ଦୁଇ ଓଲିଉଡ ହିରୋ କାଦୁଅ ଫିଙ୍ଗା

ଭୁବନେଶ୍ୱର (ଓଏନଏ): ରାଜ୍ୟରେ ସାଧାରଣ ନିର୍ବାଚନ ପ୍ରକ୍ରୀୟା ଆରମ୍ଭ ହୋଇଛି । ଏଥିରେ ରାଜନେତାମାନେ ବିଭିନ୍ନ ଭୂମିକା ଗ୍ରହଣ କରୁଛନ୍ତି । ସେମାନଙ୍କ ଭିତରେ ଆରୋପ ଓ ପ୍ରତ୍ୟାରୋପ ଚାଲିଛି । ହେଲେ ଏହି ତିକ୍ତତା ଭିତରେ ଏବେ ସିନେଷ୍ଟାରମାନେ ଫସିଲେଣି । ସେମାନେ ବି ରାଜନୀତି ପାଇଁ ପରସ୍ପରକୁ କାଦୁଅ ଫିଙ୍ଗିବା ଓ କଟୁ ସମାଲୋଚନା କରିବା ଆରମ୍ଭ କରିଦେଲେଣି । ସେମାନେ ବି ରାଜନୀତିକ ସ୍ତରରେ ବିଭାଜିତ ହେଲେଣି । ଆଉ ସିନେ କଳାକାର ଏକ ହୋଇ ରହି ନ ଥିବା ଦେଖାଯାଉଛି । ଏଭଳି ଏକ ରୋଚକସ୍ଥିତି କେନ୍ଦ୍ରାପଡ଼ା ନିର୍ବାଚନରେ ଦେଖିବାକୁ ମିଳିଛି । ସୁନାମଧନ୍ୟ ତଥା ଲୋକପ୍ରୀୟ ଓଲିଉଡର ଚକଲେଟ ହିରୋ ବାବୁସାନ ମହାନ୍ତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆଉଜଣେ ଓଲିଉଡ ହିରୋ ଅନୁଭବ ମହାନ୍ତି । ବିଜେପି ପାର୍ଥୀଙ୍କ ପାଇଁ ବାବୁସାନା ପ୍ରଚାର କରିବାକୁ ଆସିଥିବାରୁ ସେ ପଇସା ନେଇ ତାଙ୍କୁ ଯାହା କୁହାଯାଉଛି ତାହା କହୁଛନ୍ତି ବୋଲି ଅନୁଭବ ଅଭିଯୋଗ କରିଛନ୍ତି । ବାବୁସାନ ପଇସା ନେଇ ପ୍ରଚାର ମଇଦାନକୁ ଆସୁଛନ୍ତି ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା କଥା ମଧ୍ୟ ଉଠାଇଛନ୍ତି । ଅନୁଭବଙ୍କ ଏହି ମନ୍ତବ୍ୟ ସିନେ କଳାକାରଙ୍କଠାରୁ ଆରମ୍ଭ କରି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ଏକ ନିର୍ବାଚନୀ ସଭାରେ ବାବୁସାନ ଅନୁଭବଙ୍କୁ ଆକ୍ଷେପ କରି କଡ଼ା ସମାଲୋଚନା କରିଥିଲେ । ସିନେମାର ଡାଇଲାଗ ନିର୍ବାଚନରେ ଚଳିବ ନାହିଁ ଲୋକଙ୍କ ପାଇଁ ସିନେମା ହିରୋ ନୁହେଁ ପ୍ରକୃତ ମାଟିର ହିରୋ ଦରକାର ବୋଲି ଅନୁଭବଙ୍କ ନାଁ ନ ନେଇ ବାବୁସାନ କହିଛନ୍ତି ।
କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେପିରୁ ବୈଜୟନ୍ତ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ବିଜେଡିରୁ ଅଲିଉଡ ହିରୋ ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି । ଦୁଇଦିନ ତଳେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିସ ଅଂଚଳରେ ଏକ ନିର୍ବାଚନୀ ସଭା ବୈଜୟନ୍ତ ପଣ୍ଡା ଆୟୋଜନ କରିଥିଲେ । ଏଠାରେ ବୈଜୟନ୍ତଙ୍କ ପାଇଁ ପ୍ରଚାର କରିବାକୁ ବାବୁସାନ ଆସିଥିଲେ । ବାବୁସାନଙ୍କ ମା’ ଅପରାଜିତା ମହାନ୍ତି ବିଜେପିରେ ଯୋଗ ଦେଇଛନ୍ତି ଓ ସେ ବିଜେପି ଉତ୍ତର-ଭୁବନେଶ୍ୱର ପ୍ରାର୍ଥୀଭାବେ ଲଢ଼ୁଛନ୍ତି । ଏଣୁ ବାବୁସାନ ବିଜେପି ପାଇଁ ପ୍ରଚାର କରିବା ସ୍ୱଭାବିକ । ଏପରି କି ସେ ଖୋଲାଖୋଲି ଭାବେ ନିର୍ବାଚନୀସଭାରେ କହିଥିଲେ ଆଜି ସେ ଯେଉଁସ୍ତରରେ ପହଂଚିଛନ୍ତି ଓ ଲୋକଙ୍କ ପ୍ରୀୟଭାଜନ ହୋଇଛନ୍ତି ତାହା ପଛରେ ବୈଜୟନ୍ତ ପଣ୍ଡାଙ୍କର ବହୁ ହାତ ଅଛି । ଏଣୁ ତାଙ୍କ ପାଇଁ ପ୍ରଚାରକୁ ଆସିବା ତାଙ୍କର କର୍ତ୍ତବ୍ୟ ବୋଲି ସୂଚନାଇବାକୁ ଚାହିଁଛନ୍ତି । ଏହି ଅବସରରେ ଜନସଭାକୁ ଉଦବୋଧନ ଦେଇ ବାବୁସାନ କହିଥିଲେ ବୈଜୟନ୍ତ ପଣ୍ଡା ୧୦ ବର୍ଷ ହେଲା କେନ୍ଦ୍ରାପଡ଼ା ପାଇଁ କାମ କରିଛନ୍ତି । କେନ୍ଦ୍ରାପଡ଼ାର ଉନ୍ନତି ପାଇଁ, ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ସବୁଠାରୁ ମୂଳ କଥାହେଲା କେନ୍ଦ୍ରାପଡ଼ାବାସୀଙ୍କ ସ୍ୱାଭୀମାନ ପାଇଁ, ମାନସମ୍ମାନ ପାଇଁ ସେ ଲଢ଼େଇ କରିଛନ୍ତି । ସେ କେବଳ ଆପଣଙ୍କର ପ୍ରତିନିଧି ନୁହଁନ୍ତି ଆପଣମାନଙ୍କର ଦରଦୀ ବନ୍ଧୁ । ମୁଁ ସତ କଥା ଗୋଟିଏ କହିବି । ମୁଁ ରାଜନୀତି ଜାଣିନାହିଁ । କିନ୍ତୁ ମୁଁ ବୋକା ନୁହେଁ । ଯେଉଁଠି ସ୍ୱାଭିମାନର କଥା ଆସିବ, ଯେଉଁଠି ଇଜ୍ଜତର କଥା ଆସିବ, ଯେଉଁଠି ସମ୍ମାନର କଥା ଆସିବ ସେଠି ଆଜ୍ଞା ଡାଇଲଗ ବାଜି ଚଳିବନାହିଁ । ସେଠି ଓରିଜିନାଲ ହିରୋ ଦରକାର । ସେଠି ରିଅଲ ହିରୋ ଦରକାର । ସେଠି ମାଟିର ପୁଅ ଦରକାର ସେଠି ବୈଜୟନ୍ତ ପଣ୍ଡା ଦରକାର ବୋଲି ବାବୁସାନ କହିଥିଲେ ।
