କମାଲ କରୁଛି ଭାରତୀୟ ମହିଳା ଫୁଟବଲ ଟିମ୍, ଇଣ୍ଡୋନେସିଆକୁ ୨-୦ ଗୋଲରେ କଲା ପରାସ୍ତ

ମାଣ୍ଡାଲେ: ଭାରତୀୟ ମହିଳା ଫୁଟବଲ ଟିମ୍ ବୁଧବାର ଆରମ୍ଭ ହୋଇଥିବା ଅଲିମ୍ପିକ୍ କ୍ୱାଲିଫାୟର ରାଉଣ୍ଡ-୨ର ପ୍ରଥମ ମ୍ୟାଚରେ ଇଣ୍ଡୋନେସିଆକୁ ୨-୦ ଗୋଲରେ ପରାସ୍ତ କରିଛି । ଭାରତ ପକ୍ଷରୁ ଡାଙ୍ଗମେଇ (୨୭ତମ ଓ ୬୭ତମ) ଦୁଇଟି ଯାକ ଗୋଲ୍ ଦେଇଥିଲେ । ଉକ୍ତ ମ୍ୟାଚ୍ ଆରମ୍ଭରୁ ଭାରତ ପ୍ରତିପକ୍ଷ ଦଳ ଉପରେ ଆକ୍ରମଣ କରିଥିଲା । ୨୪ତମ ମିନିଟରେ ସଞ୍ଜୁ ଭାରତ ପାଇଁ ପ୍ରଥମ ଗୋଲ ସୁଯୋଗ ସୃଷ୍ଟି କରିଥିଲେ, କିନ୍ତୁ ଏହାକୁ ସେ ଗୋଲରେ ପରିଣତ କରିପାରିନଥିଲେ । ୨୭ତମ ମିନିଟରେ ସନ୍ଧ୍ୟାଙ୍କ ଦ୍ୱାରା ମରାଯାଇଥିବା ଶଟକୁ ଇଣ୍ଡୋନେସିଆର ରିସ୍କା ଜୁଲିଆଣ୍ଟି ରୋକିବାରେ ସଫଳ ହୋଇଥିଲେ, କିନ୍ତୁ ଡାଙ୍ଗମେଇ ରିବାଉଣ୍ଡ ଦ୍ୱାରା ବଲକୁ ଗୋଲପୋଷ୍ଟ ଭିତରକୁ ମାରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଏଥିସହ ଭାରତ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ୧-୦ ଗୋଲରେ ଆଗୁଆ ହୋଇଥିଲା । ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତର ଆକ୍ରମଣ ଜାରି ରହିଥିଲା । ୬୭ତମ ମିନିଟରେ ସୁମିତ୍ରା କାମରାଜଙ୍କଠାରୁ ପାସ ପାଇ ଡାଙ୍ଗମେଇ ଭାରତ ଦ୍ୱିତୀୟ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ । ଏହି ଗୋଲ ସହ ଭାରତ ମ୍ୟାଚକୁ ଏକତରଫା ଭାବେ ୨-୦ରେ ଜିତି ନେଇଥିଲା । ଆସନ୍ତା ୬ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ନେପାଳକୁ ଭେଟିବ ବୋଲି ସୂଚନା ମିଳିଛି ।