ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଚୟନ

ନୂଆଦିଲ୍ଲୀ: ଇଂଲଣ୍ଡରେ ହେବାକୁଥିବା ଆଇସିସି ବିଶ୍ୱକପ୍ ପାଇଁ ଭାରତୀୟ ଟିମର ଘୋଷଣା ଆସନ୍ତା ୧୫ ତାରିଖରେ ହେବ । ଆସନ୍ତା ସୋମବାର ମୁମ୍ବାଇରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସିନିୟର ଚୟନକମିଟି ଏବଂ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଟିମ୍ ଚୟନ ପାଇଁ ବୈଠକ ବସିବ ବୋଲି ସୂଚନା ମିଳିଛି । ବିଶ୍ୱକପ ଦଳ ଚୟନ ପାଇଁ ଶେଷ ତାରିଖ ଏପ୍ରିଲ ୨୩ ରଖାଯାଇଛି, ତେଣୁ ଏହାର ୮ଦିନ ପୂର୍ବରୁ ହିଁ ବିସିସିଆଇ ଟିମ୍ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି । ଦୁଇଥରର ଚାମ୍ପିଅନ୍ ଭାରତର ବିଶ୍ୱକପ୍ ଦଳ ପ୍ରାୟତଃ ନିର୍ଦ୍ଧାରିତ ହୋଇସାରିଛି, କିନ୍ତୁ ଚତୁର୍ଥ ସ୍ଥାନ ପାଇଁ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ, ତାହା ସ୍ଥିର ହୋଇପାରିନାହିଁ।ଏହି ସ୍ଥାନ ପାଇଁ ଅମ୍ବାତି ରାୟୁଡୁଙ୍କୁ ପ୍ରଥମ ପସନ୍ଦ ବୋଲି କୁହାଯାଉଥିଲା, କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖରାପ ପ୍ରଦର୍ଶନ କାରଣରୁ ତାଙ୍କର ଖେଳିବା ନେଇ ସନ୍ଦେହ ଉପୁଜିଛି। ଏହି ସ୍ଥାନ ପାଇଁ ଲୋକେଶ ରାହୁଲ, ଋଷଭ ପନ୍ତ ଓ ବିଜୟ ଶଙ୍କର ମଧ୍ୟ ଦୌଡ଼ରେ ଅଛନ୍ତି । ତେବେ ଏହି ସ୍ଥାନ ପାଇଁ କିଏ ଉପଯୁକ୍ତ, ତାହା ଚୟନକର୍ତ୍ତା ଓ ଅଧିନାୟକ ବିରାଟଙ୍କ ଉପରେ ନ୍ୟସ୍ତ । ସୂଚନାଯୋଗ୍ୟ, ମେ’ ୩୦ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବ ଏବଂ ଜୁଲାଇ ୧୪ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଜୁନ୍ ୫ ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ଖେଳି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ।