ଚାରି ବୁଥରେ ସାନି ନିର୍ବାଚନ, ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଇଭିଏମରେ ତ୍ରୁଟି ଥିବା ନେଇ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଭୋଟର ମାନେ ଅଭିଯୋଗ କରିଥିଲେ ଯେ ଭୋଟ ଗୋଟିଏ ଚିହ୍ନକୁ ଦେଲେ ତାହା ଆପେ ଆପେ ଆଉ ଗୋଟିଏ ଚିହ୍ନକୁ ଯାଉଛି । ତେବେ ଏହି ସମାତ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ସୁନ୍ଦରଗଡର ଲୋକସଭା ନିର୍ବାଚନ ମଣ୍ଡଳୀର ଦୁଇଟି ପୋଲିଂ ଷ୍ଟେସନ, ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ଷ୍ଟେସନ ନମ୍ୱର 129, ଷ୍ଟେସନ ନମ୍ୱର 213 ସୁନ୍ଦରଗଡ ବିଧାନସଭା ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ପୋଲିଂ ସେଷ୍ଟନ ନମ୍ୱର 210 ଏବଂ 222 ବୁଥରେ ମାନବୀନ ତ୍ରୁଟି ଦେଖା ଦେଇଥିଲା । ଚାରୋଟି ବୁଥରେ ଇଭିଏମ ସହ ଭିଭିପାଟ ସଂଯୋଗରେ ତ୍ରୁଟି ଦେଖା ଦେଇଥିଲା ।
ଏହି ଚାରୋଟି ପୋଲିଂ ଷ୍ଟେସନ ସକାଳେ ନିର୍ବାଚନ ସ୍ୱାଭାବିକ ଥିଲା ପରେ ମେସିନରେ କିଛି ତ୍ରୁଟି ଦେଖାଦେଇଥିଲା । ପରେ ସେକ୍ଟର ଅଫିସର ସେଠାରେ ପହଞ୍ଚି ମେସିନକୁ ବଦଳାଇଥିଲେ । କିନ୍ତୁ ମେସିନ ପରିବର୍ତ୍ତନ କରିବା ସମୟରେ ମାନବୀୟ ତ୍ରୁଟି ହୋଇଥିଲା । ଅଧିକାରୀ ଜଣଙ୍କ ଭୁଲ ସ୍ଥାନରେ ଭୁଲ ମେସିନ ଲଗାଇଥିଲେ । ଉଦାହରଣ ସ୍ୱରୁପ ଯଦି ଲୋକସଭା ପାଇଁ ଇଭିଏମ ମେସିନରେ ବିଧାନସଭାର ଭିଭିପାଟକୁ ସଂଯୋଗ କରାଯାଏ ତେବେ ଏହି ପ୍ରକାର ତ୍ରୁଟି ବାହାରିବ । 129 ନମ୍ୱର ବୁଥରେ ଲୋକସଭା ମେସିନ ଜାଗାରେ ବିଧାନସଭାର ମେସିନ ଲଗାଇଯାଇଥିଲା ଏବଂ 213 ବୁଥରେ ବିଧାନସଭା ମେସିନ ଜାଗାରେ ଲୋକସଭା ମେସିନ ଲଗାଇଯାଇଥିଲା ଫଳରେ ଏହି ତ୍ରୁଟି ଦେଖାଦେଇଥିଲା । ତେବେ ଏହି ଚାରୋଟି ବୁଥରେ ନିର୍ବାଚନକୁ ବାତିଲ କରାଯାଇଛି ଏବଂ ସାନି ନିର୍ବାଚନ ପାଇଁ ସୁପାରିଶ କରାଯିବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ଏହି ବୁଥ ଗୁଡିକରେ ହୋଇଥିବା ତ୍ରୁଟିରେ ଜଡିତ ଥିବା ଅଧିକାରୀଙ୍କ ବିରୋଧରେ ନୀୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

୨ୟ ପର୍ଯ୍ୟାୟ ମତଦାନ : ଦିନ ୧୧ଟା ସୁଦ୍ଧା ୧୮ ପ୍ରତିଶତ ମତଦାନ