ନବୀନ, ନରସିଂହଙ୍କ ସମେତ ବହୁ ପ୍ରତିଷ୍ଠିତ ନେତା ଓ ସମ୍ପର୍କୀୟଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର (ଓଏନଏ): ଆଜି ରାତି ପାହିଲେ ଭୋଟ । ରାଜ୍ୟର ବହୁ ପ୍ରତିଷ୍ଠିତ ରାଜନେତାଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ । ଏପରି କି ଏହି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିବେ ଭୋଟରମାନେ । ଏପରିକି ପାରିବାରିକ ବ୍ୟବସ୍ଥାକୁ ଭୋଟର କିଭଳି ଗ୍ରହଣ କରୁଛନ୍ତି ତାହା ମଧ୍ୟ ସ୍ପଷ୍ଟ ହେବ । ଏପରି କି ବାଚସ୍ପତି ପ୍ରଦୀପ କୁମାର ଅମାତ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଭାଗ୍ୟ ପରୀକ୍ଷା ଦେବାକୁ ଅବତୀର୍ଣ୍ଣ ହୋଇଛନ୍ତି । ଏହି ପର୍ଯ୍ୟାୟରେ ବାପ-ପୁଅ, ସ୍ୱାମୀ-ସ୍ତ୍ରୀ, ଭାଇ-ଭାଇ, ଭଉଣୀ-ଭଉଣୀ ମଧ୍ୟ ଭାଗ୍ୟ ପରୀକ୍ଷା ଦେବାକୁ ଅବତୀର୍ଣ୍ଣ ହୋଇଥିବାରୁ ସେମାନଙ୍କ ଭିତରୁ କାହାକୁ ଲୋକେ ପସନ୍ଦ କରୁଛନ୍ତି ତାହା ମଧ୍ୟ ଜଣାପଡ଼ିବ ।
ଏହି ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ଭୋଟ ହେବ । ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ପାଦଦେବା ପରଠାରୁ ଏଥର ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେ ତାଙ୍କ ପୁରୁଣା ହିଞ୍ଜିଳି ନିର୍ବାନଚମଣ୍ଡଳୀ ସହ ବରଗଡ଼ ଜିଲ୍ଲାର ବିଜେପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଦୁଇଟିଯାକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଲୋକେ ତାଙ୍କୁ ପଠାଉଛନ୍ତି କି ରୋକୁଛନ୍ତି ତାହା ଉପରେ ନଜର ରହିଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସୁନ୍ଦରଗଡ଼ ଲୋକସଭାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଜୁଏଲ ଗତଥର ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି । ଏଥର ପୁଣି ଜିତିବାର ଆଶା ରଖିଛନ୍ତି । ବାଚସ୍ପତି ପ୍ରଦୀପ ଅମାତ ତାଙ୍କର ବୌଦ୍ଦ ଆସନରୁ ପୁଣି ପ୍ରାର୍ଥୀ ହୋଇ ଭାଗ୍ୟ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କ ବଲାଙ୍ଗୀର ଆସନରୁ ପୁଣି ଏଥର ପ୍ରାର୍ଥୀ ହୋଇଥିବାରୁ ଲୋକେ ତାଙ୍କୁ ଆଉଥରେ ସୁଯୋଗ ଦେଉଛନ୍ତି କି ନାହିଁ ତାହା ଦେଖିବା କଥା । ଏପରି କି ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ମଧ୍ୟ କଂଗ୍ରେସରୁ ବଲାଙ୍ଗୀର ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି । ପ୍ରଥମଥର ପାଇଁ ସମରେନ୍ଦ୍ର ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ପିତା-ପୁତ୍ର ଗୋଟିଏ ଜିଲ୍ଲାରେ ଗୋଟିଏ ଦଳରୁ ଲଢ଼ୁଛନ୍ତି । ସେହିପରି ସେହି ବଲାଙ୍ଗୀର ଜିଲ୍ଲାରୁ ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ ତାଙ୍କ ପାଟଣାଗଡ଼ ବିଧାନଭା ଆସନରୁ ପୁଣି ପ୍ରତିଦ୍ୱନ୍ଦ୍ୱିତା କରୁଥିଲା ବେଳେ ତାଙ୍କ ପତ୍ନୀ ବିଜେପିର ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ସ୍ୱାମୀ-ସ୍ତ୍ରୀ ଗତଥର ପ୍ରାର୍ଥୀ ହୋଇଥିଲେ । ହେଲେ ଲୋକେ ସ୍ୱାମୀଙ୍କୁ ଗ୍ରହଣ କରିଥିଲା ବେଳେ ସ୍ତ୍ରୀଙ୍କୁ ସୁଯୋଗ ଦେଇ ନ ଥିଲେ । ଏଥର ଲୋକେ କଣ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବା କଥା । କଂଗ୍ରେସରୁ ସୁନ୍ଦରଗଡ଼ ଲୋକସଭା ଆସନରୁ ଜଜ ତିର୍କୀ ଲୋକସଭା ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ପୁଅ ରୋହିତ ଯୋଜେଫ ତୀର୍କୀ ମଧ୍ୟ ବୀରମିତ୍ରପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଜଜ ବିଧାନସଭା ଛାଡ଼ି ଲୋକସଭାକୁ ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ପୁଅ ପ୍ରଥମଥର ଲାଗି ବାପାଙ୍କ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଏଥର ନିର୍ବାଚନ ଲଢ଼ୁନାହାଁନ୍ତି । ହେଲେ ତାଙ୍କର ଦୁଇ ଝିଅ ଏଥର ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଗୋଟିଏ ଝିଅ ବିଜେଡିରୁ ସୁନ୍ଦରଗଡ଼ ଲୋକସଭାରୁ ପ୍ରାର୍ଥୀ ହୋଇଥିଲା ବେଳେ ଆଉ ଗୋଟିଏ ଝିଅ ଅମିତା ବିଶ୍ୱାଳ କଂଗ୍ରେସରୁ ସୁନ୍ଦରଗଡ଼ ବିଧାନସଭା ଆସନରୁ ଲଢ଼ୁଛନ୍ତି । ଦୁଇ ଭଉଣୀ ଦୁଇଟି ଦଳରୁ ଲଢ଼ୁଛନ୍ତି ।
କେବଳ କେନ୍ଦ୍ରମନ୍ତ୍ରୀ ନୁହଁନ୍ତି ଏହି ପର୍ଯ୍ୟାୟରେ ରାଜ୍ୟମନ୍ତ୍ରୀମାନେ ମଧ୍ୟ ଲଢ଼ୁଛନ୍ତି । ଏଥିରେ ବିକ୍ରମ କେଶରୀ ଆରୁଖ ତାଙ୍କ ଭଞ୍ଜନଗର ଆସନରୁ, ନିରଂଜନ ପୁଜାରୀ ସୋନପୁରରୁ, ଏଥିରେ ମନ୍ତ୍ରୀ ସୁଶାନ୍ତ ସିଂହ ଭଟଲିରୁ, ସ୍ନେହାଙ୍ଗୀନି ଛୁରିଆ ଅତାବିରାରୁ ପ୍ରାର୍ଥୀ ହୋଇଛନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହାଣ୍ଡିଶାଳରୁ ଜଣେ ବୃଦ୍ଧା ମହିଳାଙ୍କୁ ଉଠାଇ ଆଣି ସିଧା ରାଜନୀତି ମୈଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍କା ଲୋକସଭା ଆସନରୁ ଅବତୀର୍ଣ୍ଣ କରିଥିବା ପ୍ରମୀଳ ବିଶୋଇ ମଧ୍ୟ ତାଙ୍କ ଭାଗ୍ୟ ପରୀକ୍ଷା ଦେବାକୁ ଅବତୀର୍ଣ୍ଣ ହୋଇଛନ୍ତି । ମୁଖମନ୍ତ୍ରୀଙ୍କ ଏହି ଉଦ୍ୟମକୁ ଭୋଟରାମନେ କିପରି ଗ୍ରହଣ କରୁଛନ୍ତି ତାହା ଉପରେ ମଧ୍ୟ ନଜର ରହିଛି ।