ନିରଂଜନଙ୍କ ସମ୍ମାନର ପ୍ରଶ୍ନ

ଭୁବନେଶ୍ୱର (ଓଏନଏ) : ରାଜ୍ୟରେ ଏବେ ନିର୍ବାଚନ ମାହୋଲ ସରଗରମ ରହିଛି । ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବାକୁ ଯାଉଛି । ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୁଇଟି ବିଧାନସଭା ଆସନରୁ ଘସିପୁରା ଗୋଟିଏ ଆସନରେ ଭୋଟ ଗ୍ରହଣ ହେବ । କିନ୍ତୁ ମୁଖ୍ୟକଥା ହେଉଛି ଏହି ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ହୋଇଥିବା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ଆହ୍ୱାନକ୍ରମେ ନିରଂଜନ ସେଠାରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଣୁ ବଦ୍ରୀ ଓ ନିରଂଜନଙ୍କ ଭିତରେ ଆହ୍ୱାନ ଓ ପ୍ରତିଆହ୍ୱାନ ବହୁ ସମୟରେ ଦେଖାଯାଇ ଆସିଛି । ଏ କ୍ଷେତ୍ରରେ ନିର୍ବାଚନରେ ଯେତେବେଳେ ଉଭୟ ପକ୍ଷ ଅବତୀର୍ଣ୍ଣ ହୋଇଛନ୍ତି ସେ କ୍ଷେତ୍ରରେ କିଏ କାହାକୁ ପରାଜିତ କରୁଛି ଓ ଭୋଟର କାହାକୁ ଗ୍ରହଣ କରୁଛନ୍ତି ତାହା ଉପରେ ନଜର ରହିଛି । ନିରଂଜନ ନା ବଦ୍ରୀ କାହାକୁ ଭୋଟର ଗ୍ରହଣ କରିବେ ତାହା ଉପରେ ଅନେକ କିଛି ନିର୍ଭର କରିବ । ଗତ ନିର୍ବାଚନରେ ସମଗ୍ର ଓଡ଼ିଶାରେ ବଦ୍ରୀ ପାତ୍ର ସବୁଠୁ ଅଧିକ ପ୍ରାୟ ୮୦ରୁ ୮୫ ହଜାର ଭୋଟରେ ଜିତିଥିଲେ । କିନ୍ତୁ ବଦ୍ରୀଙ୍କ ସହ ନିର୍ବାଚନ ମଇଦାନରେ ନିରଂଜନ ନ ଥିଲେ । ଗତଥର ସେ ପ୍ରତିଦ୍ୱନ୍ଦ୍ୱିତା କରୁ ନ ଥିଲେ । ଏଥର ବଦ୍ରୀଙ୍କ ଆହ୍ୱାନକ୍ରମେ ସେ ସେଠାକୁ ଯାଇଛନ୍ତି ।
କେନ୍ଦୁଝର ଜିଲ୍ଲା ରାଜନୀତିରେ ଏହି ଦୁଇ ନେତାଙ୍କ ବିଦ୍ୱେଷ କାହାକୁ ଅଛପା ନାହିଁ । ଜିଲ୍ଲାଠାରୁ ରାଜ୍ୟ ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ କଳି ଅନେକ ସମୟରେ ଚର୍ଚ୍ଚାକୁ ଆସିଥାଏ । ନିରଂଜନଙ୍କ ପାଇଁ ଏହି ଆସନ ଏକ ସମ୍ମାନର ପ୍ରଶ୍ନ ହୋଇଛି । ବଦ୍ରୀଙ୍କ ଆହ୍ୱାନକ୍ରମେ ସେ ସେଠାରେ ମୁକାବିଲା କରିବାକୁ ଛିଡ଼ା ହୋଇଥିବାରୁ ଏଥିରେ ତାଙ୍କର ଆତ୍ମସମ୍ମାନ ଜଡ଼ିତ ରହିଛି । ନିରଂଜନ ଯଦି ହାରିଯାଆନ୍ତି ତେବେ ବଦ୍ରୀଙ୍କ ପାଇଁ ବେଶ ଫାଇଦା ଦାୟକ ହେବ । ରାଜନୀତିରେ ନିରଂଜନଙ୍କ ପରାଜୟ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ଆଣିବ । ପିସିସି ସଭାପତି ହୋଇ ନିଜ ଜିଲ୍ଲା ନିର୍ବାଚନମଣ୍ଡଳୀରେ ହାରିଯିବା ତାଙ୍କ ରାଜନୀତକ କ୍ୟାରିୟର ଉପରେ ପ୍ରଭାବ ପକାଇବ । ଆଉ ଯଦି ସେ ଜିତିଯାଆନ୍ତି ତେବେ ବଦ୍ରୀଙ୍କ ରାଜନୈତିକ କ୍ୟାରିୟର ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବ । ନିରଂଜନଙ୍କର ପ୍ରଭାବ ସମଗ୍ର ଜିଲ୍ଲାରେ ବୃଦ୍ଧି ପାଇବ । ବିଭିନ୍ନ ସମୟରେ ବଦ୍ରୀ ଯେଉଁ ଚ୍ୟାଲେଞ୍ଜମାନ ନିରଂଜନଙ୍କୁ ଦେଉଥିଲେ ତାହା ଆଉ ସେ ଦେଇପାରିବା ସ୍ଥିତିରେ ରହିପାରିବେ ନାହିଁ ବୋଲି କୁହାଯାଉଛି । ନିରଂଜନଙ୍କୁ ଆଉ କେହି କେନ୍ଦୁଝରରେ ଚିହ୍ନନ୍ତି ନାହିଁ କିମ୍ବା ସେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରି ନାହାଁନ୍ତି ବୋଲି ବଦ୍ରୀ ଅଭିଯୋଗ କରିଥିଲେ । ଏପରି କି ନିରଂଜନଙ୍କୁ କେନ୍ଦୁଝର ଲୋକେ ଭୁଲିଗଲେଣି ଏକଥା ମଧ୍ୟ ସେ କହିଥିଲେ ।
ନିରଂଜନ ଏଥର ଦୁଇଟି ବିଧାନସଭା ଆସନରେ ଲଢ଼ୁଛନ୍ତି । ସେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ମଧ୍ୟ ଲଢ଼ୁଛନ୍ତି । ନିଜ ନିର୍ବାଚନମଣ୍ଡଳୀ ଘସିପୁରାକୁ ଛାଡ଼ି ନିରଂଜନ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରି ବିଧାନସଭା ଆସନକୁ ଆପଣାଇଛନ୍ତି । ପୂର୍ବରୁ ତାଙ୍କ ନାମ ଭଣ୍ଡାରୀପୋଖରି ପାଇଁ ଘୋଷଣା ହୋଇଥିଲା । ପରବର୍ତ୍ତୀ ସମୟରେ ବଦ୍ରୀଙ୍କ ଆହ୍ୱାନ ପାଇଲା ପରେ ନିରଂଜନ ଆଉ ଚୁପ ହୋଇ ବସିଲେନାହିଁ । ପ୍ରତିପକ୍ଷଙ୍କ ଆହ୍ୱାନକୁ ଗ୍ରହଣ କରି ପ୍ରାର୍ଥୀ ହେବା ନେଇ ଏଆଇସିସିକୁ ଅବଗତ କଲେ । ଏଣୁ ଦଳର କେନ୍ଦ୍ରୀୟ କମିଟି ତାଙ୍କ ନାମକୁ ଗ୍ରହଣ କରିଥିଲା ।