ବାବୁସାନଙ୍କ ଏହି ସମାଲୋଚନାର ଉତ୍ତର ଦେବାକୁ ଯାଇ ଅନୁଭବ ମଧ୍ୟ ବୈଜୟନ୍ତ ଓ ବାବୁସାନଙ୍କ ନାଁ ନ ନେଇ ତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ପ୍ରକୃତରେ ସେ ହେଉଛନ୍ତି ରିଲ ହିରୋ ମୁଁ ହେଉଛି ରାଜ୍ୟସଭା ସାଂସଦ । ଆଉ ସେ ନିଜ ବିଷୟରେ କହୁଛନ୍ତି ଏଠି ସେ ଦରକାର ନୁହଁନ୍ତି । ବରଂ ଏଠି ରିୟଲ ହିରୋ ଦରକାର । ମୁଁ ରାଜ୍ୟସଭାରେ ଓଡ଼ିଶାରେ ସ୍ୱାର୍ଥ ସ୍ୱାଭିମାନ କଥା ଉଠାଇଛି ତାହା ସେ ଜାଣିବା ଦରକାର । ନିଜର ଶିକ୍ଷାଗତ ଯୋଗ୍ୟତା ବଢ଼ାଇବା ଦରକାର । ବାକି ସେ ଜାଣିବା ଦରକାର ତାଙ୍କର ମା’ ଅପରାଜିତା ମାଡାମ ସେ ବି ରିଲ ହିରୋଇନ । ସେ ବି ନିର୍ବାଚନରେ ଛିଡ଼ା ହୋଇଛନ୍ତି । ହୁଏତ ସେ ଏକଥା କହି ତାଙ୍କ ମା’ଙ୍କ ବିରୋଧ କହିକି ଯାଇଛନ୍ତି । ସେ ଆସିବାର ଦିନେ ଦୁଇ ଦିନ ପୂର୍ବରୁ ମୁଁ ଯଦି ଭୁଲ କହୁ ନ ଥାଏ, ଯେଉଁ ନେତା ତାଙ୍କୁ ଏଠିକି ନେଇକିରି ଆସିଥିଲେ ସେ ନିଜର ଗଣମାଧ୍ୟମରେ କହିଥିଲେ ଯେ, ଅଭିନେତାମାନେ ସ୍କ୍ରିପ୍ଟରେ ଯାହା ଲେଖାଯାଇଥାଏ ତାହା ହିଁ କୁହଁନ୍ତି । ବୋଧହୁଏ ତାଙ୍କର ନିଜ କର୍ମ ଉପରେ ବିଶ୍ୱାସ ହଜିଯାଇଥିଲା । ସେ କଣ ଉନ୍ନତିମୂଳକ କାର୍ଯ୍ୟ ଏଠାରେ କରିଛନ୍ତି ତାହା ନିଜେ ଜାଣିପାରିଛନ୍ତି ଓ ରିଏଲାଇଜ କରିପାରିଛନ୍ତି । ଯେଉଁଥିପାଇଁ ଭୟଭିତ ହୋଇ ସେ ପଇସା ଦେଇ ଜଣେ ଅଭିନେତାକୁ ଆଣିଥିଲେ ଯେଉଁ ସ୍କ୍ରିପ୍ଟର ଦେଇଥିଲେ ତାହା ସେ ଏଠାରେ କହିକି ଯାଇଛନ୍ତି । କଣ ହେବ ଏଠାକାର କେନ୍ଦ୍ରାପଡ଼ା ମାଟି କହିବ । ରିଅଲ ହିରୋ ହେବା ପାଇଁ ମୁଁ ଅକ୍ଳାନ୍ତ ପରିଶ୍ରମ କରିବି ବୋଲି ଅନୁଭବ କହିଛନ୍ତି ।