ସମ୍ପର୍କର ଡୋରି ବାନ୍ଧିବାକୁ ନିକଟତର ହେଉଛନ୍ତି ବିଜେପି-ବିଜେଡି

ଭୁବନେଶ୍ୱର: ନିର୍ବାଚନ ପରେ ବିଜେପି-ବିଜେଡି ସମ୍ପର୍କକୁ ନେଇ ରାଜନୈତିକ ଚର୍ଚ୍ଚା ଜୋରଧରିଥିଲା ବେଳେ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମତ ଏହି ଆଲୋଚନାକୁ ଅଧିକ ଖୋରାକ ଯୋଗାଉଛି । ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ପରିପ୍ରେକ୍ଷୀରେ ଉଦାହରଣ ଦେବାକୁ ଯାଇ ଶାହ ଓଡିଶା କଥା ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିବା ପରେ ଚର୍ଚ୍ଚା ଜୋର ଧରିଛି । ଶାହଙ୍କ ପ୍ରଶଂସା ବିଜେପି-ବିଜେଡି ପରସ୍ପରର ନିକଟତର ହେଉଥିବା ନେଇ ସବୁ ମହଲରେ ଆଲୋଚନା ଚାଲିଛି । ନିର୍ବାଚନ ସମୟରେ ହିଂସାକୁ ନେଇ ଯେଉଁ ଶାହ ଓଡିଶାରେ ନବୀନଙ୍କ ଉପରେ ବର୍ଷିଥିଲେ ସେ ଏବେ ପାଲଟା ଉଦାହରଣ ଦେଇ ପ୍ରଶଂସା କରୁଛନ୍ତି । ଏଣୁ ଏହା ପଛର ରହସ୍ୟକୁ ନେଇ ଉଠିଛି ପ୍ରଶ୍ନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ପରେ ନବୀନଙ୍କୁ ଶାହଙ୍କ ପ୍ରଶଂସା ଖବର ଆସିଛି । ସ୍ୱାଭାବିକ ଭାବେ ନବୀନଙ୍କୁ ନେଇ ନିର୍ବାଚନ ସମୟରେ ବିଜେପି ନେତା ମାନେ ଯେଭଳି ଭାବରେ ବର୍ଷୁଥିଲେ ଏବେ ସେମାନଙ୍କ ମୁହଁରେ ପ୍ରଂଶସା ଆସିବା ପରେ ସମସ୍ତଙ୍କ ମନରେ ସନ୍ଦେହ ଦେଖାଦେଉଛି ।
ଓଡିଶାରେ ନିର୍ବାଚନ ସରଥିବା ବେଳେ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ମଙ୍ଗଳବାର ଶାହ ପଶ୍ଚିମବଙ୍ଗକୁ ପ୍ରଚାରରେ ଯାଇଥିବା ବେଳେ ତାଙ୍କ ରୋଡ ଶୋ ସମୟରେ ହିଂସା କାଣ୍ଡ ଘଟିଥିଲା । ବାଡିଆପିଟା ସହ ପୋଡାଜଳା ମଧ୍ୟ ହୋଇଥିଲା । ଟିଏମସି କର୍ମୀ ଓ ବିଜେପି କର୍ମୀଙ୍କ ଭିତରେ ଗଣ୍ଡଗୋଳ ଚରମ ସୀମାରେ ପହଁଞ୍ଚିଥିଲା । ସେଠାରେ ଏକ ବଡ ଧରଣର ହିଂସା ଘଟଣା ଘଟିଥିଲା । ଏହାକୁ ନେଇ ବୁଧବାର ଦିଲ୍ଲୀରେ ଶାହ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି । ହିଂସା କଥା ଉଠାଇଲା ବେଳେ ସେ ଓଡିଶାକୁ ଉଦାହରଣ ଭାବେ ରଖିଛନ୍ତି । ଶାହ କହିଥିଲେ, ବିଜେପି ଶାସିତ କୌଣସି ରାଜ୍ୟରେ ଏପରି ହିଂସା ହେଉନାହିଁ । ବିଜେପିର ୧୬ଟି ରାଜ୍ୟରେ ଏପରି ଘଟିନାହିଁ । କିନ୍ତୁ କାହିଁକି ଏକ ମାତ୍ର ଟିଏମସି ଶାସିିତ ରାଜ୍ୟରେ ଏପରି ହିଂସା ହେଉଛି । ଦେଶ ଭିତରେ ଅନେକ ପ୍ରକାର ଶାସନ ଚାଲିଛି । ଓଡିଶାରେ ବି ତ ନବୀନଙ୍କ ଶାସନ ଚାଲିଛି । କାହିଁ ସେଠାରେ ତ ହିଂସା ହୋଇନାହିଁ ବୋଲି ଶାହ କହିଥିଲେ ।
