ଡବଲ ଇଞ୍ଜିନକୁ ନବୀନଙ୍କ ପୁଣି କଟାକ୍ଷ, ମେ ୨୩ରେ ମେନ ଇଞ୍ଜିନ ହେବ ଲାଇନଚ୍ୟୁତ

ଭୁବନେଶ୍ୱର (ଓଏନଏ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର କେନ୍ଦ୍ର ଓ ରାଜ୍ୟ ନେତାମାନଙ୍କର ଡବଲ ଇଞ୍ଜିନ କଥା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ପ୍ରହାର କରିଛନ୍ତି । ଡବଲ ଇଞ୍ଜିନ ପ୍ରସଙ୍ଗକୁ ନେଇ କଡା ସମାଲୋଚନା କରିବା ସହ ଓଡିଶାର ଇଞ୍ଜିନ କିଏ ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ଆଉ କିଛି ଦିନ ପରେ ମେନ ଇଞ୍ଜିନ ଚାଲିଯିବ ବୋଲି ନବୀନ କଟାକ୍ଷ କରିଛନ୍ତି ।
ନିର୍ବାଚନର ପ୍ରଚାର ଏବେ ଜୋରରେ ଚାଲିଛି । ନବୀନ ମାରାଥନ ରୋଡ ଶୋ ଚଳାଇଛନ୍ତି । ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ମଧ୍ୟ ଭାଷଣ ଦେଉଛନ୍ତି । ଆଜି ବାଙ୍କୀ-ବଡମ୍ବାରେ ପ୍ରଚାର ସମୟରେ ଡବଲ ଇଞ୍ଜିନ ପ୍ରସଙ୍ଗ ଉପରେ ସିଧାସଲଖ ଆକ୍ରମଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନାଁ ନ ନେଇ ଆକ୍ଷେପ କରି କହିଥିଲେ ବିଜେପିର ବଡ ବଡ ନେତାମାନେ ଡବଲ ଇଞ୍ଜିନ କଥା କହୁଛନ୍ତି । ତେବେ ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି ଓଡିଶାର ଇଞ୍ଜିନ କିଏ ? ସେ ବିଷୟରେ ବିଜେପି ନେତା କିଛି କହିପାରିବେ କି ? ଓଡିଶା ବାଦ୍ ବିଜେପି ଶାସିତ ରାଜ୍ୟରେ ଯେଉଁଠି ଡବଲ ଇଞ୍ଜିନ ଥିଲା ସେଠାରେ ବିଜେପି କାହିଁକି ହାରିଲା ବୋଲି ପ୍ରଶ୍ନ କରିବା ସହ କଟାକ୍ଷ କରି କହିଛନ୍ତି । ବିଜେପିର ଡବଲ ଇଞ୍ଜିନରୁ ୫ଟି ଇଞ୍ଜିନ ଲାଇନଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ , ଛତିଶଗଡ, ରାଜସ୍ଥାନ, ପଞ୍ଜାବ ପ୍ରଭୃତି ରାଜ୍ୟରେ ଏବେ ସିଙ୍ଗଲ ଇଞ୍ଜିନ ହୋଇଗଲାଣି । ମେ ୨୩ ତାରିଖରେ ଦିଲ୍ଲୀର ମେନ ଇଞ୍ଜିନ ମଧ୍ୟ ଲାଇନଚ୍ୟୁତ ହୋଇଯିବ । ମହିଳାଙ୍କ ବିକାଶ ହେଉଛି ପ୍ରକୃତରେ ଡବଲ ଇଞ୍ଜିନ ବୋଲି ନବୀନ କହିଛନ୍ତି ।
ନବୀନ ଲୋକଙ୍କୁ ଆହ୍ୱାନ କରିଛନ୍ତି କୋଇଲା ରୟାଲଟି କାହିଁକି ବଢିନି ଓ ଏ ବାବଦରେ ଓଡିଶା ହଜାରହଜାର କୋଟି ଟଙ୍କା କାହିଁକି ହରାଉଛି ଏନେଇ ବିଜେପି ନେତାମାନଙ୍କୁ ପ୍ରଶ୍ନ କରନ୍ତୁ । ୫ ବର୍ଷ ହେଲା ଏମାନେ କେଉଁଠି ଥିଲେ । ନିର୍ବାଚନ ସମୟରେ ଓଡିଶାକୁ ଧାଇଁ ଆସୁଛନ୍ତି । ୫୦ ଲକ୍ଷ ଲୋକେ ଚାକିରି ହରାଇଲେ, ଦରଦାମ ବଢିଲା, ଗ୍ୟାସ ଓ ପେଟ୍ରୋଲ ଦାମ ବଢିଲା, ଗରିବଙ୍କୁ ଆହୁରି ଗରିବ କରାଇଲେ । ଏ ସବୁ ଲୋକେ ବୁଝୁଛନ୍ତି ଓ ଜାଣୁଛନ୍ତି । ଚାଷୀ, ମହିଳା, ଯୁବକ ସଭିଏଁ ଏହାର ଉତ୍ତର ମାଗୁଛନ୍ତି । ସାଢେ ଚାରିକୋଟି ଓଡିଆ ହେଉଛନ୍ତି ତାଙ୍କର ପରିବାର । ବିଜେପି କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଷଡଯନ୍ତ୍ର ଚଳାଇଛି । ସେ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ୪୦ ଲକ୍ଷ ଚାଷୀ କାଳିଆ ଯୋଜନା ସହାୟତା ପାଇଛନ୍ତି । ଆଉ ୨୫ ଲକ୍ଷ ଚାଷୀଙ୍କୁ କ୍ଷମତାକୁ ଆସିବା ଦିନ ଦୁଇ କିସ୍ତି ଅର୍ଥ ୧୦ ହଜାର ଟଙ୍କା ଦିଆଯିବ ବୋଲି ନବୀନ ନିର୍ଭର ପ୍ରତିଶୃତି ଦେଇଛନ୍ତି ।

ନବୀନଙ୍କ ତପସ୍ୟା ଭାଙ୍ଗିଛନ୍ତି ଧର୍ମେନ୍ଦ୍ର