ବିଜେଡି-ବୈଜୟନ୍ତ କଳି

ଭୁବନେଶ୍ୱର (ତ୍ତ୍ୱଓଏନଏ): ବିଜେଡି ଓ ବୈଜୟନ୍ତଙ୍କ ଭିତରେ କଳି ଦୀର୍ଘଦିନ ହେଲା ଲାଗି ରହିଛି । ଏବେ ନିର୍ବାଚନ ସମୟରେ ଏହା ଜୋରଦାର ହୋଇଥିବା ଦେଖାଯାଇଛି । ବୈଜୟନ୍ତଙ୍କ ବିରୋଧରେ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକାଧିକବାର ଫେରାଦ ହେବା ସହ ଗଣମାଧ୍ୟମରେ ମଧ୍ୟ ବିଷୋଦଗାର କରିଛନ୍ତି । ଏବେ ବୈଜୟନ୍ତଙ୍କ ବିରୋଧରେ ପୁଣି ଠକେଇ ଅଭିଯୋଗ ବିଜେଡି ଆଣିଛି । କେନ୍ଦ୍ରାପଡ଼ାବାସୀଙ୍କୁ ପୁଣି ସେ ଠକିଛନ୍ତି । ନିର୍ବାଚନ ସମୟରେ ପ୍ରାର୍ଥୀପତ୍ର ଦାଖଲରେ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି । ଇମ୍ଫାରୁ ପାଉଥିବା ଅର୍ଥ ସମ୍ପର୍କରେ ସେ କିଛି ଉଲ୍ଲେଖ କରିନାହାଁନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ବିଜେଡି ଅଭିଯୋଗକୁ ବୈଜୟନ୍ତ ଖଣ୍ଡନ କରିଛନ୍ତି । ବୈଜୟନ୍ତ ବି ବିଜେଡିକୁ ପାଲଟା ସମାଲୋଚନା କରିଛନ୍ତି । ଉଭୟଙ୍କ ଭିତରେ ଏଭଳି ଠେଲାପେଲା ଲାଗି ରହିଛି ।
ବିଜେଡି ଅଭିଯୋଗ କରିଛି ବୈଜୟନ୍ତ ପଣ୍ଡା ଗତଥର ନିର୍ବାଚନବେଳେ ସତ୍ୟପାଠରେ ତଥ୍ୟ ଲୁଚାଇଥିଲେ । ଏପରି କରି ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କୁ ଠକିଥିବା ବିଜେଡି କହିଛି । ଏକ ସାମ୍ବାଦିକ ସିମ୍ମିଳନୀରେ ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ୨୦୧୪ ନିର୍ବାଚନବେଳେ ବୈଜୟନ୍ତ ନିଜର ପଦବି ଓ ରୋଜଗାର ଲୁଚାଇ ନିର୍ବାଚନ କମିଶନଙ୍କ ପାଖରେ ମିଥ୍ୟା ସତ୍ୟପାଠ ଦେଇଥିଲେ । ପରବର୍ତ୍ତୀ ସମୟରେ ବିଜେଡି ଏହାକୁ ଲୋକଲୋଚନକୁ ଆଣିଥିଲା । ମାତ୍ର ବୈଜୟନ୍ତ ତାହାକୁ ଫାଙ୍କି ଦେଇଥିଲେ । ହେଲେ ଚଳିତ ନିର୍ବାଚନ ସତ୍ୟପାଠରେ ବୈଜୟନ୍ତ ଏହି ତଥ୍ୟକୁ ଲୁଚାଇ ପାରିନାହାଁନ୍ତି । ସେ ଇମ୍ଫାର ଉପସଭାପତି ପଦରେ ଥାଇ ବର୍ଷକୁ ୨ କୋଟି ଟଙ୍କା ରୋଜଗାର କରୁଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ଗତଥର