ଦାମଙ୍କ ପୁତ୍ର ମୋହ, ଧକ୍କା ଖାଇ ବି ନୀରବ

ଭୁବନେଶ୍ୱର (ଓଏନଏ): ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ସେ ପ୍ରାର୍ଥୀ ହୋଇଥିବା ବାଲିକୁଦା-ଏରସମା ବିଧାନସଭା ଆସନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତାଙ୍କୁ ଠେଲାପେଲା କରାଯାଇଥିବା ଖବର ଆସିଛି । ଏପରି କି ତାଙ୍କୁ ଧକ୍କା ମରାଯାଇଥିବା କଥା ମଧ୍ୟ କୁହାଯାଉଛି । ହେଲେ ଡାକ୍ତର ରାଉତ ଏହି ଘଟଣାରେ ପାଟି ଖୋଲୁନାହାଁନ୍ତି କିମ୍ବା ପୁଲିସରେ ଅଭିଯୋଗ ମଧ୍ୟ କରୁନାହାଁନ୍ତି । ପାଲଟା ନିଜ ସମର୍ଥକମାନଙ୍କୁ ନିରବ ରହିବା ପାଇଁ ତାଗିଦ କରିଛନ୍ତି । ଏହା ପଛରେ କଣ ରହସ୍ୟ ତାକୁ ନେଇ ଚାଲିଛି ଚର୍ଚ୍ଚା । ଡାକ୍ତର ରାଉତଙ୍କ ଭଳି ନେତା ଏଭଳି ଅପମାନିତ ହେବା ପରେ ନୀରବ ରହିବା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ରହସ୍ୟଜନକ । ନୀରବତା ପଛରେ ପୁତ୍ରମୋହ ମୁଖ୍ୟ କାରଣ ବୋଲି କୁହାଯାଉଛି । ନଚେତ ଏତେବେଳକୁ ସେ ବିଜେଡିର ସ୍ଥାନୀୟ ନେତାଙ୍କ ଚୁଲି ଚାଳ ଉଡ଼ାଇ ସାରନ୍ତେଣି ।
ଏଥିରେ କୁହାଯାଉଛି ବିଜେଡି ଡାକ୍ତର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପରେ ପ୍ରାର୍ଥୀ କରିଛି । ବିଜେଡି ନେତାମାନେ ତାଙ୍କ ପାଇଁ କାମ କରୁଛନ୍ତି । ଏ କ୍ଷେତ୍ରରେ ଏରସମା ଓ ପରାଦୀପ ନିର୍ବାଚନମଣ୍ଡଳୀ ପାଖପାଖି ଲାଗିଛି । ସେ ଯଦି ବିଜେଡି ନେତାମାନଙ୍କ ବିରୋଧରେ କିଛି ସ୍ୱର ଉଠାନ୍ତି ତାହାହେଲେ ତାଙ୍କ ପୁଅ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ । ବିଜେଡି ଓ ବିଜେପି କର୍ମୀଙ୍କ ଭିତରେ ଗଣ୍ଡଗୋଳ ହେବ । ପରିସ୍ଥିତି ଅଣାୟତ୍ତ ମଧ୍ୟ ହୋଇପାରେ । ସେ ନିଜେ ହାରିଗଲେ ତାଙ୍କର ଚିନ୍ତା ନାହିଁ କିନ୍ତୁ ପୁଅ ନ ହାରୁ ଏହା ସେ ଚାହାଁନ୍ତି । ସେଥିପାଇଁ ସବୁକଥାକୁ ସେ ମାଡ଼ି ମକଚି ସହି ଯାଉଛନ୍ତି ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି । ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ଡାକ୍ତର ରାଉତଙ୍କୁ କେହି ଅପମାନିତ କରି ଚାଲିଯିବ ବା ସହଜରେ ଖସିଯିବ ଏକଥାକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ସ୍ୱର ଉଠାଇଲେ କାଳେ ବିଜେଡି ନେତା ଓ କର୍ମୀମାନେ ଫିଡିକି ଯିବେ ସେଥିପାଇଁ ସେ ଚୁପ ରହୁଛନ୍ତି ବୋଲି କୁହାଯାଉଛି ।
ଶୁକ୍ରବାର ରାତିରେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ବୋରିକିନା ଡାକ୍ତର ରାଉତ ଏକ ଦଳିୟ ବୈଠକରେ ଯୋଗ ଦେଇଥିଲେ । ସେହି ବୈଠକରେ ତାଙ୍କୁ କେହି ପଛଆଡୁ ଧକ୍କା ମାରିଥିଲା । ଏଥିସହ ଠେଲାପେଲା ମଧ୍ୟ ତାଙ୍କୁ କରାଯାଇଥିଲା । ବୈଠକ ଚାଲିଥିଲା ବେଳେ ତାଙ୍କୁ କିଛି ବିରୋଧୀ ସେଠାରେ ଧକ୍କା ମାରିଥିଲେ । ଏହାକୁ ଦେଖି ସେଠାରେ ଥିବା ବିଜେପିକର୍ମୀମାନେ ଉତ୍ତେଜିତ ହୋଇଥିଲେ । ସେମାନେ ପ୍ରତିବାଦ କରିବାକୁ ଉଦ୍ୟମ କଲାବେଳେ ଡାକ୍ତର ରାଉତ ଅଟକାଇଥିଲେ । କିଛି ଗଣ୍ଡଗୋଳ ନ କରିବାକୁ ତାଗିଦ କରିଥିଲେ । ପୁଲିସ ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ପୁଲିସ ପହଂଚିଲା ବେଳକୁ ଆକ୍ରମଣକାରୀମାନେ ସେଠାରୁ ଖସି ପଳାଇଥିଲେ । ଗଣ୍ଡଗୋଳକାରିଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଡାକ୍ତର ରାଉତଙ୍କଠାରୁ ଲିଖିତ ଏତଲା ଲୋଡ଼ାଯାଇଥିଲା ବେଳେ ସେ ସଫା ମନା କରିଦେଇଥିଲେ । ଏହି ଘଟଣା ତ୍ୱରିତ ବେଗରେ ଚାରିଆଡ଼େ ପ୍ରଚାର ହୋଇଯାଇଥିଲା । ଡାକ୍ତର ରାଉତଙ୍କ ସମର୍ଥକମାନେ ଓ କିଛି ବିଜେପିକର୍ମୀ ଗଣ୍ଡଗୋଳକାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟମ କରିବା ଜାଣି ଏହାକୁ ପ୍ରଶମିତ କରାଯାଇଛି ।
ଅଭିଯୋଗରେ ଦର୍ଶାଯାଇଛି ଯେ, ଏହି ଆକ୍ରମଣ ପଛରେ ବିଜେଡି ପ୍ରାର୍ଥୀଙ୍କ ସମର୍ଥକମାନେ ଏପରି କରିଛନ୍ତି । କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ କୌଣସି ଅଭିଯୋଗ ଦିଆଯାଇନାହିଁ । ଡାକ୍ତର ରାଉତ ଚାହୁଁ ନ ଥିବାରୁ କର୍ମୀମାନେ ଆଉ ସାହାସ କରୁନାହାଁନ୍ତି । ମାତ୍ର ଉତ୍ତେଜନା ଲାଗି ରହିଥିବା କଥା କୁହାଯାଉଛି ।