ନବୀନଙ୍କ ତପସ୍ୟା ଭାଙ୍ଗିଛନ୍ତି ଧର୍ମେନ୍ଦ୍ର

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ସମଦୂରତ୍ୱ” ନୀତି ହଠାତ ବଦଳିବା ପଛରେ କଣ ରହସ୍ୟ ତାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜାରି ରହିଛି । ଏଥିରେ ଏବେ କୁହାଗଲାଣି ନବୀନଙ୍କ ଏହି ୧୦ ବର୍ଷର ତପସ୍ୟାକୁ ଭାଙ୍ଗିବା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ରହିଛି । ନିର୍ବାଚନ ମଇଦାନରେ ଏବେ ବିଜେପି-ବିଜେଡି ଉଭୟ ପକ୍ଷ ପରସ୍ପରକୁ ଆହ୍ୱାନ ଓ ପ୍ରତିଆହ୍ୱାନ ଜଣାଇବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଓ ବିଜେପି ଦଳକୁ ଆକ୍ଷେପ କରି ଯେଉଁସବୁ ବାଣ ମାରୁଛନ୍ତି ତାହାର ଉତ୍ତର ଦେବା ସହ ପାଲଟା ବାଣ ମାରୁଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ସିଧାସଳଖ ନବୀନଙ୍କୁ ହିଁ ତାଙ୍କର ଟାର୍ଗେଟରେ ରଖୁଛନ୍ତି । ନବୀନ ଉଠାଇଥିବା ପ୍ରଶ୍ନରେ ଧର୍ମେନ୍ଦ୍ର ଯେଉଁ ତାଙ୍କୁ ପାଲଟା ଆକ୍ରମଣ କରି ତାଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ଆହ୍ୱାନ ଜଣାଇଲେ ତାହା ପରେ ନବୀନଙ୍କ ସମଦୂରତା ନୀତି ହଟିଥିବା କଥା କୁହାଯାଉଛି । ତାଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦି ହୋଇପାରନ୍ତି, ରାହୁଲ ଗାନ୍ଧି ହୋଇପାରନ୍ତି ଓ ଯିଏ କେନ୍ଦ୍ରରେ କ୍ଷମତା କରିବ ସିଏ ହୋଇପାରନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ ଜବାବ ଦେବା ପାଇଁ ନବୀନ ଏହି ମତ ରଖିଥିବା କଥା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ମୁଖ୍ୟମନ୍ତ୍ରୀ ବିଭିନ୍ନ ନିର୍ବାଚନ ପ୍ରଚାରରେ ସବୁବେଳେ କେନ୍ଦ୍ରକୁ ଟାର୍ଗେଟ କଲେ । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର କିପରି ଓଡ଼ିଶାକୁ ଅବହେଳା କରିଛି, ଓଡ଼ିଶାକୁ ତାର ହକ ଦେଇନାହିଁ, ବୈମାତୃକ ମନୋଭାବ ପୋଷଣ କରିଛି ଏ ବିଷୟ ସବୁବେଳେ ବର୍ଣ୍ଣନା କରୁଥିଲେ । ଧର୍ମେନ୍ଦ୍ର ପାଲଟା ଜବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ କେନ୍ଦ୍ରୀୟ ଅବହେଳା ବ୍ୟତୀତ ଆଉ କିଛି ପ୍ରସଙ୍ଗ ନାହିଁ ବୋଲି କହିଲେ । ଏଥିରେ ଏକ ସଭାରେ ମୁଖ୍ୟମନ୍ତ୍ରୀ ସିଧାସଳଖ ବିଜେପି ନେତାମାନଙ୍କୁ ଟାର୍ଗେଟ କଲେ । କ୍ଷମତାକୁ ଆସିବ ବୋଲି କହୁଥିବା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ । ମୁଖ୍ୟମନ୍ତ୍ରୀ ଦଶପଲ୍ଲାରେ ଗତ ୧୩ ତାରିଖରେ ଏକ ନିର୍ବାଚନୀ ସଭାରେ ସିଧା ପ୍ରଶ୍ନ କଲେ ନିର୍ବାଚନ ହେଲେ ଦିଲ୍ଲୀ ଇଞ୍ଜିନ ଆସୁଛି, ପାଟି କରୁଛି । ନିର୍ବାଚନ ସରିଲେ ଦିଲ୍ଲୀ ଇଞ୍ଜିନର ଦେଖା ମିଳିବନି (ଅର୍ଥାତ ମୋଦିଙ୍କର ଆଉ ଦେଖା ମିଳିବ ନାହିଁ ) । ଏଣୁ ବିଜେପିର ଅନ୍ୟ ଇଞ୍ଜିନ କିଏ ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଓ ତାଙ୍କ ନିର୍ବାଚନମଣ୍ଡଳୀ କେଉଁଠି? ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି? ନବୀନଙ୍କ ହଠାତ ଏପରି ପ୍ରଶ୍ନ ସମସ୍ତଙ୍କୁ ଚକିତ କରିଦେଲା । ବିଜେପି ଭିତରେ କଳି ପୁରାଇବା ପାଇଁ ନବୀନ ଭଲ ବାଣଟିଏ ମାରିଥିବା କଥା ସମସ୍ତେ କହିଲେ ।
