ବିରାଟ କୋହଲି ଓ ମନ୍ଧାନା ୱିଜଡେନ୍ ‘କ୍ରିକେଟର ଅଫ୍ ଦି ଇୟର’

ନୂଆଦିଲ୍ଲୀ: କ୍ରିକେଟର ବାଇବେଲ୍ କୁହାଯାଉଥିବା ୱିଜଡେନ୍ କୋହଲିଙ୍କୁ ଶ୍ରେଷ୍ଠ କ୍ରିକେଟର ବିବେଚିତ କରିଛି । କୋହଲିଙ୍କୁ ଲଗାତାର ତୃତୀୟ ବର୍ଷ ପାଇଁ ୱିଜଡେନ୍ “ଲିଡିଙ୍ଗ୍ କ୍ରିକେଟର ଅଫ୍ ଦି ଇୟର’ ଉପାଧି ମିଳିଛି । ସେ ପ୍ରଥମ ଭାରତୀୟ ଭାବେ କ୍ରମାଗତ ତୃତୀୟଥର ୱିଜଡେନର ସର୍ବଶ୍ରେଷ୍ଠ ପୁରସ୍କାର ହାସଲ କରିଛନ୍ତି । ତାଙ୍କ ବ୍ୟତୀତ ଇଂଲଣ୍ଡର ଟ୍ୟାମି ବ୍ୟୁମଣ୍ଟ, ଜୋସ ବଟଲର, ସାମ୍ କୁରାନ୍, ଆଫଗାନିସ୍ତାନର ରଶିଦ୍ ଖାନ୍ ଓ ଇଂଲଣ୍ଡର ରୋରି ବର୍ନସଙ୍କୁ ମଧ୍ୟ ୱିଜଡେନ୍ “ଲିଡିଙ୍ଗ କ୍ରିକେଟର ଅଫ୍ ଦି ଇୟର’ ବିବେଚିତ କରାଯାଇଛି । ସେହିପରି ଭାରତୀୟ ମହିଳା ଦଳର ରନ୍ ମେଶିନ୍ ଭାବେ ପରିଚିତ ସ୍ମୃତି ମନ୍ଧାନାଙ୍କୁ ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ଚୟନ କରାଯାଇଛି ।
ବିରାଟ୍ ୨୦୧୮ ବର୍ଷରେ ତିନୋଟି ଯାକ ଫର୍ମାଟରେ ୬୮.୨୭ ହାରରେ ୨୭୩୫ ରନ୍ କରିଛନ୍ତି । ବିରାଟ ନିଜର ନିକଟ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡର ଜୋ ରୁଟଙ୍କଠାରୁ ୭୦୦ ରନରେ ଆଗୁଆ ଅଛନ୍ତି । ଏହି ସମୟ ମଧ୍ୟରେ ବିରାଟ ୩୭ଟି ଇନିଂସରେ ୧୧ ଶତକ ମାରିଛନ୍ତି, ଯେଉଁଥିରେ ଭାରତର ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତ ସାମିଲ ଅଛି । ଏହି ତିନୋଟି ଗସ୍ତରେ ବିରାଟଙ୍କ ବ୍ୟାଟରୁ ପ୍ରବଳ ରନ୍ ବର୍ଷିଥିଲା । ଇଂଲଣ୍ଡ ଗସ୍ତରେ ସେ ୫୯.୩୦ ହାରରେ ୫୯୩ ରନ୍ କରିବା ସତ୍ତ୍ୱେ ଭାରତ ୧-୪ରେ ସିରିଜ୍ ହାରିଯାଇଥିଲା । କୋହଲି ବିଶ୍ୱର ତୃତୀୟ କ୍ରିକେଟର ଭାବେ ସର୍ବାଧିକ ୱିଜଡେନ୍ ପୁରସ୍କାର ବିଜେତା ହୋଇଛନ୍ତି । ଏହି ମାମଲାରେ ଆଗରେ ଅଛନ୍ତି କିମ୍ବଦନ୍ତୀ କ୍ରିକେଟର ସାର୍ ଡନ୍ ବ୍ରାଡମ୍ୟାନ୍ ।

ନ୍ୟୁଜଲ୍ୟାଣ୍ଡକୁ ହରାଇ ଜିତିଲା ମହିଳା କ୍ରିକେଟ ଦଳ, ସେପଟେ ଇତିହାସ ରଚିଲେ ମିତାଲି