ଆଇଏସ୍‌ଆଇ ଅଭିନନ୍ଦନଙ୍କୁ ହେପାଜତକୁ ନେଇ ୪୦ ଘଣ୍ଟା କାଳ ନିର୍ଯାତନା ଦେଇଥିଲା

ନୂଆଦିଲ୍ଲୀ : ପୁଲଆମା ଆକ୍ରମଣ ଘଟଣାରେ ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ଦେବାକୁ ଯାଇ ପାକିସ୍ଥାନ ହାତରେ ଧାରା ପଡିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସମ୍ପର୍କରେ ବଡ଼ ଖବର ପଦାକୁ ଆସିଛି | ଅଭିନନ୍ଦଙ୍କୁ ଛାଡି ପାକିସ୍ତାନ ଶାନ୍ତି ସ୍ଥାପନ ପାଇଁ ବିଶ୍ୱ ଦରବାରରେ ନିଜର ଏକ ଭାବମୂର୍ତ୍ତି ସୃଷ୍ଟି କରିବାକୁ ଚାହୁଁଥିଲା | ହେଲେ ଏବେ ପାକିସ୍ତାନର ଅସଲ ଚେହେରା ପଦାକୁ ଆସିଛି। ପାକିସ୍ତାନୀ ସେନା ଅଭିନନ୍ଦଙ୍କୁ ଗିରଫ କରି ୬୦ ଘଣ୍ଟା ଧରି ରଖିବା ଭିତରେ ୪୦ ଘଣ୍ଟା ନିର୍ଯାତନା ଦେଇଥିଲା |

ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା। ଗିରଫ କରିବାର ୬୦ ଘଣ୍ଟା ମଧ୍ୟରେ ଭାରତକୁ ହସ୍ତାନ୍ତର କରିଥିଲା। କିନ୍ତୁ ଗିରଫ ପରେ ସେନା ଅଭିନନ୍ଦନଙ୍କୁ ଆଇଏସ୍‌ଆଇକୁ ହସ୍ତାନ୍ତର କରିଥିଲା | ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ତାଙ୍କୁ ନିଜ ହେପାଜତକୁ ନେଇ ଦୀର୍ଘ ୪୦ ଘଣ୍ଟାକାଳ ନିର୍ଯାତନା ଦେଇଥିବା ଘଟଣା ଏବେ ଜଣାପଡ଼ିଛି।

ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଅଭିନନ୍ଦନଙ୍କୁ ପାକ୍‌ ସେନା ଗିରଫ କରିବା ପରେ ଇସ୍‌ଲାମାବାଦରେ ରଖିଥିଲା। ହେଲେ ସେ ଗିରଫ ହେବାର ୪ରୁ ୫ ଘଣ୍ଟା ମଧ୍ୟରେ ପାକ୍‌ ଗୁଇନ୍ଦା ସଂସ୍ଥା ତାଙ୍କୁ ଇସ୍‌ଲାମାବାଦରୁ ରାୱଲପିଣ୍ଡିକୁ ନେଇ ଯାଇଥିଲା। ସେଠାରେ ତାଙ୍କୁ ଇଣ୍ଟରୋଗେସନ୍‌ ସେଲ୍‌ରେ ରଖାଯାଇ ନାନା ପ୍ରକାରର ନିର୍ଯାତନା ଦିଆଯାଇଥିଲା।

ଏହି ନିର୍ଯାତନା ବିଷୟ ନିଜେ ଅଭିନନ୍ଦନ ଭାରତ ଫେରିବା ପରେ ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି। ଆଇଏସ୍‌ଆଇ ପକ୍ଷରୁ ଅଭିନନ୍ଦନଙ୍କୁ ଉଭୟ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ଅଭିନନ୍ଦନ ଯେଉଁ ସେଲରେ ରହିଥିଲେ ସେଠାରେ କମ ଆଲୋକ ରହିଥିବା ବେଳେ ବିକୃତ ଧରଣର ମ୍ୟୁଜିକ ବାଜୁଥିଲା। ପ୍ରତି ଅଧଘଣ୍ଟାରେ ଜଣେ ବ୍ୟକ୍ତି ସେଠାକୁ ଯାଉଥିଲେ ଏବଂ ତାଙ୍କୁ ଚାପୁଡ଼ା ମାରୁଥିଲେ।

ତେବେ ରାୱଲପିଣ୍ଡିକୁ ଯିବା ପୂର୍ବରୁ ପାକ୍‌ ସେନା ଅଭିନନ୍ଦନଙ୍କୁ ସେମାନଙ୍କ ମେସ୍‌ରେ ରଖି ଭଲ ବ୍ୟବହାର କରୁଥିଲେ । ଏପରି କି ତାଙ୍କୁ ମେସ୍‌ରେ ଚା’ ପିଇବାକୁ ଦିଆଯାଇଥିଲା। ଅଭିନନ୍ଦନ ଯେଉଁ ଚା’ ପିଉଥିବା ଭିଡିଓ ଭାଇରାଲ ହୋଇଥିଲା, ତାହା ଉକ୍ତ ମେସ୍‌ରେ ହିଁ ଉଠାଯାଇଥିଲା। କିନ୍ତୁ ସେ ପାକ୍‌ ଆର୍ମିକୁ ପ୍ରଶଂସା କରୁଥିବାର ଯେଉଁ ଦ୍ୱିତୀୟ ଭିଡିଓ ଭାଇରାଲ ହୋଇଥିଲା, ତାହା ଫେକ୍‌ ଥିଲା। ଅଭିନନ୍ଦନ କୌଣସି ପ୍ରକାରର ଏଭଳି ଭିଡିଓ କରିନାହାନ୍ତି। ଏହାକୁ ପାକ୍‌ ନିଜର ପ୍ରଚାର ପାଇଁ ଏଭଳି କରିଥିଲା।

ଅଭିନନ୍ଦନ ପାକିସ୍ତାନରୁ ‍ଫେରିବା ପରେ ତାଙ୍କୁ ସେନା ମୁଖ୍ୟାଳୟ ହସ୍ପିଟାଲ୍‌ରେ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯିବା ସହ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା। ଏହି ସମୟରେ ସେ ସବୁ କଥା ଭାରତୀୟ ଅଧିକାରୀଙ୍କୁ କହିଥିଲେ। ଯାହା ଏବେ ପଦାକୁ ଆସିଛି |