ଶାହଙ୍କ ଏହି ମତକୁ ନେଇ ଏବେ ଚାଲିଛି ନାନା ଚର୍ଚ୍ଚା । ଓଡିଶାରେ ନିର୍ବାଚନ ସମୟରେ କେତେକ ସ୍ଥାନରେ ହିଂସା ଘଟିଥିଲା । ଏଥିରେ ତିନି ଚାରି ଜଣ ବିଜେପି କର୍ମୀ ଓ ସର୍ମଥକଙ୍କୁ ହତ୍ୟା କରାଯାଇଛି । ଏସବୁ ହତ୍ୟା ପଛରେ ବିଜେଡିର ହାତ ଅଛି ବୋଲି ବିଜେପି ନେତାମାନେ ସିଧାସଳଖ ଅଭିଯୋଗ କରିଛନ୍ତି । ନିର୍ବାଚନ ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ତାଙ୍କ ଶେଷ ପର୍ଯ୍ୟାୟରେ ଆସିଥିଲା ବେଳେ ବିଜେପି ନେତାଙ୍କ ହତ୍ୟା ଘଟଣା ଉଠାଇ ସିଧା ନବୀନଙ୍କ ଉପରେ ବର୍ଷିଥିଲେ । ଖୋର୍ଦ୍ଧାରେ ବିଜେଡି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାକୁ ଉଦାହରଣ ଦେଇ ମୋଦି ବିଜେଡିକୁ ଆଙ୍ଗୁଠି ଦେଖାଇଥିଲେ । ଆଉ କହିଥିଲେ ନବୀନଙ୍କ ବିଦାୟ ଦୁୁଃଖଦପୂର୍ଣ୍ଣ ହେବ । ଏପରିକି ପରେ ଶାହ ଯେତେବେଳେ ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ଆସିଥିଲେ ସେତେବେଳେ ମଧ୍ୟ ନବୀନଙ୍କ ଉପରେ ବର୍ଷିଥିଲେ । ବିଜେପି ନେତାମାନଙ୍କୁ ହତ୍ୟା କରାଯାଉଥିବା କଥା ଉଠାଇଥିଲେ । ଏହା ବିଜେଡିର ହତାଶଭାବର ପରିଚୟ ବୋଲି ସେ ଉଲ୍ଲେଖ କରିଥିଲେ । ସେହି ଶାହ ଏବେ ମମତାଙ୍କୁ ଗାଳି ଦେବାକୁ ଯାଇ ନବୀନଙ୍କ ଉଦାହରଣ ଦେଇ ପ୍ରଶଂସା କରିଛନ୍ତି । ନବୀନଙ୍କ ଶାସନରେ ହିଂସା ହେଉ ନଥିଲା ବୋଲି ସେ କହିଛନ୍ତି ।
ଏଠାରେ ପ୍ରଶ୍ନ କରାଯାଉଛି ଶାହ ଚାହିଁଥିଲେ ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟର ଉଦାହରଣ ଦେଇପାରିଥାନ୍ତେ । କିଛି ନ ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଉଦାହରଣ ଦେଇପାରିଥାନ୍ତେ । କାରଣ ପ୍ରଧାନମନ୍ତ୍ରୀ ସହ ତାଙ୍କର ସମ୍ପର୍କ ନିବିଡ ଥିଲା କିମ୍ବା ଅନ୍ୟ କୌଣସି ରାଜ୍ୟର କଥା ମଧ୍ୟ ଉଠାଇପାରିଥାନ୍ତେ । ହେଲେ ସେପରି ନ କରି ଯେଉଁ ରାଜ୍ୟରେ ବିଜେପିର ଏକାଧିକ କର୍ମୀଙ୍କୁ ହତ୍ୟା କରାଯାଇଛି ଓ ଯାହାଙ୍କ ମୁଣ୍ଡରେ ଏଥିନେଇ ବିଜେପିର ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟାନ୍ତ କେନ୍ଦ୍ରୀୟ ନେତାମାନେ ଅଠା ବୋଳୁଥିଲେ ଏବେ ତାଙ୍କୁ ପ୍ରଶଂସା କରୁଛନ୍ତି । ଜାତୀୟ ସ୍ତରରେ ନବୀନଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ଉତ୍ତମ ପ୍ରଶାସକ ଭାବେ ସାର୍ଟିଫିକେଟ ଦେବା ନେଇ ଅନେକ ସନ୍ଦେହ କରୁଛନ୍ତି । ଏହା ଫଛରେ ବିଜେପିର କିଛି ଭିତ୍ତିରି ଅଭିସନ୍ଧି ରହିଛି ବୋଲି ମଧ୍ୟ ଅନେକ ମତ ଦେଉଛନ୍ତି । ବିଜେପିର ଦୁଇ ମୁଖିଆ ମୋଦି ଓ ଶାହ ନବୀନଙ୍କୁ ପ୍ରଶଂସାର ସାର୍ଟିଫିକେଟ ଦେବା ପଛରେ ମେ ୨୩ ପରେ ଯେଉଁ ପରିସ୍ଥିତ ଘଟିବ ସେଥି ନେଇ ଆଗୁଆ ବାଟ ସଫା କରୁଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଚର୍ଚ୍ଚାରେ ‘ପ୍ରଶଂସା’: ଭବିଷ୍ୟତ ପାଇଁ ବାଟ ଫିଟା ନା ସୌଜନ୍ୟ