ବ୍ୟସ୍ତତା ଯୋଗୁ ‘ସାଇନା’ ହାତଛଡ଼ା କଲେ ଶ୍ରଦ୍ଧା

ଶ୍ରଦ୍ଧା କପୁର ବର୍ତ୍ତମାନ ସମୟରେ ବଲିଉଡ୍ ଇଣ୍ଡଷ୍ଟ୍ରିର ସବୁଠୁ ବ୍ୟସ୍ତ ଅଭିନେତ୍ରୀ ଭାବେ ଜଣାଶୁଣା । ଏବେ ତାଙ୍କ ହାତରେ ଦୁଇଦୁଇଟି
ଫିଲ୍ମକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଗୋଟିଏ ପ୍ରଭାସଙ୍କ ସହ ‘ସାହୋ’ ଏବଂ ଦ୍ୱିତୀୟଟି ‘ଷ୍ଟ୍ରିଟ୍ ଡ୍ୟାନ୍ସର୍’ । ଏହାସାଙ୍ଗକୁ ବେଶ୍
କିଛିଦିନ ହେବ ସାଇନା ନେହୱାଲ୍ଙ୍କ ବାୟୋପିକ୍ରେ ତାଙ୍କ ଅଭିନୟକୁ ନେଇ ଚର୍ଚ୍ଚା ସରଗରମ ଥିଲା । ଏମିତିକି ଶ୍ରଦ୍ଧା ସାଇନାଙ୍କ
ବାୟୋପିକ୍ରେ ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣ ହେଉଥିବା କଥା ଗଣମାଧ୍ୟମରେ ଆଲୋଚନା ହେଉଥିଲା । କେବଳ ସେତିକି ନୁହେଁ,
ଶ୍ରଦ୍ଧା ଏହି ବାୟୋପିକ୍ ଫିଲ୍ମ ପାଇଁ ସାଇନାଙ୍କଠାରୁ ବ୍ୟାଡ୍ମିଟନ୍ ଖେଳର ପ୍ରଶିକ୍ଷଣ ମଧ୍ୟ ନେଇଥିଲେ । ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ସବୁକିଛି ଓଲଟପାଲଟ ହୋଇଯାଇଛି । ଶୁଣିବାକୁ ମିଳୁଛି, ଶ୍ରଦ୍ଧା କପୁର ସାଇନାଙ୍କ ବାୟୋପିକ୍ ଫିଲ୍ମକୁ ହାତଛଡ଼ା କରିଛନ୍ତି । ଏହା ପଛର କାରଣ ହେଉଛି ତାଙ୍କ ବ୍ୟସ୍ତତା । କାରଣ ଏବେ ସେ ‘ଛିଛୋରେ’, ‘ଷ୍ଟ୍ରିଟ୍ ଡ୍ୟାନ୍ସର୍ ୩ଡ଼ି’ ଏବଂ ‘ସାହୋ’ ପାଇଁ ସମୟ ଦେଉଛନ୍ତି । ଯଦିଓ ‘ସାହୋ’ ଫିଲ୍ମ ଶୁଟିଂ ଶେଷ ହୋଇସାରିଛି ତଥାପି ଅନ୍ୟ ଫିଲ୍ମଗୁଡ଼ିକ ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡୁୂଛି । ସେଥିରୁ ସମୟ ବାହାର କରି ସାଇନାଙ୍କ ବାୟୋପିକ୍ ପାଇଁ ହଁ ଭରିଥିଲେ । କିନ୍ତୁ ଏବେ ସମୟର ଅଭାବ ହିଁ ଶ୍ରଦ୍ଧାଙ୍କୁ ଏହି ଫିଲ୍ମ ଛାଡ଼ିବାକୁ ବାଧ୍ୟ କରିଛି ।