କଟକ-ଚୌଦ୍ୱାରରେ ଧର୍ମେନ୍ଦ୍ରଙ୍କ ବଡ଼ ଘୋଷଣା, ୧ ଟଙ୍କାରେ ମିଳିବ ଡାଲି, ଚାଉଳ, ଲୁଣ

କଟକ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏବେ ଜୋରଦାର ରାଜନୈତିକ ଦଳମାନେ ପ୍ରଚାରରେ ଲାଗିପଡ଼ିଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏହା ଭିତରେ ବିଜେପି କେନ୍ଦ୍ର ଓ ରାଜ୍ୟସ୍ତରରେ ତାର ନିର୍ବାଚନ ଇସ୍ତାହାର ପ୍ରକାଶ କରିସାରିଛି । ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚୌଦ୍ୱାରରେ ଏକ ଜନସମାବେଶରେ ଉଦବୋଧନ ଦେଲା ବେଳେ ବଡ଼ ଘୋଷଣା କରିଛନ୍ତି । ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଲେ୧ ଟଙ୍କାରେ ଖାଦ୍ୟ ସାମଗ୍ରୀ ଯୋଗାଇଦେବ । ଏଥିରେ ଡାଲି, ଚାଉଳ ଓ ଲୁଣ ଦିଆଯିବ ବୋଲି କହିଛନ୍ତି । ବିଜେଡି ସରକାର କିଲୋ ଏକ ଟଙ୍କାରେ ଚାଉଳ ଦେଇ ବାହାବାହା ନେଉଛନ୍ତି । ଏହି ଟଙ୍କାକିଆ ଚାଉଳରେ କେନ୍ଦ୍ର ସରକାର ୨୯ ଟଙ୍କା ଦେଉଥିଲା ବେଳେ ରାଜ୍ୟ ସରକାର ମାତ୍ର ଟଙ୍କାଟିଏ ଦେଇ ଏହାକୁ ନିଜ ନାଁରେ ହାଇଜାକ କରି ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପି ରାଜ୍ୟ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ କହିଚାଲିଥିଲେ ମଧ୍ୟ ଏହାର ପ୍ରଭାବ କିଛି ପଡ଼ିନାହିଁ । ଲୋକେ ନବୀନ ପଟ୍ଟନାୟକ ଦେଉଛନ୍ତି ବୋଲି ଭାବୁଛନ୍ତି । ଏହି ଟଙ୍କିକିଆ ଚାଉଳକୁ ମୁକାବିଲା କରିବା ପାଇଁ ଧର୍ମେନ୍ଦ୍ର ୧ ଟଙ୍କାରେ ଖାଦ୍ୟ ସାମଗ୍ରୀ ଦେବା ନେଇ ଏପରି ଗୋଟି ଚାଳନା କରିଥିବା କଥା ଆଲୋଚନା ହେଉଛି । ଏବେ ହଠାତ ଧର୍ମେନ୍ଦ୍ରଙ୍କ ଏହି ଘୋଷଣା କେତେଦୂର ଭୋଟରଙ୍କୁ ପ୍ରଭାବିତ କରିପାରିବ ତାହା ହେଉଛି ବଡ଼ ପ୍ରଶ୍ନ । ହେଲେ ଏଭଳି ଘୋଷଣା ଓଡ଼ିଶାଭଳି ରାଜ୍ୟର ଗରିବ ଲୋକଙ୍କ ପାଇଁ ବେଶ ଆକର୍ଷଣୀୟ ଓ ଲୋଭନୀୟ ବୋଲି କୁହାଯାଉଛି ।
ଆଜି କଟକ-ଚୌଦ୍ୱାରରେ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସ୍କାରେ ବିଜେପି ଆସିଲେ ଟଙ୍କିକିଆ ଚାଉଳ ବନ୍ଦ କରିଦେବେ ବୋଲି କହିଲେ । ମୋଦି ୨୯ ଟଙ୍କା ଚାଉଳ ପାଇଁ ଦେଉଛନ୍ତି । ରାଜ୍ୟ ସରକାର ମାତ୍ର ୧ ଟଙ୍କା ଦେଉଛନ୍ତି । ନବୀନ ପରଘର ତିଅଣରେ ଅତିଥି ସକ୍ରାର କରୁଛନ୍ତି । କିନ୍ତୁ ବିଜେପି ସରକାରକୁ ଆସିଲେ ମାତ୍ର ୧ ଟଙ୍କାରେ ଡାଲି, ଚାଉଳ ଏବଂ ଲୁଣ ମିଳିବ । ଏଥିରେ ୫ ଶହ ଗ୍ରାମ ଡାଲି ଓ ୫ ଶହ ଗ୍ରାମ ଲୁଣ ଏବଂ ୫ କେଜି ଚାଉଳ ଦିଆଯିବ । ପୂର୍ବରୁ ଚାଉଳ ମଧ୍ୟ ଟଙ୍କାରେ ମଳିବ । ଜାତୀୟ ସୁରକ୍ଷା ଯୋଜନାରେ ମୋଟ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଏଥିରେ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।