ନିରଂଜନଙ୍କ ଉପରେ ବିଷ ଓଗାଳିଲେ କାହ୍ନୁ

ଭୁବନେଶ୍ୱର (ଓଏନଏ) : କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟ ପରେ ଦଳ ଭିତରେ କନ୍ଦଳ କ୍ରମେ ବଢ଼ିବାରେ ଲାଗିଛି । ଜଣକ ପରେ ଜଣେ ନେତା ସେମାନଙ୍କ ଅସନ୍ତୋଷ ଝାଡ଼ିବାରେ ଲାଗିଛନ୍ତି । ସମସ୍ତଙ୍କ ଟାର୍ଗେଟରେ ଏବେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଇତିମଧ୍ୟରେ ନିରଂଜନ ମଧ୍ୟ ଏଭଳି ସ୍ଥିତି ଆସିବ ବୋଲି ଆଗୁଆ ଜାଣି ସଭାପତି ପଦରୁ ଇସ୍ତଫା ଦେଇସାରିଛନ୍ତି । ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ, ସରତ ରାଉତଙ୍କ ପରେ ରବିବାର ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା ବିଷୋଦଗାର କରିଛନ୍ତି ।
ଦଳର ବିପର୍ଯ୍ୟୟ ନେଇ ଶ୍ରୀ ଲେଙ୍କା ସିଧାସଳଖ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଏ ନେଇ ଦାୟୀ କରିଛନ୍ତି । ପାରିବାରିକ ରାଜନୀତିକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଦଳର ବିପର୍ଯ୍ୟୟ ପାଇଁ ଇୟେ ଏକ କାରଣ ବୋଲି ସେ କହିଛନ୍ତି । ଏପରି କି ସେ ପିସିସି ସଭାପତିଙ୍କ ସହ ଭକ୍ତ ଚରଣ ଦାସ ଓ ହେମାନନ୍ଦ ବିଶ୍ୱାଳଙ୍କୁ ମଧ୍ୟ ଦାୟୀ କରିଛନ୍ତି । କଂଗ୍ରେସ ଭଳି ଏକ ଜାତୀୟ ଦଳକୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ବାପ-ପୁଅ ଦଳରେ ପରିଣତ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଦଳକୁ ମଝବୁତ କରିବେ ଏବଂ ପୁଞ୍ଜିପତି, ବ୍ୟବସାୟୀ ଓ କଳାବଜାରୀଙ୍କୁ ଦଳରୁ ହଟାଇବେ ବୋଲି ଉଦ୍ୟମ କରିବେ କହିଛନ୍ତି ।
ଶ୍ରୀ ଲେଙ୍କା ସିଧା ବାପ-ପୁଅ ରାଜନୀତି କଥା ଉଠାଇ ପିସିସି ସଭାପତିଙ୍କୁ ଟାର୍ଗେଟ କରି କହିଛନ୍ତି ନିଜେ ଦୁଇଟି ଜାଗାରେ ଛିଡ଼ା ହେଲ ଆଉ କଂଗ୍ରେସକୁ ସାରା ଓଡ଼ିଶାରେ ବାପ-ପୁଅ ଦଳରେ ପରିଣତ କରିଦେଲ । ଏଣୁ ମୁଁ ସିଦ୍ଧାନ୍ତ କରିଛି କଂଗ୍ରେସକୁ ବଂଚାଇବା ପାଇଁ ତଳସ୍ତରର ଲୋକମାନଙ୍କୁ ସଙ୍ଗଠିତ କରିବି । ଯେଉଁମାନେ ମୁନାଫାଖୋର, କଳାବଜାରୀ ଓ ଏହି ସବୁ ଗୋଷ୍ଠୀରେ ଯେଉଁମାନେ ଅଛନ୍ତି ସେମାନଙ୍କୁ କଂଗ୍ରେସକୁ ବିତାଡ଼ିତ କରିବା ପାଇଁ ଯୋଜନା କରିବି ବୋଲି ଶ୍ରୀ ଲେଙ୍କା କହିଛନ୍ତି ।
ଦଳର ଏହି ବିପର୍ଯ୍ୟୟ ନେଇ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି । ଆଗକୁ ଏହା ବିସ୍ଫୋରକ ପରିସ୍ଥିତି ଆଣିପାରେ ବୋଲି କୁହାଯାଉଛି । ୨୦୧୪ ନିର୍ବାଚନରେ ଦଳର ୧୬ ଜଣ ବିଧାୟକ ଥିଲା ବେଳେ ଏଥର ଏହା ୯କୁ ହ୍ରାସ ପାଇଛି । ସବୁଠାରୁ ବଡ଼ କଥା ହେଲା ଏତେବଡ଼ ଜାତୀୟ ଦଳ ଶେଷରେ ବିରୋଧୀ ଦଳର ମାନ୍ୟତା ମଧ୍ୟ ହରାଇଛି । କଂଗ୍ରେସ ରାଜ୍ୟରେ ଆସ୍ତେ ଆସ୍ତେ ନିଜର ସ୍ଥିତି ହରାଇବାକୁ ବସିଲାଣି ବୋଲି ଅନେକ ମତ ଦେଉଛନ୍ତି । ନିରଂଜନଙ୍କ ନେତୃତ୍ୱରେ ଦଳ ଆଗକୁ ବଢ଼ିବ ବୋଲି ଯେଉଁ ଆଶା ନେତା ଓ କର୍ମୀମାନେ ରଖିଥିଲେ ସେମାନେ ହତାଶ ହୋଇଛନ୍ତି ।