ବସ-ଭ୍ୟାନ ମୁହାଁମୁହିଁ ଧକ୍କା, ୧୫ ଯାତ୍ରୀ ମୃତ

ଅମରାବତୀ: ରାଜ୍ୟ ଓ ରାଜ୍ୟ ବାହାରେ ଦୁର୍ଘଟଣାର ସଂଖ୍ୟା ଜୋରସୋରରେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି | ତେବେ ଆଜି ହାଇଦ୍ରାବାଦ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି | ଆନ୍ଧ୍ରପ୍ରଦେଶ କୁରନୋଲ ଜିଲ୍ଲାର ଭେଲଦୁର୍ଥୀରେ ଶନିବାର ଏହି ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ବିପରୀତ ଦିଗରୁ ଆସୁଥିବା ଏକ ଭ୍ୟାନକୁ ଧକ୍କା ଦେବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ରହିଛି ।
ତେଲେଙ୍ଗାନା ପୁଲିସର ସୂଚନା ଅନୁଯାୟୀ ଏକ ଦୁଇ ଚକିଆ ଗାଡ଼ିକୁ ସୁରକ୍ଷିତ ରଖିବାକୁ ଯାଇ ଯାତ୍ରୀବାହୀ ବସଟି ଭ୍ୟାନ ଉପରକୁ ମାଡ଼ି ଯାଇଥିଲା । ମୃତକଙ୍କ ଘର ତେଲେଙ୍ଗାନାର ଜୋଗୁଲମ୍ବା ଗଡଓ୍ଲଲ ଜିଲ୍ଲା ବୋଲି ଜଣାପଡ଼ିଛି । ଏକ ବିବାହ ନିର୍ବନ୍ଧ ସାରି ଘରକୁ କାରରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ତେବେ ମୃତକ ସମସ୍ତେ କାରରେ ଥିବା ଯାତ୍ରୀ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ଏହି ଦୁର୍ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଓ୍ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ରେଡ଼ୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।