ଏହାର ଜବାବରେ ଧର୍ମେନ୍ଦ୍ର ଗତ ୧୫ ତାରିଖରେ ଏକ ନିର୍ବାଚନୀ ସଭାରେ ନବୀନ ଓ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ସମାଲୋଚନା କଲେ । ଧର୍ମେନ୍ଦ୍ର କହିଲେ ଯଦି ବାଇଚାନ୍ସ ବିରୋଧୀମାନେ ଜିତିବେ ତାହାହେଲେ ଦୈନିକ ଜଣେ ଜଣେ ପ୍ରଧାନମନ୍ତ୍ରୀ ହେବେ । ସୋମବାରରେ ରାହୁଲ ଗାନ୍ଧି ହେବେ, ମଙ୍ଗଳବାର ମାୟାବତୀ, ବୁଧବାର ମମତା ବାନାର୍ଜୀ, ରବିବାରରେ ଅଧାଓଳି ଛୁଟି ଆଉ ଅଧାଓଳି ନବୀନ ବାବୁ ହେବେ । ମୁଁ ଆହ୍ୱାନ କରୁଛି ନବୀନ ବାବୁଙ୍କୁ ଆପଣ ଯେଉଁ ଏମପିମାନଙ୍କ ପାଇଁ ଭୋଟ ମାଗୁଛନ୍ତି କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଆପଣଙ୍କର । କାହାକୁ ଆପଣ ସମର୍ଥନ କରିବେ ।
ଧର୍ମେନ୍ଦ୍ରଙ୍କ ଏହି ପ୍ରଶ୍ନ ପରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବାବେଳେ ନବୀନ କହିଲେ ଯେଉଁ ସରକାର କେନ୍ଦ୍ରରେ କ୍ଷମତାକୁ ଆସିବ ସେ ଯଦି ଓଡ଼ିଶାର ନାର୍ଯ୍ୟ ଦାବିକୁ ଗ୍ରହଣ କରିବ ତେବେ ଆମେ ତାକୁ ସମର୍ଥନ କରିବୁ । ସେ ୟୁପିଏ ହେଉ କିମ୍ବା ଏନଡିଏ ହେଉ ବା ଆଉ ଯିଏ କେହି ହେଉ । ଯେତେବେଳେ ତାଙ୍କୁ ନିର୍ଦ୍ଦିଷ୍ଟ ଭାବରେ ପ୍ରଶ୍ନ କରାଗଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସରକାର ଗଠନ ପାଇଁ ଯଦି ୧୫ ସାଂସଦଙ୍କ ଅଭାବ ରହିଥାଏ ଓ ବିଜେଡିର ୧୫ସାଂସଦ ଜିତିଥାନ୍ତି ତେବେ ସେ ଯଦି ଓଡ଼ିଶା ଦାବିକୁ ଗ୍ରହଣ କରିବା ପାଇଁ ରାଜି ହୁଅନ୍ତି ତେବେ ତାଙ୍କୁ ସମର୍ଥନ ଦେବେ କି ବୋଲି ପ୍ରଶ୍ନ କରାଯାଇଥିଲା । ସେ ମୋଦି ହୁଅନ୍ତୁ କି ରାହୁଲ ଗାନ୍ଧି ହୁଅନ୍ତୁ ଯିଏ ଓଡ଼ିଶା ଦାବି ରଖିବ ଆମେ ତାକୁ ସମର୍ଥନ କରିବୁ ବୋଲି ନବୀନ କହିଥିଲେ । କିନ୍ତୁ ଗତ ୮ ତାରିଖରେ ଆଉ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଲା ବେଳେ କାହାକୁ କେନ୍ଦ୍ରରେ ବିଜେଡି ସମର୍ଥନ କରିବ ସେ ସମ୍ପର୍କିତ ପ୍ରଶ୍ନରେ ନବୀନ ସ୍ପଷ୍ଟ କହିଥିଲେ ଆମର ନୀତି ହେଉଚି ବିଜେପିଓ କଂଗ୍ରେସଠାରୁ ସମଦୂରତା ଅବଲମ୍ବନ କରିବା । ହେଲେ ୧୬ ତାରିଖରେ ନବୀନଙ୍କ ନୀତି ବଦଳିଲା ଓ ସମଦୂରତା କଥା ଦୂରହୋଇ ଓଡ଼ିଶା ସ୍ୱାର୍ଥ କଥାକୁ ଅଗ୍ରାଧିକାର ଦେଲେ । ଏଠାରେ କୁହାଯାଉଛି ଧର୍ମେନ୍ଦ୍ର ୧୫ ତାରିଖରେ ଯେଉଁ ପ୍ରଶ୍ନ ଉଠାଇଲେ ତାଙ୍କୁ ନବୀନ ୧୬ ତାରିଖରେ ଜବାବ ଦେଲେ ।
୨୦୦୯ରୁ ବିଜେପି ହାତ ଛାଡ଼ିଲା ପରେ ନବୀନ ତାଙ୍କ ସମଦୂରତା କଥା ସବୁବେଳେ ବଜାଇ ରଖି ଆସିଥିଲେ । ଏପରି କି ଦଳର ବରିଷ୍ଠ ସାଂସଦ ଭର୍ତ୍ତୃହରି ମତାବ ଆଉ ସମଦୂରତାକ କଥା ନାହିଁ, କଂଗ୍ରେସ ଆଉ ଅଛୁଆ ହୋଇ ରହିନାହିଁ ବୋଲି ମତ ରଖିଲା ପରେ ଏହାକୁ ନେଇ ଦଳରେ ବହୁ ତୁମ୍ଭିତୋଫାନ ହୋଇଥିଲା । ଏଥିନେଇ ଭର୍ତ୍ତୃହରିଙ୍କୁ ନବୀନ ଦଳର ସଭାପତି ଭାବରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଏବଂ ଏପରି ମତ ନ ରଖିବା ପାଇଁ ତାଗିଦ ମଧ୍ୟ କରିଥିଲେ ।