ନବୀନଙ୍କ ହେଲିକପ୍ଟରକୁ ଯାଂଚ କଲା ସ୍କ୍ୱାଡ

ଭୁବନେଶ୍ୱର (ଓଏନଏ): ବର୍ତ୍ତମାନ ନିର୍ବାଚନ ପାଇଁ ସମସ୍ତ ଗାଡ଼ି ମଟରଠାରୁ ଆରମ୍ଭ କରି ବିମାନ ପର୍ଯ୍ୟନ୍ତ ଯାଞ୍ଚ ଚାଲିଛି । ସବୁ ପ୍ରାର୍ଥୀଙ୍କଠୁ ଆରମ୍ଭ କରି ସାଧାରଣବ୍ୟକ୍ତିଙ୍କ ଗାଡ଼ିକୁ ନିର୍ବାଚନକମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ଯାଞ୍ଚ କରାଯାଉଛି । ଏଥିପାଇଁ ଫ୍ଲାଇଙ୍ଗ ସ୍କ୍ୱାଡ ଗଠନ ହୋଇଛି । ଇତିମଧ୍ୟରେ ଅନେକ ପ୍ରାର୍ଥୀ ଓ ନେତାମାନଙ୍କ ଗାଡ଼ି ଯାଞ୍ଚ ହୋଇଛି । ଏହି ସମୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିବା ଦେଖାଯାଇଛି । ଫ୍ଲାଇଙ୍ଗ ସ୍କ୍ୱାର୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟରକୁ ମଧ୍ୟ ଯାଞ୍ଚ କରିଥିôବା ଭିଡ଼ିଓ ଏବେ ସୋଶାଳ ମିଡ଼ିଆରେ ଭାଇରାଲ ହୋଇଛି । ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ବସିଥିବା ସମୟରେ ସ୍କ୍ୱାଡ ଅଧିକାରୀମାନେ ଯାଇ ସବୁ କିଛି ତନତନ କରି ଯାଞ୍ଚ କରିଛନ୍ତି । ଯାଞ୍ଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନବୀନ ହେଲିକପ୍ଟରରେ ବସି ରହିଥିଲେ । ସୁରକ୍ଷାକର୍ମୀମାନେ ଯାଞ୍ଚ ଚଳାଇଥିଲେ । ହେଲିକପ୍ଟରରେ ଥିବା ତାଙ୍କ ବ୍ୟାଗ, ଆଟାଚ ସବୁ କିଛି ଗୋଟି ଗୋଟି ଖୋଲି ଯାଞ୍ଚ କରାଯାଇଥିବା ଏହି ଭିଡିଓରେ ଦର୍ଶାଯାଇଛି । ଏପରି କି ଯାଞ୍ଚ ସରିବା ପରେ ମୁଖ୍ୟମନ୍ତ୍ରୀ ସ୍କ୍ୱାର୍ଡ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିବା କଥା ମଧ୍ୟ ଦର୍ଶାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରାଯିବା ଓ ସେ ଯାଞ୍ଚ କାର୍ଯ୍ୟରେ ସହାୟତା କରୁଥିବାର ଦୃଶ୍ୟ ଭିଡ଼ିଓ ଭାଇରାଲ ହେବା ପଛରେ ରାଜନୈତିକ କାରଣ ଥିବା ମଧ୍ୟ ଦର୍ଶାଯାଉଛି । ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟରକୁ ସ୍କ୍ୱାଡ ଯାଞ୍ଚ କରିବାକୁ ଗଲା ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ସହ ସେମାନଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିବା ଭିଡିଓ ଭାଇରାଲ କରାଯାଇଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ହିଞ୍ଜିଳିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟଙ୍କ ଗାଡ଼ିକୁ ସ୍କ୍ୱାଡ ଯାଞ୍ଚ କଲାବେଳେ ମଧ୍ୟ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ମୁଖ୍ୟମନ୍ତ୍ରୀ ଯାଂଚ ସମୟରେ ସହାୟତା କରୁଥିଲା ବେଳେ ବିଜେପି ନେତାମାନେ ସହାୟତା କରୁନାହାଁନ୍ତି ବୋଲି ଦର୍ଶାଯାଉଛି । ଏହି ଭିଡ଼ିଓ ଉପରେ ବିଜେପି ନେତାମାନେ କହୁଛନ୍ତି ଏହା ସମ୍ପୂର୍ଣ୍ଣ ପ୍ରାୟୋଜିତ କାର୍ଯ୍ୟକ୍ରମ ।