନ୍ଦ୍ରରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ନ ପାରେ । ଏଥିପାଇଁ ବିଜେପିକୁ ଆଂଚଳିକ ଦଳମାନଙ୍କର ସହାୟତା ନେବାକୁ ହେବ । ଏଥିଲାଗି ନବୀନଙ୍କ ସହ ମୋଦି ଆଗୁଆ ନୂତନ ସମ୍ପର୍କ ରଖିବାକୁ ଉଦ୍ୟମ କରିଛନ୍ତି । ସେଥିପାଇଁ ସହାୟତା ଦେବା ସହ ଯେଉଁ ନବୀନଙ୍କୁ ଅପରାଗ କହୁଥିଲେ ଶେଷରେ ତାଙ୍କର କାର୍ଯ୍ୟକୁ ନେଇ ପ୍ରଶଂସା କରିଛନ୍ତି । ନବୀନ ମଧ୍ୟ ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ସହାୟତା ଦେବା ଲାଗି ପ୍ରସ୍ତୁତ ବୋଲି ସୂଚନା ଦେବାକୁ ଚାହିଁଛନ୍ତି । ପାଲଟା ପ୍ରଶଂସା କରି ସେ ତାଙ୍କ ମନେଭାବ ଜଣାଇଛନ୍ତି ବୋଲି କୁହାଯାଉଛି ।
କିନ୍ତୁ କିଛି ବ୍ୟକ୍ତି ଭିନ୍ନ ମତ ରଖୁଛନ୍ତି । ସେମାଙ୍କ ମତରେ ବିପର୍ଯ୍ୟୟ ସମୟରେ ସହାୟତାଦେଇ ଯଦି ମୋଦି ରାଜନୀତି କରିବା ପାଇଁ ନବୀନଙ୍କୁ ସମାଲୋଚନା କରିଥାନ୍ତେ ତାହାହେଲେ ତାଙ୍କୁ ଲୋକେ ଖରାପ ଭାବିଥାନ୍ତେ । ଲୋକଙ୍କ ନଜରରେ ସେ ଛୋଟ ହୋଇଯାଇଥାନ୍ତ । ମହାନତା ଦେଖାଇବା ପାଇଁ ଏବଂ ବିପର୍ଯ୍ୟୟ ସମୟରେ ରାଜନୀତି କରିବା ଉଚିତ ନୁହେଁ ବୋଲି ଏକ ବାର୍ତ୍ତା ଦେବାପାଇଁ ମୋଦି ଜାଣିଶୁଣି ପ୍ରଶଂସା କରିଛନ୍ତି । ନବୀନ ମଧ୍ୟ ସେହିପରି କେନ୍ଦ୍ରୀୟ ଅବହେଳା କଥା ବାରମ୍ବାର କହୁଥିଲା ବେଳେ ଏବେ ସହାୟତା ପାଇଲା ପରେ ଯଦି ପ୍ରଶଂସାନ କରିବେ ତେବେ ତାଙ୍କୁ ମଧ୍ୟ ଲୋକେ ଖରାପ ଭାବିବେ । ସେ ମଧ୍ୟ ଲୋକଙ୍କ ନଜରରେ ଛୋଟ ହୋଇଯାଇଥାନ୍ତେ । ଏଣୁ ସେ ତାଙ୍କ ମହାନତା ଦେଖାଇବା ପାଇଁ ପ୍ରତିଦାନରେ ପାଲଟା ପ୍ରଶଂସା କରିଛନ୍ତି ବୋଲି କୁହାଯାଉଛି ।