ଏହିତଥ୍ୟ ଲୁଚାଇ ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କୁ ଠକିଥିଲେ । ୨୦୧୪ ନିର୍ବାଚନରେ ସତ୍ୟପାଠରେ ବୈଜୟନ୍ତ ନିଜକୁ କେବଳ ଜଣେ ସାଂସଦ ବୋଲି ଦର୍ଶାଇଥିଲେ । ତାଙ୍କର କୌଣସି ବ୍ୟବସାୟିକ କାରବାର ଇମ୍ଫା ମାଇନିଂ କମ୍ପାନୀ ଉପାଧ୍ୟକ୍ଷ ପଦବି ସମ୍ପର୍କରେ ଉଲ୍ଲେଖ କରି ନଥିଲେ । ବୈଜୟନ୍ତ ତଥ୍ୟ ଲୁଚାଇ ଲୋକଙ୍କୁ ଠକିଥିବା ନେଇ ଗତ ବର୍ଷ ମାର୍ଚ୍ଚରେ କେନ୍ଦ୍ରାପଡ଼ାବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ବୈଜୟନ୍ତଙ୍କ ବିରୋଧରେ ଜନପ୍ରତିନିଧି ଆଇନ ୧୯୫୧ ଉଲଂଘନ ନେଇ ଥାନାରେ ଫୌଜଦାରୀ ମାମଲା ରୁଜୁ ହୋଇଥିଲା । ସେହି ଚାପରେ ବୈଜୟନ୍ତ ଏଥର ବାଧ୍ୟ ହୋଇ ସତ୍ୟପାଠ ଦେଇଛନ୍ତି । ଏବେ ସମୟ ଆଜିଛି କେନ୍ଦ୍ରାପଡ଼ାବାସୀ ତାଙ୍କୁ ଉଚିତ ଜବାବ ଦେବେ ବୋଲି ସସ୍ମିତ କହିଛନ୍ତି ।
ବୈଜୟନ୍ତ ମଧ୍ୟ ବିଜେଡି ଅଭିଯୋଗରେ ପାଲଟା ଜବାବ ରଖିଛନ୍ତି । ବୈଜୟନ୍ତ କହିଛନ୍ତି, ବିଜେଡି ପ୍ରକୃତ ତଥ୍ୟକୁ ଭୁଲ ଢ଼ଙ୍ଗରେ ଉପସ୍ଥାପନ କରୁଛି । ବିଜେଡି ମିଛ କହୁଛି । ଗତ ନିର୍ବାଚନ ସତ୍ୟାପଠରେ ଆୟ ଓ ରୋଜଗାରର ସମସ୍ତ ଉତ୍ସ ବାବଦରେ ଉଲ୍ଲେଖ କରାଯାଇଥିଲା । ଯେଉଁଥିପାଇଁ ମୋ ବିରୋଧରେ ଅଣାଯାଇଥିବା ଅଭିଯୋଗ ଉପରେ ଅଦାଲତ ରହିତାଦେଶ ଦେଇଛନ୍ତି । ୧୮ ବର୍ଷ ଧରି ସଂସଦରେ ବିଜେଡିକୁ ପ୍ରତିନିଧିତ୍ୱ କରୁଥିବା ବେଳେ ବିଜେଡି ମୋ ବିରୋଧରେ କେବେ କୌଣସି ଅଭିଯୋଗ କି ଆପତି ଉଠାଉନଥିଲା । କିନ୍ତୁ ଗତ ଦୁଇ ବର୍ଷ ହେଲାଣି ବିଜେଡିକୁ ସବୁଥିରେ ମୋ ଭୁଲ ଦେଖାଯାଉଛି । ମିଥ୍ୟା ଅଭିଯୋଗ ଆଣୁଛନ୍ତି । ପ୍ରକୃତ କଥା ହେଲା, ବିଜେଡି ଏବେ ଦୁର୍ନୀତିଗ୍ରସ୍ତ ଓ ଅପରାଧୀଙ୍କ କବଜାରେ ରହିଛି । ଓଡ଼ିଶାବାସୀ ଏବେ ସବୁ କଥା ବୁଝିସାରିଛନ୍ତି । ଲୋକେ ସଚେତନ ହେଲେଣି । ଆଉ ମାତ୍ର କିଛି ସପ୍ତାହ ଅପେକ୍ଷା । ଖୁବଶୀଘ୍ର ଏହି ଠକ ଓ ଦୁର୍ନୀତିଗ୍ରସ୍ତଙ୍କ କବଳରୁ ଓଡ଼ିଶା ମୁକ୍ତ ହେବାକୁ ଯାଉଛି ବୋଲି ବୈଜୟନ୍ତ କହିଛନ୍ତି ।