ଦାମ ଏବେ ବେଶ ଖୁସି, ମୋଦିଙ୍କ ପାଖରେ ବସିଲେ

ଭୁବନେଶ୍ୱର (ଓଏନଏ): ଏକଦା ଘୃଣା କରୁଥିବା ବିଜେପିକୁ ଶେଷରେ ରାଜନୀତିକ ସ୍ୱାର୍ଥ ଚରିତାର୍ଥ ପାଇଁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଯୋଗ ଦେଇଛନ୍ତି । ଯୋଗଦେବା ପରେ ସେ ଏବେ ବେଶ ଖୁସୀ । ଦଳ ତାଙ୍କୁ କେବଳ ପ୍ରଚାର କମିଟିର ଅଧ୍ୟକ୍ଷ କରି ତାଙ୍କ ଗୁରୁତ୍ୱ ବଢ଼ାଇଛି ତାହା ନୁହେଁ । ତାଙ୍କୁ ଦଳ ଅଧିକ ସମ୍ମାନ କରୁଛି ଯାହା ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଡାକ୍ତର ରାଉତଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାଖ ଚେୟାରରେ ବସାଯାଇଥିଲା । ପ୍ରଧାନମନ୍ତ୍ରୀ ଆସି ବସିବା ପରେ ତାଙ୍କ ପାଖ ଦୁଇଟି ଚେୟାର ଛାଡ଼ି ଡାକ୍ତର ରାଉତ ବସିଥିଲେ । କିନ୍ତୁ ଫୁଲମାଳ ଦେବା ସମୟରେ ପ୍ରଭାବରୀ ଅରୁଣ ସିଂ ଡାକ୍ତର ରାଉତଙ୍କୁ ଡାକି ଆଣି ମୋଦିଙ୍କ ପାଖରେ ପହଂଚାଇଥିଲେ । ଡାକ୍ତର ରାଉତଙ୍କ ସହ ମୋଦି ହାତ ମିଳାଇଥିଲେ । ହାତ ମିଳାଇବା ପରେ ସେ ତାଙ୍କ ଆସନକୁ ଫେରି ଯାଉଥିଲା ବେଳେ ଅରୁଣ ସିଂ ତାଙ୍କୁ ଧରି ମୋଦିଙ୍କ ପାଖ ଚେୟାରରେ ବସାଇଥିଲେ । ଆଉ ନିଜେ ଯାଇ ପରବର୍ତ୍ତୀ ଚେୟାରରେ ବସିଥିଲେ । କିନ୍ତୁ ପ୍ରଥମେ ଅରୁଣ ସିଂହ ହିଁ ମୋଦିଙ୍କ ପାଖ ଚେୟାରରେ ବସିବା ପାଇଁ ବ୍ୟବସ୍ଥା ହୋଇଥିଲା । ଡାକ୍ତର ରାଉତଙ୍କ ସହ ମୋଦି ବେଶ ଖୁସୀରେ ଆଳାପ କରୁଥିବା ଦେଖାଯାଇଥିଲା । ଏଣୁ କୁହାଯାଉଛି ବିଜେପି ଆସି ଆଉ ତାଙ୍କର ଅବଶୋଷ ବୋଧହୁଏ ନ ଥିବ ବୋଲି ଚର୍ଚ୍ଚା ହେଉଛି ।
ମୋଦିଙ୍କ ସଭାରେ ନବୀନ ପଟ୍ଟନାୟକଙ୍କ ସରକାରକୁ ଡାକ୍ତର ରାଉତ ଟାର୍ଗେଟ କରିଥିଲେ । କେନ୍ଦ୍ରକୁ ସହଯୋଗ କରୁ ନ ଥିବା ଓ ରାଜ୍ୟର ବିକାଶ ଲାଗି ସହାୟତା କରୁ ନ ଥିବା ନେଇ ଅଭିଯୋଗ ବାଢ଼ିଥିଲେ । ଡାକ୍ତର ରାଉତ କହିଥିଲେ ଓଡ଼ିଶା ଗୋଟିଏ ରାଜ୍ୟ ଯାହାକୁ ପ୍ରକୃତି ଏତେ ସମ୍ପଦ ଦେଇଛି ସାରା ଦେଶରେ ଏ ହେଉଛି ସବୁଠାରୁ ଧନୀ ରାଜ୍ୟ । କିନ୍ତୁ ଦୁର୍ଭାଗ୍ୟ ସଂଗୀୟ ବ୍ୟବସ୍ଥାରେ ଏ କେନ୍ଦ୍ର ସରକାର ଯେଉଁ ଦାୟିତ୍ୱ ନେଉଛନ୍ତି ସମବିକାଶର ରାଷ୍ଟ୍ରୀୟ ଭାବନା ପରିହାର କରି ଦଳୀୟ ଭାବନା ଓ ଆଂଚଳିକ ଭାବନା ଯୋଗୁ ଆଜି ଓଡ଼ିଶା ପଛରେ ରହିଛି । ଅନେକ ବର୍ଷ ପରେ ୨୦୧୪ ମସିହାରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲା ପରେ ପ୍ରଥମେ ଏକ ନୂଆ ପରିଚୟ ଦେଇଛନ୍ତି । ୩୦ଟି ରାଜ୍ୟର ସମାହରରେ ହେଉଛି କେନ୍ଦ୍ର ସରକାର । ଏହି ୩୦ଟି ଯାକ ରାଜ୍ୟକୁ ସମାନଭାବେ ବିକଶିତ କଲେ ଭାରତ ବର୍ଷ ଏକ ଶକ୍ତିଶାଳୀ ରାଷ୍ଟ୍ର ହେବ । ଏହି ପ୍ରକୀୟା ସେ ଆରମ୍ଭ କରିଚାଲିଛନ୍ତି । ତାଙ୍କର ଶାସନ କାଳରେ ଆମ ଦେଶ ଭାରତ ବର୍ଷ ଆଜି ଅନ୍ତର୍ଜାତୀକ କ୍ଷେତ୍ରରେ ସ୍ୱତନ୍ତ୍ର ସମ୍ମାନ ଲାଭ କରିଛି ଏବଂ ପ୍ରାକୃତିକ ସମ୍ପଦରେ ଭରା ଓଡ଼ିଶା ରାଜ୍ୟକୁ ସମ୍ୃଦ୍ଧ କରିବା ପାଇଁ ମୁକ୍ତ କଣ୍ଠରେ ଘୋଷଣା କରିଛନ୍ତି । ଏ ଓଡ଼ିଶାକୁ ସେ ଏଭଳି ଭାବରେ ବିକଶିତ କରାଇବେ ପୂର୍ବ ଭାରତରେ ଓଡ଼ିଶା ଏକ ତୀର୍ଥକ୍ଷେତ୍ର ଭାବେ ଠିଆ ହେବ । ସେଥିପାଇଁ ଅକଳନ୍ତି କେନ୍ଦ୍ରୀୟ ଅନୁଦାନ ଦେବା ସଙ୍ଗେ ସଙ୍ଗେ ନୂଆ ନୂଆ ପ୍ରକଳ୍ପ ମଧ୍ୟ ଦେଉଛନ୍ତି । କିନ୍ତୁ ଦୁର୍ଭାଗ୍ୟ ସଂସଦୀୟ ଗଣତନ୍ତ୍ରରେ ରାଜ୍ୟସରକାରମାନେ କେନ୍ଦ୍ର ସହିତ ସହଯୋଗ କଲେ ରାଜ୍ୟ ବିକଶିତ ହେବ । ଏଠି ଗୋଟିଏ ସରକାର ଚାଲିଛି ଏଠି ଜଣେ ମୁଖ୍ୟମନ୍ତ୍ରୀ ଅଛନ୍ତି । କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରିପାରୁ ନାହାଁନ୍ତି । କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ରାଜି ହେଉନାହାଁନ୍ତି । ଏ କିଶାନ ପାଇଁ ହେଉ, ମହିଳମାନଙ୍କ ପାଇଁ ହେଉ କିମ୍ବା ବେକାରୀ ଦୂର କରିବା ପାଇଁ ହେଉ କୌଣସିଥିରେ କେନ୍ଦ୍ରର ପଇସା ଦେଉଛି ଏ ତାକୁ କାର୍ଯ୍ୟ କାରି କରୁନାହାଁନ୍ତି । ପିଲାମାନଙ୍କର ମେଧାବୃତ୍ତି ପାଇଁ କେନ୍ଦ୍ର ସହାୟତା ନେଇ ଅର୍ଥ ଯୋଗାଇ ଦେଲେ ତାହାଦେହରୁ ଆଦିବାସୀ ଛାତ୍ରୀଛାତ୍ରମାନଙ୍କ ପାଇଁ ଯେଉଁ ଟଙ୍କା ଆସିଥିଲା ସେଥିରୁ ୬ କୋଟି ଟଙ୍କା ଏମାନେ ଖାଇଗଲେ । ଏହାଠୁ ଲଜ୍ୟାକର କଥା ଆଉ କଣ ଅଛି । ଆଜି କେନ୍ଦ୍ର ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ କରୁନାହାଁନ୍ତି । କଣ କରୁଛନ୍ତି “କାଳିଆ” । ଏ କାଳିଆ କଣ, ଏ ଧୋକାବାଜ । କହିଲେ ସବୁ ଚାଷୀଙ୍କୁ ଅନଲାଇନରେ ଆମେ ଟଙ୍କା ଦେବୁ । କିଛି ଟଙ୍କା ଦେଲେ । ପାଇଲ କିଏ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବଡ଼ଭାଇଙ୍କ ଆକାଉଣ୍ଟକୁ ଟଙ୍କାଗଲା । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବଡ଼ଭାଇଙ୍କ ଆକାଉଣ୍ଟକୁ ଟଙ୍କା ଗଲା । ମନ୍ତ୍ରୀ ନିରଂଜନ ପୁଜାରୀଙ୍କ ବାପାଙ୍କ ଆକାଉଣ୍ଟକୁ ଟଙ୍କା ଗଲା । କିନ୍ତୁ ଗାଁରେ ରହୁଥିବା ଛୋଟିଆ ଚାଷୀ ଚେମେୟୀଙ୍କ ଆକାଉଣ୍ଟରେ ଟଙ୍କା ନାହିଁ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଭାଗଚାଷ କରି ବଂଚୁଥିବା ଚାଷୀର ଆକାଉଣ୍ଟକୁ ଟଙ୍କା ଗଲାନାହିଁ । ଗଂଜାମ ଜିଲ୍ଲାରେ ଯେଉଁଠି ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି ସେଠି୧୩୨୦୦ ଚାଷୀଙ୍କୁ ଚିହ୍ନଟ କରାଯାଇଛି ବୋଲି କୁହାଗଲା । ଏହି ୧୩୨୦୦ ଚାଷୀଙ୍କର ନା’ ୪୨ ହଜାର ଦେଖାଗଲା ନାହିଁ । ଅର୍ଥ ଜଣେ ଜଣେ ତିନିତିନି ଥର ଟଙ୍କା ପାଇଲେ । ୨୮ କୋଟି ଟଙ୍କା ଏହିଭଳି ଭାବେ ଖାଇଗଲେ । ଏ ଗୋଟିଏ ସରକାର? ଆମ ଜନସଂଖ୍ୟାର ଏକ ଚତୁର୍ଥାଂଶ ହେଉଛନ୍ତି ଆଦିବାସୀ । ୧୯୮୦ ମସିହାରେ ଇନ୍ଦିରା ଗାନ୍ଧୀ ଅମଳରେ ଜଙ୍ଗଲ ସଂରକ୍ଷଣ ହେଲା । ଆଜି ପର୍ଯ୍ୟନ୍ତ ୧୫ ଲକ୍ଷ ଆଦିବାସୀ ବୁଲୁଛନ୍ତି ତାଙ୍କର ଘର ନାହିଁ, ଦ୍ୱାର ନାହିଁ କିନ୍ତୁ ତାଙ୍କ କଥା ବୁଝାଗଲାନାହିଁ । ୧୩ ଲକ୍ଷରୁ ଅଧିକ ଭାଗ ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରୁଛନ୍ତି କିନ୍ତୁ ତାଙ୍କ କଥା ବୁଝାଗଲାନି ବୋଲି ଡାକ୍ତର ରାଉତ ଅଭିଯୋଗ କରିଛନ୍ତି ।