ପ୍ରଚାର କମିଟିରୁ ଭକ୍ତଙ୍କ ଇସ୍ତଫା

ଭୁବନେଶ୍ୱର: କଂଗ୍ରେସରେ ଏବେ ଜଣଙ୍କ ପରେ ଜଣେ ନେତା ବିଭିନ୍ନ ପଦପଦବୀରୁ ଇସ୍ତଫା ଦେବାରେ ଲାଗିଛନ୍ତି । ପୂର୍ବରୁ ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ନିର୍ବାଚନ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଥିଲା ବେଳେ ଆଜି ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି । ଏହା ପରେ ଏହାର କିଛି ସମୟ ପରେ ଦଳର ଅନ୍ୟତମ ବରିଷ୍ଠ ନେତା ଭକ୍ତଚରଣ ଦାସ ମଧ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଏଆଇସିସିର ସଙ୍ଗଠନ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ନିକଟକୁ ପଠାଇ ଦେଇଛନ୍ତି । ଇସ୍ତଫା ପତ୍ରରେ ଭକ୍ତ ଉଲ୍ଲେଖ କରିଛନ୍ତି ଯେ, ନିର୍ବାଚନରେ ଦଳର ବିଫଳତା ପାଇଁ ନୈତିକତା ଦୃଷ୍ଟିରୁ ସେ ଏହି ପଦକ୍ଷେପ ନେଇଛନ୍ତି । ନିର୍ବାଚନ ସମୟରେ ପ୍ରଚାର କମିଟିର ଅଧ୍ୟକ୍ଷ ହୋଇଥିଲେ ବି ପ୍ରଚାର କାର୍ଯ୍ୟରେ ସହେଯାଗ କରିପାରି ନାହାନ୍ତି । ଏପରିକି ଭଲ ପର୍ଦଶନ କରିବାରେ ମଧ୍ୟ ଫେଲ ମାରିଛନ୍ତି । ଦଳର ଏହି ବିଫଳତା ପାଇଁ ସେ ନିଜକୁ ଦାୟୀ କରିଛନ୍ତି । ଏଣୁ ନୂଆ ଲୋକଙ୍କୁ ଦାୟିତ୍ୱ ଦିଆଗଲେ ଭଲ ହେବ ଏବଂ ଦଳର ସଙ୍ଗଠନ ତୃଣମୂଳ ସ୍ତରରୁ ସଜାଡିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ଏଥର ନିର୍ବାଚନରେ ଭକ୍ତ ଓ ତାଙ୍କ ପୁଅ ସାଗର ଭଭୟ ନିର୍ବାଚନରେ ଲଢୁଥିଲେ । ଭକ୍ତ କଳାହାଣ୍ଡି ଲୋକସଭା ପାଇଁ ଓ ତାଙ୍କ ପୁଅ ବିଧାନସଭା ପାଇଁ ଲଢୁଥିଲେ । ହେଲେ ଉଭୟ ଫେଲ ମାରିଛନ୍ତି ।

ପଦ ଛାଡ଼ିବା ସହ ଦଳର ରାଜ୍ୟ ନେତୃତ୍ୱଙ୍କ ବିରୋଧରେ ବିଷୋଦଗାର କଲେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